
କେନ୍ଦ୍ରାପଡା, ୩ ଅପ୍ରେଲ (ହି.ସ.)- ଯୌଥ ପାରିବାରିକ ବ୍ୟବସ୍ଥା ବଦଳରେ ଏକକ ପରିବାରର ଆଦୃତି ଓ ଏହା ସହିତ କରୋନା ମହାମାରୀକାଳୀନ ସାମାଜିକ ବିଛିନ୍ନତା ପ୍ରଭୃତି ସମ୍ପ୍ରତି ଅଟିଜିମ ପରି ଏକ ସ୍ନାୟୁବିକାଶଗତ ବିଶୃଙ୍ଖଳତା ଦ୍ୱାରା ଶିଶୁମାନେ ବହୁଳ ଭାବରେ ଆକ୍ରାନ୍ତ ହେଉଛନ୍ତି। ସେଥିପାଇଁ ଏହିପରି ଏକ ବିକାଶଗତ ବିଲକ୍ଷଣ ଥିବା ଅଟିଜିମ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଏପ୍ରିଲ ୨ ତାରିଖକୁ ବିଶ୍ୱ ଅଟିଜିମ ସଚେତନତା ଦିବସରୂପେ ପାଳନ କରାଯାଇ ଆସୁଅଛି। ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଦେଢ଼ ଦଶନ୍ଧିରୁ ଉର୍ଦ୍ଧ୍ବକାଳ ଥେରାପି ଚିକିତ୍ସା ଯୋଗାଇଅସୁଥୁବା ପୁନର୍ବାସ ଅନୁଷ୍ଠାନ ପକ୍ଷରୁ ଏକ ସଚେତନତା ଦିବସ ପାଳନ କରାଯାଇଛି। ସ୍ଥାନୀୟ ତୁଳସୀ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଯୁକ୍ତତିନି,୨ୟ ବର୍ଷର ଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ବରିଷ୍ଠ ଅକ୍ୟୁପେସାନାଲ ଥେରାପିଷ୍ଟ ଗୁଞ୍ଜନସ୍ମିତା ବେହେରା ଅଟିଜିମ୍ ସଚେତନତା ଦିବସର ଚଳିତ ବର୍ଷର ତାତ୍ପର୍ଯ୍ୟକୁ ଉପସ୍ଥାପିତ କରିଥିଲେ।
ଅନୁଷ୍ଠାନ ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଂଚାଳନରେ ଅତିଥିରୂପେ ଉକ୍ତ ମହାବିଦ୍ୟାଳୟର ଓଡ଼ିଆ ବିଭାଗୀୟ ମୁଖ୍ୟ ଡଃ. ଏଲୋରା କବି, ଅଧ୍ୟାପକ ଡଃ. ଆଶୁତୋଷ ରାଉତ ଓ ଅଧ୍ୟାପିକା ଡଃ. ଝରଣା ସାହୁ ପ୍ରମୁଖ ଅଂଶଗ୍ରହଣ କରି ସଚେତନତା ମାଧ୍ୟମରେ ରୋଗର ବିସ୍ତାରକୁ ରୋକାଯାଇପାରେ ପାରେ ବୋଲି ମତପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସଂଜୀବ କୁମାର ଜେନା, ପର୍ଶୁରାମ ତ୍ରିପାଠୀ ଓ ଧରଣୀଧର ସେଠି ପ୍ରମୁଖ ଷ୍ଟାଫ୍ ପରିଚାଳନାରେ ସହାୟତା କରିଥିବା ବେଳେ ପରିଶେଷରେ ସହ ସମ୍ପାଦକ ବଂଶୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି