ଜନ ଗଣନାକାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ୍ କମିଶନରଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର,୨୨ ଏପ୍ରିଲ (ହି.ସ)- ପ୍ରଥମ ପର୍ଯ୍ୟାୟ ଜନଗଣନା ପରିପ୍ରେକ୍ଷୀରେ ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଶ୍ରୀ ପୂ
census


ଭୁବନେଶ୍ୱର,୨୨ ଏପ୍ରିଲ (ହି.ସ)- ପ୍ରଥମ ପର୍ଯ୍ୟାୟ ଜନଗଣନା ପରିପ୍ରେକ୍ଷୀରେ ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଶ୍ରୀ ପୂଜାରୀ ଜନଗଣନା କାର୍ଯ୍ୟରେ ନିୟୋଜିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ପ୍ରତି ରାଜ୍ୟରେ ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ୧୬ ଏପ୍ରିଲ ୨୦୨୬ରୁ ୧୫ ମଇ ୨୦୨୬ ପର୍ଯ୍ୟନ୍ତ ଆବାସ ଗଣନା ଚାଲୁରହିଛି । ଏହି ପରିପ୍ରେକ୍ଷୀରେ ଜନଗଣନାରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନେ ଘରକୁ ଘର ବୁଲି ଘରର ଅବସ୍ଥା, ପାରିବାରିକ ସୁବିଧା ଏବଂ ପରିବାର ସମ୍ବନ୍ଧିତ ବିଭିନ୍ନ ତଥ୍ୟ ସଂଗ୍ରହ କରୁଛନ୍ତି। ତେବେ,ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମ୍ନାକୁ ଆସିଥିବା କିଛି ଘଟଣା ସମ୍ପର୍କରେ ରାଜ୍ୟସରକାର ଚିନ୍ତାପ୍ରକଟ କରିବା ସହ ବିହିତ ପଦକ୍ଷେପ ଗ୍ରହଣ ନିମନ୍ତେ ସଜାଗ ରହିଛନ୍ତି । ଏ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ସମସ୍ତ ପ୍ରମୁଖ ଜନଗଣନା ଅଧିକାରୀ ତଥା ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ୍ ଅଫିସରମାନଙ୍କୁ ଚିଠି ଲେଖିଛନ୍ତି । ବିଶେଷ ଭାବେ ଗ୍ରୀଷ୍ମପ୍ରବାହ ତଥା ପ୍ରଚଣ୍ଡ ତାତିଜନିତ ସମସ୍ୟାର ମୁକାବିଲା, କାର୍ଯ୍ୟ ସମୟରେ ରହିଥିବା ବିଭିନ୍ନ ବିପଦ ଗୁଡ଼ିକୁ ଚିହ୍ନଟ କରିବା ସହ ଜନଗଣନାକାରୀଙ୍କୁ ନିୟମିତ ଭାବେ ଟ୍ରାକ୍ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଏହାବ୍ୟତୀତ ଜନଗଣନା କାର୍ଯ୍ୟରେ ନିୟୋଜିତ ସମସ୍ତ ଗଣନାକାରୀଙ୍କୁ ସେମାନଙ୍କ ସୁରକ୍ଷା ସମ୍ୱନ୍ଧରେ ସଚେତନ କରାଇବା ପାଇଁ ପରାମର୍ଶ ଦିଆଯାଇଛି ; ଯାହା ଫଳରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସୁରୁଖୁରୁରେ ଏବଂ ନିର୍ଭୁଲ ଭାବେ ତଥ୍ୟ ସଂଗ୍ରହ କାର୍ଯ୍ୟ ସମ୍ପନ୍ନ ହୋଇପାରିବ ।

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅଧିକାରୀମାନେ ଜନଗଣନା କରିବେ ନାହିଁ । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଜନଗଣନା କାର୍ଯ୍ୟ ସ୍ଥଗିତ ରଖିବା ନିମନ୍ତେ ରାଜସ୍ୱ ମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜନଗଣନାକାରୀଙ୍କ ପ୍ରାଥମିକ ଆବଶ୍ୟକତା ତଦାରଖ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ସହ ସେମାନଙ୍କ ସୁରକ୍ଷା ପାଇଁ ଏସଓପି ଜାରି କରି ଗୃହ ବିଭାଗ ସହ ଆଲୋଚନା କରି ପୋଲିସ ପ୍ରଶାସନକୁ ଦାୟିତ୍ୱ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜନଗଣନା କାର୍ଯ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ମୁଖ୍ୟତଃ ନିୟୋଜିତ ହୋଇଥିବାରୁ ବିଦ୍ୟାଳୟରେ ଶିଶୁମାନଙ୍କ ପାଠପଢ଼ା ଏବଂ ମଧ୍ୟାହ୍ନ ଭୋଜନରେ ବ୍ୟାଘାତ ନ ହେବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ଖରାଛୁଟି ସମୟରେ ଅନଲାଇନ୍ ଶିକ୍ଷାଦାନ ବ୍ୟବସ୍ଥା ନିମନ୍ତେ ଆଲୋଚନା କରାଯାଇଛି। ଜନଗଣନା କାର୍ଯ୍ୟରେ ମୃତାହତ ଘଟଣାରେ ଆବଶ୍ୟକସ୍ଥଳେ ବିପର୍ଯ୍ୟୟ ପରିଚାଳନା ପାଣ୍ଠି କିମ୍ବା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଅଥବା ରେଡକ୍ରସ୍ ପାଣ୍ଠିରୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ଏବଂ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ ଉପସ୍ଥିତ ଥିଲେ।

..............

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande