
ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ସେକ୍ସନ ଅଫିସର ଭିଜିଲାନ୍ସ ଜାଲରେ
ଝାରସୁଗୁଡ଼ା:22 ଏପ୍ରିଲ୍ (ହି.ସ.) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ଏକ ବଡ଼ ଧରଣର ଭିଜିଲାନ୍ସ ଚଢ଼ାଉ କରାଯାଇଛି।ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସେକ୍ସନ ଅଫିସର ଅନିତ କୁମାର ଗୁରୁଙ୍କୁ ୨,୫୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଜି ଏନ ଏମ୍ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପି ଏଚ୍ ସି ଏବଂ ସି ଏଚ୍ ସି ରେ ପ୍ରାକ୍ଟିକାଲ ଟ୍ରେନିଂ ପାଇଁ ଅନୁମତି ଦେବା ନିମନ୍ତେ ଆବେଦନ ପ୍ରକ୍ରିୟା ଜାରି ରହିଥିଲା। ଏହି କାର୍ଯ୍ୟ ପାଇଁ ଶ୍ରୀ ଗୁରୁ ଜଣେ ନର୍ସିଂ ସ୍କୁଲ ଶିକ୍ଷକଙ୍କୁ ଦୀର୍ଘ ଦିନ ଧରି ହଇରାଣ କରିବା ସହ ୨,୫୦୦ ଟଙ୍କା ଲାଞ୍ଚ ଦାବି କରିଆସୁଥିଲେ। ପୂର୍ବରୁ ମଧ୍ୟ ଜିଲ୍ଲାର ଅନ୍ୟ ନର୍ସିଂ ସ୍କୁଲଗୁଡ଼ିକୁ ସମାନ ଢଙ୍ଗରେ ହଇରାଣ କରୁଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଲାଞ୍ଚ ଦାବିରେ ଅତିଷ୍ଠ ହୋଇ ସମ୍ପୃକ୍ତ ଶିକ୍ଷକ ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁଯାୟୀ, ଆଜି ଅପରାହ୍ନରେ ଶ୍ରୀ ଗୁରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା। ତାଙ୍କ ନିକଟରୁ ସମସ୍ତ ଚିହ୍ନିତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହି ଟ୍ରାପ୍ ପରେ ଭିଜିଲାନ୍ସ ପକ୍ଷରୁ ଶ୍ରୀ ଗୁରୁଙ୍କ ସହ ଜଡ଼ିତ ଦୁଇଟି ପୃଥକ ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଚଢ଼ାଉ ଜାରି ରହିଛି। ଏହି ମାମଲାରେ ରାଉରକେଲା ଭିଜିଲାନ୍ସ ଥାନାରେ କେସ୍ ନଂ ୦୨, ତା-୨୨.୦୪.୨୦୨୬, ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ, ୨୦୧୮ ର ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ ଚାଲିଥିବା ବେଳେ ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ