
ନୂଆଦିଲ୍ଲୀ, 27 ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର
ପୂର୍ବୋତ୍ତର ରାଜ୍ୟ ସିକ୍କିମର ଦୁଇଦିନିଆ ଗସ୍ତ ଆଜିରୁ ଆରମ୍ଭ ହେଉଛି। ସେ ସିକ୍କିମ ଗସ୍ତ
ସମାପ୍ତ କରି ମଙ୍ଗଳବାର ସନ୍ଧ୍ୟାରେ ଦୁଇଦିନିଆ ଗସ୍ତ ପାଇଁ ଉତ୍ତର ପ୍ରଦେଶର ବାରାଣସୀ
ପହଞ୍ଚିବେ। ପ୍ରଧାନମନ୍ତ୍ରୀ ସିକ୍କିମରେ 4,000 କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ
ଉଦ୍ଘାଟନ କରିବେ। ସେ ନିଜ ସାଂସଦୀୟ କ୍ଷେତ୍ର ବାରାଣସୀରେ 6,350 କୋଟି ଟଙ୍କାରୁ ଅଧିକ ବିକାଶ
ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ମଧ୍ୟ କରିବେ। ଏହି ସୂଚନା ପ୍ରଧାନମନ୍ତ୍ରୀଙ୍କ ସିକ୍କିମ ଗସ୍ତ
ଆରମ୍ଭ ହେବାର ପୂର୍ବସନ୍ଧ୍ୟାରେ ଜାରି ହୋଇଥିବା ସରକାରୀ ବିଜ୍ଞପ୍ତିରେ ଦିଆଯାଇଛି।
ବିଜ୍ଞପ୍ତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ୱିପ୍ରହର ପ୍ରାୟ 3ଟାରେ ଗ୍ୟାଙ୍ଗଟକ
ପହଞ୍ଚିବେ। 28 ଏପ୍ରିଲ ସକାଳ ପ୍ରାୟ 9:30ରେ ପ୍ରଧାନମନ୍ତ୍ରୀ ଗ୍ୟାଙ୍ଗଟକର ଅର୍କିଡେରିୟମ୍କୁ
ଦର୍ଶନ କରିବେ। ରାଜ୍ୟର ପରିବେଶ ଓ ପୁଷ୍ପ ଐତିହ୍ୟକୁ ପ୍ରଦର୍ଶନ କରିବା ପାଇଁ ସ୍ୱର୍ଣ୍ଣଜୟନ୍ତୀ
ମୈତ୍ରୀ ମଞ୍ଜରୀ ପାର୍କକୁ ଆଧୁନିକ ସୁବିଧା ସହିତ ବିଶ୍ୱସ୍ତରୀୟ ଅର୍କିଡ୍ ଅନୁଭବ କେନ୍ଦ୍ର ଭାବେ
ବିକଶିତ କରାଯାଇଛି।
ତାପରେ, ସକାଳ ପ୍ରାୟ 10ଟାରେ ପ୍ରଧାନମନ୍ତ୍ରୀ ପାଲଜୋର ଷ୍ଟେଡିଅମ୍ରେ
ସିକ୍କିମର ରାଜ୍ୟ ସ୍ଥାପନାର 50ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସମାପନୀ ଅନୁଷ୍ଠାନରେ
ଅଂଶଗ୍ରହଣ କରିବେ। ସେଠାରେ ସେ ରାଜ୍ୟରେ 4,000 କୋଟି ଟଙ୍କାରୁ ଅଧିକ ବିଭିନ୍ନ ବିକାଶ
ପ୍ରକଳ୍ପର ଉଦ୍ଘାଟନ, ଶୁଭାରମ୍ଭ ଓ
ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ସଭାକୁ ସମ୍ବୋଧନ ମଧ୍ୟ କରିବେ। ଏହି
ପ୍ରକଳ୍ପଗୁଡ଼ିକ ଢାଞ୍ଚାଗତ ବିକାଶ, ସଂଯୋଗ, ସ୍ୱାସ୍ଥ୍ୟସେବା, ଶିକ୍ଷା, ବିଦ୍ୟୁତ, ସହରୀୟ ବିକାଶ, ପରିବେଶ, ପର୍ଯ୍ୟଟନ ଓ କୃଷି ସହିତ ଅନେକ କ୍ଷେତ୍ରକୁ ଆବର୍ତ୍ତ କରେ ଏବଂ
ସିକ୍କିମର ସମଗ୍ର ଓ ସମାବେଶୀ ବିକାଶକୁ ଗତି ଦେବା ଏହାର ଉଦ୍ଦେଶ୍ୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା