


ସମ୍ବଲପୁର, ୨୨, ଏପ୍ରିଲ୍ (ହି.ସ.) ଦୀର୍ଘ ମିଆଦି ସୂତ୍ରରେ ପଶ୍ଚିମ ବଙ୍ଗରେ ରହିଥିବା ତୃଣମୂଳ ସରକାର ବିରୋଧରେ ବିଜେପି ରଣହୁଙ୍କାର ଦେଇଥିବା ବେଳେ ଏବେ ରାଜ୍ୟ ଓ ବାହାର ରାଜ୍ଯରେ କାମଧନ୍ଦା କରୁଥିବା ମତଦାତାଙ୍କୁ ନିଜ ରାଜ୍ୟକୁ ନିର୍ବାଚନ ପାଇଁ ଫେରାଇ ନେବାକୁ ଏକ ଅଭିନବ ରାଜନୀତି ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ ସୀମାନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ହଜାର ହଜାର ସଂଖ୍ୟାରେ ଶ୍ରମଜୀବୀ ନିୟୋଜିତ ଥିବା ବେଳେ ସେମାନଙ୍କୁ ନିର୍ବାଚନ ପାଇଁ ଘର ବାହୁଡ଼ା କରାଇବା ପାଇଁ କିଛି ନେତାଙ୍କ ଉଦ୍ୟମ ସମ୍ବଲପୁରର କୁଚିଣ୍ଡା ଅଞ୍ଚଳରେ ପର୍ଦ୍ଦାଫାସ ହୋଇଛି । ସୂଚନାନୁଯାୟୀ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ମୂର୍ଶିଦାବାଦ ଓ ମାଲଦା ଅଞ୍ଚଳର ବହୁ ସଂଖ୍ୟାରେ ରାଜମିସ୍ତ୍ରୀ, ବଢ଼େଇ ଓ ପାଣିକଳ ମିସ୍ତ୍ରୀ କାର୍ଯ୍ୟରତ । ମାତ୍ର ଚଳିତ ବିଧାନସଭା ନିର୍ବାଚନରେ ସେମାନଙ୍କ ମତ ସାବ୍ୟସ୍ତ ଦଳପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଆଜି କୁଚିଣ୍ଡାକୁ ଆସିଥିବା ଡବ୍ଲୁବି ୧୯ ଜି ୮୪୦୭ ନମ୍ବରର ଭଲଭୋ ବସକୁ କୁଚିଣ୍ଡା ଆରଟିଓ ବିଭାଗ ଧରିଥିଲା । ଯାଞ୍ଚ୍ ବେଳେ ବସର ପରିମିଟ୍ ନଥିବା ଏପରିକି ଯାତ୍ରୀ ଓ ଜିନିଷପତ୍ରକୁ ନେଇ ଓଭରଲୋଡିଂ ଆରୋପରେ ୧୭ ହଜାର ୫ଶହ ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡିଛି । ତେବେ କେଉଁ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ ରାଜ୍ୟରୁ ମତଦାତାଙ୍କୁ ଏଭଳି ସଂଗ୍ରହ କରାଯାଉଛି ସେନେଇ କୌଣସି ସଠିକ୍ ସୂଚନା ମିଳି ପାରିନାହିଁ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ