
କୋଲକାତା, ୨୩ ଅପ୍ରେଲ (ହି.ସ.)- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ ର ପ୍ରଥମ ପର୍ଯ୍ୟାୟ ମତଦାନ ମଧ୍ୟରେ ମୁର୍ଶିଦାବାଦ ଜିଲ୍ଲାର ଡୋମକଲ ଅଂଚଳରେ ସିପିଆଇ (ଏମ୍) ଏବଂ ତୃଣମୂଳ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ଉତେଜନା ଏବଂ ସଂଘର୍ଷର ଏକ ଘଟଣା ରିପୋର୍ଟ ହୋଇଛି । ଏହି ମାମଲାକୁ ଗମ୍ଭୀରତାର ସହ ନେଇ ନିର୍ବାଚନ ଆୟୋଗ ସମ୍ପୃକ୍ତ ପ୍ରଶାସନିକ କର୍ତୃପକ୍ଷଙ୍କ ଠାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ ମାଗିଛନ୍ତି ।
ବୁଧବାର ରାତିରୁ ଡୋମକଲ ଅଂଚଳରେ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ବିବାଦ ଏବଂ ସଂଘର୍ଷ ହୋଇଥିଲା । ଗୁରୁବାର ସକାଳେ ରାୟପୁର ଅଂଚଳରେ ସିପିଆଇ (ଏମ୍) ସମର୍ଥକମାନଙ୍କୁ ମତଦାନରୁ ବାରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ତୃଣମୂଳ କଂଗ୍ରେସ କର୍ମୀଙ୍କ ନାମ ରହିଛି । ସ୍ଥାନୀୟ ଲୋକମାନେ ମଧ୍ୟ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରୀୟ ବାହିନୀ ପ୍ରାରମ୍ଭରେ ନିଷ୍କ୍ରିୟ ରହିଥିଲେ ଏବଂ ରାଜ୍ୟ ପୋଲିସ ପକ୍ଷରୁ ମଧ୍ୟ ତୁରନ୍ତ କୌଣସି ସହାୟତା ମିଳିନଥିଲା । ତେବେ ପରେ ପରିସ୍ଥିତି ଖରାପ ହେବା ଖବର ପାଇବା ମାତ୍ରେ ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଘଟଣାସ୍ଥଳକୁ ଧାଇଁ ଯାଇଥିଲେ ।
ସୂଚନା ଦିଆଯାଇଛି ଯେ, ସୁରକ୍ଷା ବାହିନୀ ମାଇକ ମାଧ୍ୟମରେ ଲୋକଙ୍କୁ ଆଶ୍ୱସ୍ତ କରିଥିଲେ ଏବଂ ନିର୍ଭୀକ ଭାବରେ ଭୋଟ୍ ଦେବାକୁ ଭୋଟରମାନଙ୍କୁ ନିବେଦନ କରିଥିଲେ । ଏହାପରେ କେନ୍ଦ୍ରୀୟ ବଳର ସୁରକ୍ଷାରେ ବାମପନ୍ଥୀ ସମର୍ଥକ ଭୋଟରମାନେ ମତଦାନ କେନ୍ଦ୍ରରେ ପହଂଚି ମତଦାନ କରିଥିଲେ । ଏହି ଘଟଣା ଉପରେ ତୃଣମୂଳ କଂଗ୍ରେସ ପକ୍ଷରୁ ତୁରନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ ।
ମତଦାନ ବୁଥ ନମ୍ବର ୨୧୭ ଯେଉଁଠି ସିପିଆଇ (ଏମ୍) ସମର୍ଥକମାନଙ୍କୁ ଭୋଟ୍ ଦେବାରୁ ରୋକିବାର ଅଭିଯୋଗ ଆସିଥିଲା ସେଠାରେ ମହକୁମା ପୋଲିସ୍ ଅଧିକାରୀ ଶୁଭମ୍ ବଜାଜ୍ ପହଂଚିଥିଲେ ଏବଂ ସ୍ଥିତିର ଅନୁଧ୍ୟାନ କରିଥିଲେ । କେନ୍ଦ୍ରୀୟ ବାହିନୀର ନିଷ୍କ୍ରିୟତାର ଅଭିଯୋଗକୁ ସେ ଅସ୍ୱୀକାର କରିଥିଲେ । ପରେ ହୁମାୟୁନ କବୀର ମଧ୍ୟ ଉକ୍ତ ମତଦାନ କେନ୍ଦ୍ରରେ ପହଂଚିଥିଲେ । ଏହି ସମୟରେ କିଛି ଭୋଟର ତାଙ୍କୁ ଘେରି ରହିଥିଲେ, ପ୍ରତିବାଦ କରିଥିଲେ ଏବଂ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
ପ୍ରଥମ ପର୍ଯ୍ୟାୟ ମତଦାନ ମଧ୍ୟରେ ଡୋମକଲ୍ ଘଟଣା ନିର୍ବାଚନ ବାତାବରଣକୁ ଉଷ୍ମ କରିଦେଇଛି । ନିର୍ବାଚନ ଆୟୋଗ ଏ ପ୍ରସଙ୍ଗରେ ଏକ ବିସ୍ତୃତ ରିପୋର୍ଟ ମାଗିଛନ୍ତି ଏବଂ ନିରପେକ୍ଷ ମତଦାନ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ