





ସୁବର୍ଣ୍ଣପୁର, ୨୨ ଏପ୍ରିଲ୍(ହି.ସ.) – ଆଜିଠାରୁ ସୁବର୍ଣ୍ଣପୁର ଜିଲ୍ଲାର ଅତି ପ୍ରତିକ୍ଷୀତ ହାଇଟେକ ସର୍ଭେର ଚୂଡାନ୍ତ ପଟ୍ଟା ବଂଟନ କାର୍ଯକ୍ରମର ଶୁଭାରମ୍ଭ ହୋଉଛି। ଆଜି ପୂର୍ବାହ୍ନରେ ପ୍ରଥମ ଦିନରେ ଜିଲ୍ଲାର ୬ଟି ତହସିଲରେ ୧୬୦ରୁ ଅଧିକ ପଟ୍ଟା ବଂଟନ କରାଯାଇଛି।
ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ଓ ପର୍ଯବେକ୍ଷଣ କମିଟିର ଅଧ୍ୟକ୍ଷ ତଥା ବୀରମହାରାଜପୁରର ବିଧାୟକ ଇଂ ରଘୁନାଥ ଜଗଦଲା ନିଜେ ଉପସ୍ଥିତ ରହି ବୀରମହାରାଜପୁର ତହସିଲ ଅନ୍ତର୍ଗତ ପିତାମହୁଲ ଠାରେ ଚୌହାନପୁର ମୌଜାର ହାଇଟେକ ସର୍ଭେର ଚୂଡାନ୍ତ ପଟ୍ଟା ବଣ୍ଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ, ଉପଜିଲ୍ଲାପାଳ ଶ୍ରୀ ସୁରେନ୍ଦ୍ର ମେହେର, ସାଂସଦଙ୍କ ପ୍ରତିନିଧି ଶ୍ରୀମତୀ ନଳିନୀ ପଣ୍ଡା ଏବଂ ସମାଜସେବୀ ଶ୍ରୀ ବେଣୁଧର ଦାଶ ଯୋଗଦେଇଥିଲେ। ବୀରମହାରାଜପୁର ତହସିଲଦାର ସୁଶ୍ରୀ ସୁଚିସ୍ମିତା ପାଣିଗ୍ରାହୀ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଚୌହାନପୁର ମୌଜାର ମୋଟ ୨୫ ଜଣ ରୟତଙ୍କୁ ପଟ୍ଟା ପ୍ରଦାନ କରାଯାଇଛି।
ସେହିପରି ଉଲୁଣ୍ଡା ତହସିଲର ଘମଡିଆପାଲି ଗ୍ରାମରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ରାଜେନ୍ଦ୍ର ମାଝୀ ନିଜେ ଉପସ୍ଥିତ ରହି ୭୯ଟି ପଟ୍ଟା ବଂଟନ କରିଥିଲେ। ଜିଲ୍ଲାର ସୋନପୁର ତହସିଲ ଅନ୍ତର୍ଗତ ଶିଆଳଜୁରୀରେ ୩୮ ଜଣ ଗ୍ରାମବାସୀଙ୍କୁ ପଟ୍ଟା ଦିଆଯାଇଥିଲା। ଏହି ପଟ୍ଟା ବଂଟନ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଡ଼ ସୌମ୍ୟ ରୁପା ରଥ, ତହସିଲଦାର ଜି ରଶ୍ମିରେଖା ଓ ଡେପୁଟି କଲେକ୍ଟର ସିଦ୍ଧାର୍ଥ ଦାସ ଉପସ୍ଥିତ ଥିଲେ। ବିନକା ଏବଂ ରାମପୁର ତହସିଲରେ ୮ଟି ଲେଖାଏ ପଟ୍ଟା ବଂଟନ କରାଯାଇଛି ଏବଂ ତରଭାରେ ୪ ଟି ପଟ୍ଟା ବଂଟନ ହୋଇଛି।
ଏହି ଅବସରରେ ଜିଲ୍ଲାପାଳ ଡ଼ ସାହୁ କହିଥିଲେ ଯେ, ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ସହିତ ବୈଠକରେ ହୋଇଥିବା ନିଷ୍ପତି ଅନୁସାରେ ଏହି କାର୍ଯକ୍ରମ ଆରମ୍ଭ ହୋଇଛି। ଦଶନ୍ଧିଧରି ଚାଲିଥିବା ସମସ୍ୟାକୁ ଏହା ଦୂର କରିବ।
ସୂଚନା ଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲାର ୯୮୯ଟି ଗ୍ରାମ ମଧ୍ୟରୁ ୬୦୮ଟି ଗ୍ରାମରେ ସର୍ଭେ ସମାପ୍ତ ହୋଇଥିବାବେଳେ ଅବଶିଷ୍ଟ ଗ୍ରାମର କାମ ଅତିଶୀଘ୍ର ସାରିବାର ଲକ୍ଷ୍ୟ ରହିଛି।
ଯେଉଁ ଗ୍ରାମମାନଙ୍କର ସର୍ଭେ ସରିଛି ସେହି ଗ୍ରାମ ମାନଙ୍କର ପଟ୍ଟା ବଣ୍ଟନ ଏବଂ ରହିଯାଇଥିବା ଗ୍ରାମମାନଙ୍କର ହାଇଟେକ ସର୍ଭେ କାମ ଏକା ସାଙ୍ଗରେ ଚାଲିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ