



ସମ୍ବଲପୁର, ୨୨, ଏପ୍ରିଲ୍ (ହି.ସ.) - ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ରେ ଜିଲ୍ଲାସ୍ତରୀୟ ୧୪ବର୍ଷ ରୁ କମ ଅନ୍ତଃ କ୍ଲବ ମୁଖ୍ୟମନ୍ତ୍ରୀ କପ ଟୁର୍ନାମେଂଟ ଆୟୋଜିତ ହେଉଛି କ୍ଷ ଓଡିଶା ସରକାର ଙ୍କର କ୍ରୀଡା ଓ ଯୁବ ସେବା ବିଭାଗ ଓ ଜିଲ୍ଲା କ୍ରୀଡା ସଂଘ ର ମିଳିତ ଆନୁକୂଲ୍ୟରେ ରେ ଆୟୋଜିତ ଏହି ଟୁର୍ନାମେଂଟରେ ଆଜି ସକାଳେ ବାଳକ ବିଭାଗ ରେ ଅନୁଷ୍ଠିତ ହୋଇଥିବା ମ୍ୟାଚ ରେ ହୀରାକୁଦ ଆଥେଲେଟିକ ଏସୋସିଏସନ ୨-୧ଗୋଲରେ ଏମ.ସି.ସି. ଫୁଟବଲ କ୍ଲବ କୁ ପରାସ୍ତ କରିଥିବା ବେଳେ ଅପରାହ୍ନ ରେ ଆୟୋଜିତ ଦ୍ୱିତୀୟ ମ୍ୟାଚ ରେ ବ୍ଲୁ ଡାଇମଣ୍ଡ କ୍ଲବ ୫-୦ ଗୋଲରେ ଅଫତାବ କ୍ଲବ କୁ ପରାସ୍ତ କରିଥିଲା ।
ପ୍ରଥମ ମ୍ୟାଚରେ ହୀରାକୁଦ ଆଥେଲେଟିକ ଆସୋସିଏସନ ପକ୍ଷରୁ ଦିଲୀପ କୁମାର ମିର୍ଦ୍ଧା ଓ ସୁଧାଂଶୁ ସୁନା ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିବା ବେଳେ ଏମ.ସି.ସି. ଫୁଟବଲ କ୍ଲବ ପକ୍ଷରୁ ନିରଜ ଦୀପ ଗୋଟିଏ ଗୋଲ ସ୍କୋର କରିବାକୁ ସକ୍ଷମ ହୋଇଥିଲେ । ସେହିପରି ଅପରାହ୍ନ ରେ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ମ୍ୟାଚ ରେ ବ୍ଲୁ ଡାଇମଣ୍ଡ କ୍ଲବ ପକ୍ଷରୁ ଅମନ ବିଶ୍ୱାଳ ୩ ଟି, ସୟଦ ସହଯାଦ ଗୋଟିଏ ଓ ନବୀନ କୁମାର ଦୀପ ଗୋଟିଏ ଗୋଲ ସ୍କୋର କରି ବିଜୟୀ ହୋଇଥିଲେ । ଆଜିର ମ୍ୟାଚ ଗୁଡିକରେ ଅତିଥି ଭାବରେ ବରିଷ୍ଠ ଖେଳାଳି ଅକ୍ଷୟ ପ୍ରଧାନ, ସୁରେନ୍ଦ୍ର ନାୟକ, ପ୍ରେମ ରଞ୍ଜନ ପ୍ରଧାନ, ସମାଜସେବୀ ରାମଦାସ ପଣ୍ଡା, ବିଜେପି ର ବରିଷ୍ଠ ନେତା ସୂର୍ଯ୍ୟ ପାଣିଗ୍ରାହୀ, ଜିଲ୍ଲା ଓକିଲ ସଂଘ ର ସମ୍ପାଦକ ପ୍ରବୀଣ ସିଂଦେଓ, ରାଜେଶ ସେଠ, ସଂଜୀବ ସେଠ, ଜଗନ୍ନାଥ ଜେନା, ପ୍ରଦୀପ ପଣ୍ଡା, ମହମ୍ମଦ ସରିଫ, ନିରଞ୍ଜନ ମେହେର ଓ ଲକ୍ଷ୍ମଣ ନାଥ ପ୍ରମୁଖ ଯୋଗ ଦେଇ ଶିଶୁ ମାନଙ୍କୁ ସାକ୍ଷାତ କରିବା ସହ ଉତ୍ସାହିତ କରିଥିଲେ । ଏହି ମୁଖ୍ୟମନ୍ତ୍ରୀ କପ ର ଆୟୋଜନ ଦ୍ୱାରା ନୂତନ ପ୍ରତିଭା ବିକଶିତ ହେବାରେ ସହାୟକ ହେବେ ବୋଲି ଅତିଥି ମାନେ ମତ ଦେଇଥିଲେ ।
ଏହି ଟୁର୍ନାମେଂଟର ପରିଚାଳନା ଦାୟିତ୍ୱ ଜିଲ୍ଲା ଫୁଟବଲ ସମ୍ପାଦକ ଅବଦୁଲ ଗଫର, ସୁବାଷ ଚନ୍ଦ୍ର ରାଉତ, ପଦ୍ମନାଭ ନାୟକ, ମହମ୍ମଦ ଜିନ୍ଦା ଓ ମହମ୍ବଦ ବରକତ ପ୍ରମୁଖ ନେଇଥିବା ବେଳେ ମ୍ୟାଚ ଗୁଡିକୁ ପରିଚାଳନା କରିଥିଲେ ପରେଶ ପ୍ରଧାନ ,ଭାରତୀ ଓରାମ, ସୁନିତା ଓରାମ, ଅଜୟ ମାଝୀ ଓ ବିଜୟ ଓରାମ ।
ସୂଚନା ଯୋଗ୍ୟ ଯେ ଆସନ୍ତା ଏପ୍ରିଲ ୨୪ ତାରିଖ ଶୁକ୍ରବାର ଦିନ ଏହି ମୁଖ୍ୟମନ୍ତ୍ରୀ କପ ଫୁଟବଲ ପ୍ରତିଯୋଗିତା ର ଫାଇନାଲ ମ୍ୟାଚ ଅପରାହ୍ନ ୫ ଟା ସମୟରେ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ରେ ହୀରାକୁଦ ଏଥେଲେଟିକ ଏସୋସିଏସନ ବନାମ ମେହେର ଆସୋସିଏସନ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା କ୍ରୀଡା ସଂଘ ର ଫୁଟବଲ ସମ୍ପାଦକ ଅବଦୁଲ ଗଫର ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ