ସମାସିଂହା ଜଗନ୍ନାଥ ମନ୍ଦିର ଓ ରଘୁନାଥପାଲି ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ
Collector visit samasingha mandir
ସମାସିଂହା ଜଗନ୍ନାଥ ମନ୍ଦିର ଓ ରଘୁନାଥପାଲି ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ


ଝାରସୁଗୁଡ଼ା, ୨୨ ଏପ୍ରିଲ୍ (ହି.ସ.) - ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ କୋଲାବିରା ବ୍ଲକ ଅନ୍ତର୍ଗତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରିବା ସହ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ନିଜର ଏହି ଗସ୍ତ କାର୍ଯ୍ୟକ୍ରମ ସମୟରେ ଜିଲ୍ଲାପାଳ ପ୍ରଥମେ ସମାସିଂହା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ସେଠାରେ ନିର୍ମାଣାଧୀନ ପ୍ରକଳ୍ପ ଗୁଡ଼ିକର ଅନୁଧ୍ୟାନ କରିଥିଲେ। ଏ ଓ ଏନ୍ ଓ ଯୋଜନାରେ ମନ୍ଦିର ପରିସରରେ ନିର୍ମାଣ ହେଉଥିବା ଭୋଗ ମଣ୍ଡପ ପ୍ରକଳ୍ପର ସ୍ଥିତି ଯାଂଚ କରି ଜିଲ୍ଲାପାଳ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କହିଥିଲେ। ଏହି ଭୋଗ ମଣ୍ଡପ କାର୍ଯ୍ୟକୁ ସମସ୍ତ ଦିଗରୁ ଉନ୍ନତମାନର କରି ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ସେ କୋଲାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କହିଛନ୍ତି। ଶ୍ରଦ୍ଧାଳୁଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରକଳ୍ପର ଗୁଣବତା ବଜାୟ ରଖିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି। ଏହା ପରେ ଜିଲ୍ଲାପାଳ ଶ୍ରୀ ଚହ୍ୱାଣ ପି.ଏମ. ଶ୍ରୀ ରଘୁନାଥପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ଅତିରିକ୍ତ ଶ୍ରେଣୀ ଗୃହ, ପାନୀୟ ଜଳ ବ୍ୟବସ୍ଥା, ଖେଳ ପଡ଼ିଆ ଏବଂ ପରିସର ମଧ୍ୟରେ ଥିବା ରାସ୍ତାର ସ୍ଥିତି ଯାଂଚ କରିଥିଲେ। ଏଥିସହ ରୋଷେଇ ଶାଳ ଓ ଶୌଚାଳୟର ସ୍ୱଚ୍ଛତା ଉପରେ ସେ ବିଶେଷ ଦୃଷ୍ଟି ଦେଇଥିଲେ। ବିଦ୍ୟାଳୟର ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ କରାଯାଇଥିବା ବୃକ୍ଷରୋପଣ କାର୍ଯ୍ୟର ମଧ୍ୟ ସେ ଅନୁଧ୍ୟାନ କରିଥିଲେ। ଚଳିତ ଗ୍ରୀଷ୍ମ ପ୍ରବାହ ସମୟରେ କିଭଳି ପ୍ରତ୍ୟେକ ଗଛ ବଂଚି ରହିବ ଏବଂ ସେଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ହେବ, ସେଥିପ୍ରତି ସତର୍କ ରହିବାକୁ ସେ ପ୍ରଧାନ ଶିକ୍ଷକଙ୍କୁ ପରାମର୍ଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande