
ଭୁବନେଶ୍ୱର,୨୨ ଏପ୍ରିଲ (ହି.ସ)- ଦକ୍ଷିଣ ଓଡ଼ିଶାର ସବୁଠାରୁ ବ୍ୟସ୍ତବହୁଳ ରେଳ ହବ୍ ଭାବେ ପରିଚିତ ବ୍ରହ୍ମପୁର ରେଳ ଷ୍ଟେସନ, ଯେଉଁଠାରେ ପ୍ରତିଦିନ ୧୬୨ରୁ ଅଧିକ ଟ୍ରେନ୍ ଚଳାଚଳ କରେ ଏବଂ ୨୫,୦୦୦ରୁ ଅଧିକ ଯାତ୍ରୀ ଯାତାୟାତ କରନ୍ତି, ତାହାର ଏକ ବୈପ୍ଳବିକ ପରିବର୍ତନ ହେବାକୁ ଯାଉଛି। ପୂର୍ବତଟ ରେଳପଥ ପକ୍ଷରୁ ୩୦୦ କୋଟି ଟଙ୍କାର ଏକ ବହୁମୁଖୀ ପୁନର୍ବିକାଶ ଯୋଜନାକୁ ଅନୁମୋଦନ କରାଯାଇଛି, ଯାହା ଓଡ଼ିଶାର ଏହି ଗୁରୁତ୍ୱପୂର୍ଣ୍ଣ ସହରର ଯୋଗାଯୋଗ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେବ।
ଷ୍ଟେସନରେ ୩ଟି ଅତିରିକ୍ତ ରେଳ ଲାଇନ ଏବଂ ୪ଟି ନୂଆ ପ୍ଲାଟଫର୍ମ ନିର୍ମାଣ କରାଯିବ, ଯାହାଦ୍ୱାରା ଅଧିକ ସଂଖ୍ୟକ ଟ୍ରେନ୍ ଚଳାଚଳ ସହଜ ହୋଇପାରିବ। ଏହା ସହିତ ଦ୍ୱିତୀୟ ପ୍ରବେଶ ପାର୍ଶ୍ୱରେ ଏକ ନୂତନ ଷ୍ଟେସନ ବିଲ୍ଡିଂ ଏବଂ ୟାର୍ଡର ଆଧୁନିକୀକରଣ କରାଯିବ। ସେବା ଭବନ ଏବଂ ରେଳ କ୍ୱାର୍ଟର୍ସଗୁଡ଼ିକୁ ସ୍ଥାନାନ୍ତର କରାଯାଇ ଯାତ୍ରୀମାନଙ୍କ ପାଇଁ ଅଧିକ ଖୋଲା ସ୍ଥାନର ବ୍ୟବସ୍ଥା କରାଯାଉଛି।
ଏହି ଯୋଜନାରେ ଯାତ୍ରୀମାନଙ୍କ ଯାତାୟାତ ପାଇଁ ଏକ ସମନ୍ୱିତ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି, ଯାହା ଷ୍ଟେସନର ଉଭୟ ପାର୍ଶ୍ୱ ଏବଂ ସମସ୍ତ ପ୍ଲାଟଫର୍ମକୁ ସହଜରେ ଯୋଡ଼ିବ। ପାରମ୍ପରିକ ବ୍ୟବସ୍ଥା ବଦଳରେ ଏକ ଏଲିଭେଟେଡ୍ ଷ୍ଟ୍ରକଚର ନିର୍ମାଣ କରାଯିବ। ଏହା ସହିତ ବର୍ତମାନର ଫୁଟ୍ ଓଭର ବ୍ରିଜ୍ ର ସମ୍ପ୍ରସାରଣ କରାଯିବ।
ବ୍ରହ୍ମପୁର ଷ୍ଟେସନରେ ପର୍ଯ୍ୟାପ୍ତ ସଂଖ୍ୟକ ଲିଫ୍ଟ ଏବଂ ଏସ୍କାଲେଟର ସ୍ଥାପନ କରାଯିବ। ଦିବ୍ୟାଙ୍ଗ ଅନୁକୂଳ ଭିତିଭୂମି, ଟ୍ୟାକ୍ଟାଇଲ୍ ପାଥୱେ ବା ସ୍ପର୍ଶକାତର ରାସ୍ତା ଏବଂ ବାଧାମୁକ୍ତ ଯାତାୟାତର ବ୍ୟବସ୍ଥା କରାଯିବ।
ଷ୍ଟେସନରେ ଭିଡ଼ ହ୍ରାସ କରିବା ପାଇଁ ଉଭୟ ପାର୍ଶ୍ୱରେ ବିକଶିତ ସର୍କୁଲେଟିଂ ଏରିଆ ନିର୍ମାଣ କରାଯାଉଛି। ମୁଖ୍ୟ ପ୍ରବେଶ ପାର୍ଶ୍ୱରେ ରାସ୍ତା ପ୍ରଶସ୍ତୀକରଣ, ଫୁଟପାଥ୍, ଡ୍ରେନେଜ୍ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହୋଇଛି। ଦ୍ୱିତୀୟ ପ୍ରବେଶ ପାର୍ଶ୍ୱର ବିକାଶ କାର୍ଯ୍ୟ ଜାରି ରହିଛି, ଯାହା ସହରବାସୀଙ୍କ ପାଇଁ ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ବିକଳ୍ପ ପ୍ରବେଶ ପଥ ପ୍ରଦାନ କରିବ।
ପ୍ଲାଟଫର୍ମଗୁଡ଼ିକର ଚଟାଣ ଏବଂ ସେଡ୍ ର ନବୀକରଣ ସହ ବର୍ଷା ଓ ଖରା ସମୟରେ ଯାତ୍ରୀଙ୍କ ସୁରକ୍ଷା ପାଇଁ କଭର ସେଡ୍ ର ସମ୍ପ୍ରସାରଣ କରାଯାଉଛି। ଟ୍ରେନ୍ ଗୁଡ଼ିକରେ ଶୀଘ୍ର ଜଳ ଯୋଗାଣ ପାଇଁ ‘କୁଇକ୍ ୱାଟରିଂ ସିଷ୍ଟମ’ ସ୍ଥାପନ କରାଯିବ, ଯାହାଦ୍ୱାରା ବଗିଗୁଡ଼ିକରେ ଅତି ଦ୍ରୁତ ଓ ଦକ୍ଷତାର ସହ ପାଣି ଭର୍ତି କରାଯାଇପାରିବ। ଏହା ଏକ ପ୍ରମୁଖ ପରିଚାଳନାଗତ ଉନ୍ନତି, ଯାହା ଟ୍ରେନର ‘ଟର୍ଣ୍ଣାଉରାଉଣ୍ଡ’ ସମୟ (ଷ୍ଟେସନରେ ରହିବା ସମୟ) କୁ ହ୍ରାସ କରିବ ଏବଂ ଶୀଘ୍ର ଟ୍ରେନ୍ ଛାଡ଼ିବାରେ ସହାୟକ ହେବ ଏବଂ ଟ୍ରେନ୍ ଛାଡ଼ିବାର ସମୟ ବଞ୍ଚିପାରିବ।
ସୁରକ୍ଷା ଓ ସୁବିଧା ପାଇଁ ଏଠାରେ ଅତ୍ୟାଧୁନିକ ବ୍ୟବସ୍ଥା ରହିବ ଯେପରିକି ସିସିଟିଭି ନିରୀକ୍ଷଣ , ପ୍ରବେଶ ନିୟନ୍ତ୍ରଣ ବ୍ୟବସ୍ଥା ଏବଂ ବ୍ୟାଗେଜ୍ ସ୍କାନର, ଉନ୍ନତ ଯାତ୍ରୀ ସୂଚନା ପ୍ରଣାଳୀ ଏବଂ ସିଗନାଲିଂ ବ୍ୟବସ୍ଥା ସହିତ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ବହୁଭାଷୀ ସୂଚନା ଫଳକ ଇତ୍ୟାଦି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା