ସୋଲାର ଲାଇଟ୍ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବୀ
Demand for vigilance inquiry
ସୋଲାର ଲାଇଟ୍ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବୀ


ଝାରସୁଗୁଡ଼ା, ୨୨ ଏପ୍ରିଲ୍ (ହି.ସ.) - ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ର ୬ଟି ପଂଚାୟତରେ ଗତ ୨୦୨୨ ମସିହାରେ ୧ କୋଟି ୯୦ ଲକ୍ଷ ୯୦ ହଜାର ୫ ଶହ ଟଙ୍କା ବ୍ୟୟ ଅଟକଳରେ ଲାଗିଥିବା ସୋଲାର ଷ୍ଟ୍ରିଟ୍ ଲାଇଟ୍ରର ଭିଜିଲାନ୍ସ ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଦାବୀ ହୋଇଛି । ସୋଡାମାଳ ପଂଚାୟତର ପୂର୍ବତନ ସରପଂଚ ବଳରାମ ପାଣ୍ଡେ କୋଲାବିରାରେ ଅନୁଷ୍ଠିତ ଜିଲାସ୍ତରୀୟ ଜନଅଭିଯୋଗ ଶୁଣାଣିରେ ଯୋଗଦେଇ କରିଥିବା ଦାବୀ ଅନୁଯାୟୀ କେନ୍ଦ୍ର ସରକାରଙ୍କ ରୁର୍ବାନ ଯୋଜନାରେ କୋଲାବିରା ବ୍ଲକ ଅଧିନସ୍ଥ ସୋଡାମାଳ,ସମାସିଂହା, କୁଲିହାମାଲ, ପୋଖରାସାହ୍ଲେ, ଝିର୍ଲାପାଲି ଓ କୋଲାବିରା ପଂଚାୟତର ବିଭିନ୍ନ ଛକ ମାନଙ୍କରେ ସୋଲାର ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିଲା । ଏଥିରେ ପାଖାପାଖି ୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ବିଡ଼ିଓ ଙ୍କ ପକ୍ଷରୁ ଭୁବନେଶ୍ୱର ଓରେଡା ସଂସ୍ଥା କୁ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଦାୟିତ୍ୱ ଦିଆଯାଇଥିଲା । ଏହି ସଂସ୍ଥା ଜରିଆରେ ଟେଣ୍ଡର ଫିକ୍ସିଙ୍ଗ କରାଯାଇ ଓଏସଆଇସି ଲିମିଟେଡ ସଂସ୍ଥା କୁ ଠିକା ଦିଆଯାଇଥିଲା । ଏହି ସଂସ୍ଥା ତରଫରୁ ସ୍ଥାନୀୟ ଠିକାଦାର ଏହାର କାର୍ଯ୍ୟ ସମ୍ପାଦନ କରିଥିଲେ । ଟେଣ୍ଡର କୁ ଝାରସୁଗୁଡ଼ା ଜିଲ୍ଲାରେ ପ୍ରସାରିତ ନଥିବା ଏକ ଛୋଟିଆ ଖବର କାଗଜରେ ପ୍ରକାଶନ କରାଯାଇଥିଲା । ଟେଣ୍ଡର ର ନୋଟିସ ବ୍ଲକ କିମ୍ବା ଜିଲ୍ଲାର କୌଣସି ଅଫିସର ନୋଟିସ ବୋର୍ଡ ରେ ଦିଆଯାଇନଥିଲା । ଟେଣ୍ଡର ଅନୁଯାୟୀ ସୁର୍ଯ୍ୟ ଓ ହାଭେଲ୍ସ କମ୍ପାନୀର ଲାଇଟ୍ ସହ ଗୋଟିଏ ସୋଲାର ଲାଇଟ୍ ଖୁମ୍ବ ପାଇଁ ୩୨ ହଜାର ବ୍ୟୟ ଅଟକଳ ରଖାଯାଇଥିଲା । ମାତ୍ର ଗୋଟିଏ ସୋଲାର ଲାଇଟ୍ ଓ ଖୁମ୍ବ ଲଗାଇବା ପାଇଁ ମାତ୍ର ୧୪ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଛି । କାର୍ଯ୍ୟ ପରେ ବ୍ଲକ ଅଫିସ ର ଜେଇ ଓ ଏଇ ବିଲ୍ କରିବା ପାଇଁ ମନା କରିବା ପରେ ଝାରସୁଗୁଡ଼ା ଡିଆରଡିଏ ଜରିଆରେ ବିଲ୍ ତିଆରି କରି ଠିକା ସଂସ୍ଥା କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟରେ ୬ ଟି ପଂଚାୟତରେ ୭୦ ପ୍ରତିଶତ ଲାଇଟ୍ ଲାଗିଥିବା ବେଳେ ଠିକା ସଂସ୍ଥାକୁ ସମ୍ପୂର୍ଣ ବିଲ୍ ପୈଠ କରାଯାଇଛି । ସୁର୍ଯ୍ୟ ଓ ହାଭେଲ୍ସ ନାମରେ ନକଲି କମ୍ପାନୀ ର ଲାଇଟ୍ ସହ ଦୁର୍ବଳ ଖୁମ୍ବ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ଲାଗିଥିବା ଲାଇଟ୍ ମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଲାଇଟ୍ ଗୋଟିଏ ବର୍ଷ ମଧ୍ୟରେ ଅକାମୀ ହୋଇ ପଡିଛି । ଅନେକ ଲାଇଟ୍ ଖୁମ୍ବ ମଧ୍ୟ ଭାଙ୍ଗି ପଡ଼ିଲାଣି । ଏନେଇ ପୂର୍ବରୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ଲାଭ ମିଳୁନାହିଁ । ଏଣୁ ସୋଲାର ଲାଇଟ୍ ଲଗାଇବା ଦୁର୍ନୀତି ର ଭିଜିଲାନ୍ସ ଦ୍ୱାରା ତଦନ୍ତ କରିବାକୁ ସୁପାରିସ କରିବାକୁ ପୂର୍ବତନ ସରପଂଚ ଶ୍ରୀ ପାଣ୍ଡେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଦାବୀ ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande