
ବଲାଙ୍ଗିର, 22 ଏପ୍ରିଲ୍ (ହି.ସ.)
ନକଲି ଫେସବୁକ୍ ଆକାଉଣ୍ଟ ଖୋଲି ମହିଳାଙ୍କ ସହ ସଂପର୍କ ଯୋଡିଲେ । ବିଶ୍ୱାସ ଜିଣିବା ପରେ ମହିଳାଙ୍କ ପୁଅଝିଅଙ୍କୁ ବାଣିଜ୍ୟ ବିଭାଗରେ ଚାକିରି କରାଇ ଦେବାକୁ କହି ନେଇଗଲେ ୧୫ଲକ୍ଷ ଟଙ୍କା । ଦିନ ଗଡିବା ପରେ ଧରାଛୁଆଁ ଦେଲେନି । ଓଲଟା ଅଶ୍ଲୀଳ ଭାଷାରେ ଗାଳିଗୁଳଜ କଲେ । ଏଭଳି ଏକ ସାଇବର ଠକେଇ ଘଟଣା ବରଗଡ଼ ଜିଲ୍ଲା ଭଷ୍ମା ଥାନା ଅଂଚଳରୁ ଆସିଛି । ସଂପୃକ୍ତ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ସାଇବର ଠକକୁ ଗିରଫ୍ କରିଛି । ଅଭିଯୁକ୍ତହେଲା ବଲାଙ୍ଗୀର ପେଲେସ ଲାଇନ୍ ରେ ଭଡାରେ ରହୁଥିବା ବରଗଡ଼ ଜିଲ୍ଲା ଗାଇସିଲେଟ ଥାନାକନ୍ଦାଗଡର ସରୋଜ କୁମାର ଅ ସରୋଜ କୁମ୍ଭାର(୩୨) । ଗତ ୧୬ ତାରିଖ ଦିନ ବଲାଙ୍ଗୀର ଭାଗିରଥୀ ଛକରୁ ସରୋଜକୁ ଗିରଫ କରିଛି ପୋଲିସ । ତା ପାଖରୁ ଏକ ହୁଣ୍ଡାଇ କାର, ୮ଟି ମୋବାଇଲ, ସାମସଙ୍ଗ ଟାବଲେଟ, ବିଭିନ୍ନ ବ୍ୟାଙ୍କର ୭ଟି ପାସ୍ବୁକ୍ , ୫ଟି ଏଟିଏମ୍, ଚେକ୍ ବହି ଆଦି ଜବତ ହୋଇଛି । ଭଷ୍ମା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ପୋଲିସ ଅଧିକାରୀ ନିର୍ମଳ ମହାପାତ୍ର ଏହି ମାମଲାର ବିସ୍ତୃତ ସୂଚନା ଦେଇଛନ୍ତି । ଏହାପୂର୍ବରୁ ସରୋଜ ଠକାମୀ କରି କିଛି ବର୍ଷ ଧରି ଲୋଇସିଂହା କଲେଜରେ ଅଧ୍ୟାପକ ଭାବରେ କାମ ମଧ୍ୟ କରୁଥିଲା । ସରୋଜର ଆଚରଣ, ଛାତ୍ରଛାତ୍ରୀଙ୍କ ଅଭିଯୋଗ ଓ ପାଠପଢ଼ା ଶୈଳୀ ପ୍ରତି ସନ୍ଦେହ ହେବା ପରେ କଲେଜ ଷ୍ଟାଫ୍ ତାକୁ ଚିକରିରୁ ବିଦା କରି ଦେଇଥିଲେ । ଏପରିକି ଜମି କିଣାବିକାରେ ସରୋଜ ଠକାମୀ କରି କୋଟି କୋଟି ଟଙ୍କା ଲୋକଙ୍କ ଠାରୁ ଠିକଥିବା ଅଭିଯୋଗ ହୋଇଛି ।
ସରୋଜଙ୍କ ଠକେଇର ଶୀକାର ହୋଇଥିବା ମହିଳା ଜଣକ ହେଲେ ଭଷ୍ମା ଥାନା ଭାଲୁଗାଡର ରଂଜିତା କାଲୋ । ସରୋଜ କୁମାର ନାମକ ଜଣେ ଯୁବକ ରିତେଶ ତ୍ରିପାଠୀ ନାମରେ ଏକ ନକଲି ଫେସ୍ବୁକ୍ ଆଇଡି ଖୋଲି ୧୯.୧୧.୨ଠ୨୪ରେ ଉକ୍ତ ମହିଳାଙ୍କ ସହ ସଂପର୍କ ରଖିଥିଲା । କିଛି ମାସ ପରେ ବାଣିଜ୍ୟ ବିଭାଗରେ ପୁଅଝିଅଙ୍କୁ ଚାକିରୀ କରାଇ ଦେବାକୁ କହିଥିଲେ । ଏହାପରେ ଯୁବକ ଜଣକ ମହିଳାଙ୍କୁ ୧୫ଲକ୍ଷ ଟଙ୍କା ଦାବି କରିଥିଲେ । ମହିଳା ଜଣକ ତାଙ୍କ ଫୋନ୍ ପେ ରେ ୧୨.୪୫ଲକ୍ଷ ଟଙ୍କା, ବ୍ୟାଙ୍କ ମାଧ୍ୟମରେ ୫୫ହଜାର ଟଙ୍କା ଓ ନଗଦ ଭାବରେ ୨ଲକ୍ଷ ଟଙ୍କା ଦେଇଥିଲେ । କିଛି ଦିନ ପରେ ଅଭିଯୁକ୍ତ ଜଣକ ପୁଣି ୧ଠଲକ୍ଷ ଟଙ୍କା ଦାବି କରିଥିଲେ । ମହିଳା ସନ୍ଦେହ କରି ଚାକିରି ବିଷୟରେ ପଚାରିବା ପରେ ସେ ଅଭଦ୍ର ଭାଷାରେ ଧମକ ଦେବା ସହ ଟଙ୍କା ଫେରାଇବାକୁ ମନା କରିଥିଲେ । ଶେଷରେ ମହିଳା ଜଣକ ଠକାମୀରେ ପଡିଥିବା ଜାଣି ତା.୨୭.ଠ୮.୨ଠ୨୫ରେ ଭଷ୍ମା ଥାନାରେ ମହାଠକ ସରୋଜ ଙ୍କ ନାମରେ ଏତଲା ଦେଇଥିଲେ । ତତ୍କାଳୀନ ଥାନା ଅଧିକାରୀ ସୁଶାନ୍ତ ପରିଡା ଭାରତୀୟ ନ୍ୟାୟ ସଂହିତା ଧାରା ୩୧୯(୨), ୩୧୫(୪) ଓ ୨୯୭ରେ ମାମଲା ରୁଜୁ କରିଥିଲେ । ଅଭିଯୁକ୍ତକୁ ପୋଲିସ ୧୬ ତାରିଖରେ ବଲାଙ୍ଗୀରରୁ ଗିରଫ୍ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ସରୋଜ ଜଣେ ପ୍ରଫେସନାଲ ଠକ ଓ ବିଭିନ୍ନ ସମୟରେ ସେ ପରିସ୍ଥିତି ଦେଖି ନିଜକୁ ବିଭିନ୍ନ ପ୍ରକାର ପରିଚୟ ଦେଇ ନିରୀହ ଲୋକଙ୍କ ଠାରୁ ଟଙ୍କା ଠକାମୀ କରିଥାଏ ବୋଲି ତାର ଗାଁ କନ୍ଦାଗଡ଼ର କିଛି ଲୋକ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ