
ସମସେରପଦର ଗାଁ ରେ ପାନୀୟ ଜଳ ସଙ୍କଟ
ନୂଆପଡ଼ା,୨୨ ଏପ୍ରିଲ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ଗ୍ରାମ ପଞ୍ଚାୟତର ସମସେରପଦର ଗାଁ। ଗାଁରେ ପ୍ରାୟ ଦୁଇ ଶହ ପରିବାରର ପନ୍ଦର ଶହ ଲୋକ ରହନ୍ତି। ଗାଁରେ ଏବେ ପିଇବା ପାଣିର ଘୋର ସମସ୍ୟା। ଗ୍ରାମକୁ ଦେଢ଼ ବର୍ଷ ତଳେ ବସୁଧା ଯୋଜନାରେ ପାଇପ ଯୋଗେ ପାନୀୟ ଜଳର ବ୍ୟବସ୍ଥା କରା ଯାଇଥିଲା। କିନ୍ତୁ ସବୁଦିନ ପାଣି ମିଳୁ ନଥିଲା। ଏବେ ଛଅ ମାସ ହେଲା ପାଇପରୁ ପାଣି ଆସିବା ବନ୍ଦ ହୋଇ ଯାଇଛି। ଫଳରେ ଲୋକେ ପାଣି ମୁନ୍ଦିଏ ପାଇଁ ନାହିଁ ନଥିବାର ଦୁଃଖ ଭୋଗ କରୁଛନ୍ତି। ଗାଁ ରେ ତିନିଟି ନଳକୂପ ଥିବା ବେଳେ ଗୋଟିଏ ନଳକୂପରୁ ପାଣି ବାହାରୁଛି। ତାହା କିନ୍ତୁ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଇବାକୁ ଅକ୍ଷମ। ଏବେ ଖରା ମାସ ହେବାରୁ ଭୂମିତଳ ପାଣି ଶୁଖି ଯିବାରୁ ଠିକ୍ ହିସାବରେ ପାଣି ଆସୁନି। ମହିଳା ମାନେ ଦିନ ସାରା ଖରାରେ ପାଣି ଗୋଟିଏ ବାଲଟି ପାଇଁ ଅପେକ୍ଷା କରି ରହୁଛନ୍ତି। ଏନେଇ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହେଉଛି। ଶୀଘ୍ର ପାନୀୟ ଜଳର ଅଭାବ ଦୂର ନକଲେ ବ୍ଲକ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଏନେଇ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦଙ୍କୁ ପଚାରିବାରୁ ବିଭାଗୀୟ ଯନ୍ତ୍ରୀଙ୍କୁ ଗାଁକୁ ପଠାଇବେ ଓ ଶୀଘ୍ର ପାନୀୟ ଜଳର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ