
ପଟ୍ଟାମୁଣ୍ଡାଇ, ୩ ଅପ୍ରେଲ (ହି.ସ.)- ଗତକାଲି ଠୁ ନିଖୋଜ ଥିବା ୭ ବର୍ଷର ଝିଅ ଶୁଭଲକ୍ଷ୍ମୀର ମୃତଦେହ ଉଦ୍ଧାର ହୋଇଛି । ପଟ୍ଟାମୁଣ୍ଡାଇ ମାଳିପୁର ଗାଁ ର ମାନ ଗୋବିନ୍ଦ ସେନାପତିଙ୍କ ଝିଅ ଶୁଭଲକ୍ଷ୍ମୀ ମାମୁଁ ଘର ଗାଁ ରାଜନଗର ବ୍ଲକ ବଡକୋହ୍ଲା ଗାଁ ରେ ନିଖୋଜ ଥିଲେ । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ ଦେବା ପରେ ଆଜି ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଂଚି ନିଖୋଜ ଥିବା ଝିଅକୁ ଖୋଜା ଖୋଜି ଆରମ୍ଭ କରିଥିଲେ । ଏହି ସମୟରେ ବ୍ରାହ୍ମଣୀର ଶାଖା କେନାଲରେ ଝିଅର ମୃତଦେହ ଭାସିଯାଉଥିବାର ଦେଖିବାକୁ ମିଳିଥିଲା । ଅଗ୍ନିଶମ ବାହିନୀ ମୃତଦେହକୁ ଉଦ୍ଧାର କରିଛି । ଶବ ବ୍ୟବଚ୍ଛେଦ ପରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ରାଜନଗର ଥାନା ଅଧିକାରୀ କହିଛନ୍ତି । ଘଟଣାସ୍ଥଳରେ ସାଇଂଟିଫିକ୍ ଟିମ୍ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛି ।
ରାଜନଗର ନାବାଳିକା ମୃତ୍ୟୁର ତଦନ୍ତ ପାଇଁ ବଡକୋହ୍ଲା ଗାଁ ରେ ପହଁଚିଛନ୍ତି କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟାରିଆ । ସାଇଂଟିଫିକ ଟିମ୍ ଓ ଡଗ ସ୍କ୍ୱାର୍ଡ ସହିତ ଏସପିଙ୍କ ମିଳିତ ତଦନ୍ତ ଆରମ୍ଭ ହୋଇଛି । ତେବେ ଏହା ହତ୍ୟା ନା ଦୁର୍ଘଟଣା ତା’ର ଖିଅ ଖୋଜୁଛି ପୋଲିସ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ