


ମାଲକାନଗିରି , ୨୨ ଏପ୍ରିଲ୍ (ହି.ସ.)
ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳିର ବିଧାୟକ ନରସିଂହ ମାଡ଼କାମି ତାଙ୍କ ୪୬ତମ ଜନ୍ମଦିନ ଗତକାଲି ସନ୍ଧ୍ୟା ରେ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି। ସହର ରେ ସାଧାରଣ ଭୋଜନ କିମ୍ବା ବିଳାସୀ ଉତ୍ସବ ପରିବର୍ତ୍ତେ ସେ ଗ୍ରାମବାସୀ , ଛାତ୍ରଛାତ୍ରୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ସହିତ ଜନ୍ମଦିନ ସମାରୋହ କରି ସମସ୍ତଙ୍କ ମନ ଜୟ କରିଛନ୍ତି।
ପ୍ରଥମେ ବିଧାୟକ କାଲିମେଳା ବ୍ଲକ ବଡି ଗାଟା ପଞ୍ଚାୟତ ର ଆଦିବାସୀ ଗ୍ରାମ କୁତବାନପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଠା ବଣ୍ଟନ କରି ସେମାନଙ୍କ ସହ ଆନ୍ତରିକ ଭାବେ ଆଲୋଚନା କରିଥିଲେ। ପିଲାମାନଙ୍କ ଶିକ୍ଷା ଓ ଉନ୍ନତି ପାଇଁ ସେ ଉତ୍ସାହ ପ୍ରକାଶ କରିଥିଲେ।
ପରେ କୁତବାନପଲ୍ଲୀ ଗ୍ରାମରେ ଗ୍ରାମବାସୀ ଓ କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ଜନ୍ମଦିନ ଉତ୍ସବ ପାଳନ କରାଯାଇଥିଲା। ଏହି ଅବସରରେ ବିଧାୟକ କେକ୍ କାଟି ଜନ୍ମ ଦିନ ପାଳନ କରିବା ପରେ ଗ୍ରାମର ସମସ୍ତ ମହିଳାଙ୍କୁ ଶାଢ଼ୀ, ପୁରୁଷମାନଙ୍କୁ ଧୋତି ଓ ଗାମୁଛା ଏବଂ ଛାତ୍ରଛାତ୍ରୀଙ୍କୁ ନୋଟବୁକ୍, ପେନ୍ ଆଦି ସାମଗ୍ରୀ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଗ୍ରାମବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଥିଲା।
ଏହି ଅବସରରେ ବିଧାୟକଙ୍କ ପତ୍ନୀ ମମତା ମାଡକାମୀ ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ଏସ୍ଡିସି ଅଧ୍ୟକ୍ଷ ଗଙ୍ଗା ସୋଡ଼ି, କାଲିମେଳା ବିଡିଓ ପ୍ରଦୀପ କର,ଭବାନୀ ଶଙ୍କର ମୁଖାର୍ଜୀ, ନିହାର ରାୟ, ରାମଚନ୍ଦ୍ର ବେଟି, ହରବିଳାସ ମଣ୍ଡଲ, ନିରଞ୍ଜନ ହାଲଦାର, ଶିଶିର ହାଲଦାର, ପ୍ରହ୍ଲାଦ ବାସୁ, ଶ୍ରୀନିବାସ ଘରାମି,ଉତ୍ତମ ଓଝା,ବିଶ୍ୱଜିତ ବାଲା, ଶ୍ୟାମଳ ବ୍ୟାପାରି ପ୍ରମୁଖ ଉପସ୍ଥିତ ଥିଲେ।
ବିଧାୟକ ଙ୍କ ଏହି ନିଆରା ଜନ୍ମଦିନ ଉତ୍ସବ ପାଳନ କୁ ମାଲକାନଗିରି ଜିଲ୍ଲାବାସୀ ପ୍ରଶଂସା କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ