

ବଲାଂଗିର, 22 ଏପ୍ରିଲ୍ (ହି.ସ.)
ଅଖଣ୍ଡ ଭାଗବତ ଜ୍ଞାନ ଯଜ୍ଞ କମିଟି, ବ୍ରାହ୍ମଣପଡା ଭାଗବତ ମନ୍ଦିର ପରିସରରେ ଆଦି ଶଙ୍କରାଚାର୍ଯ୍ୟ ୧୨୩୮ ଜନ୍ମ ଜୟନ୍ତୀ ଉତ୍ସବ ଭାଗବତ ମନ୍ଦିର ର ଭକ୍ତମାନଙ୍କ ମେଳରେ ମହା ସମମାରୋହରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଜ୍ୟ ସଭ୍ୟ ଗିରିଜା ଶଙ୍କର ରଥ ଅତିଥି ଭାବରେ ଶଙ୍କରାଚାର୍ଯ୍ୟ ଙ୍କ ଜୀବନାଦର୍ଶ ଓ ତାଙ୍କର ଚାରିତ୍ରିକ ବୈଶିଷ୍ଟ୍ୟ ଗୁଡିକ ଅତି ସୁନ୍ଦର ଭାବରେ ପ୍ରଦାନ କରିଥିଲେ । ବକ୍ତା ଭାବରେ ବିଶିଷ୍ଟ ଗାଳ୍ପିକ, ପ୍ରବଚକ, ଗୀତା ବିଷାରଦ, ପ୍ରଦୀପ ମିଶ୍ର ଶଙ୍କରାଚାର୍ଯ୍ୟ ଙ୍କ ଜୀବନୀ ସହ ତାଙ୍କର ସାହିତ୍ୟ କୃତି ଗୁଡିକର ଆବୃତ୍ତି ଶାସ୍ତ୍ରୀୟ ଢଙ୍ଗ ରେ କରି ତାର ଅର୍ଥ କୁ ସୁନ୍ଦର ରୂପରେ ଗାୟନ କରିବା ସହ ତାର ଅର୍ଥ କୁ ବ୍ୟାଖା କରିଥିଲେ । ଶଙ୍କରାଚାର୍ଯ୍ୟ ଙ୍କ କୃତି ମୋହ ମୁଦଗର ର କେତୋଟି ଶ୍ଲୋକ ର ଓଡିଆ ଭାଷାରେ କବିତା ଆକାର ଦେଇ ତାକୁ ଆବତ୍ତି କରିଥିଲେ ସବିତା ଦାନୀ । କମିଟି ର ପ୍ରତିଷ୍ଠାତା ତଥା ବଲାଙ୍ଗିର ର ଜଣେ ଅତି ପରିଚିତ ପ୍ରବଚକ ବଂଶୀଧର ଦାନୀ ଶଙ୍କରାଚାର୍ଯ୍ୟ ଙ୍କ ବିଷୟରେ ଆଲୋକପାତ କରି କହିଲେ ଯେ ଶଙ୍କରାଚାର୍ଯ୍ୟ ଙ୍କୁ ମଣିଷ ନ କହି ଭଗବାନ କହିବାରେ ଯଥାର୍ଥନା ଅଛି । ସେ ଶିବଙ୍କ ଅବତାର ଥିଲେ । ଭାରତ ର ସନାତନ ସଂସ୍କୃତିର ବଂଧନକୁ ସେ ଦୃଢ କରି ପାରିଥିଲେ । ସେ ଜଣେ ଯୋଗ ଜନ୍ମା ଆତ୍ମା ଥିଲେ । ଶଙ୍କରାଚାର୍ଯ୍ୟ ଅଦୈତ ବାଦକୁ ଲୋକ ଲୋଚନକୁ ଆଣି ପାରିଥିଲେ । ଏହି ସଭାରେ ସଭାପତି ଡ. ଭବାନୀ ଶଙ୍କର ପଟେଲ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସଭା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ତଥା ସଂଯୋଜନା କରିଥିଲେ ତାଙ୍କର ଅଭିଭାଷଣ ରେ ସେ କହିଲେ ଯେ ଶଙ୍କରାଚାର୍ଯ୍ୟ ଅମର ଅଟନ୍ତି । ତାଙ୍କ ଜୀବନର ଅନେକ ଆଲୌକିକ ବିଷୟଗୁଡିକ ସେ ଉପସ୍ଥାପନ କରିବା ସହ ଆଜି ଦିନର ମହତ୍ୱ ପ୍ରତିପାଦନ କରିଥିଲେ ଓ ଅତିଥିମାନଙ୍କୁ ଭୂୟସି ପ୍ରଶଂସାଗାନ କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହଜ ଓ ସଫଳ କରିବାରେ କମିଟିର ସଭ୍ୟ ବଳିଷ୍ଠ ପ୍ରଧାନ, ହିମାଂଶୁ ବେଦବାକ, ମେଘ ଭୁଏ, ଦେବ ପ୍ରଧାନ, ବାହାଦୁର କୁମ୍ଭାର, ଋଷି ଗୁରୁ, ମଦନ ସ୍ୱାଇଁ, ସୁରେନ୍ଦ୍ର ହୋତା ତଥା ଅନେକ ସଭ୍ୟ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ