
ଭଦ୍ରକ, ୩୦ ଅପ୍ରେଲ (ହି.ସ.) - ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ଉତ୍ସବ ଆସନ୍ତା ଜୁନ୍ ୧୯ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ବୈଶାଖମାସ ଶୁକ୍ଳପକ୍ଷ ନୃସିଂହ ଚତୁର୍ଦ୍ଦଶୀରେ ଅବସରରେ ବରପିତା ଓ କନ୍ୟାପିତା ଚୟନ ପ୍ରକ୍ରିୟା କାର୍ଯ୍ୟ ସମାପନ ହୋଇଛି। ଚଳିତବର୍ଷ ବରପିତା ଭାବେ ସେବାୟତ ମନୋରଞ୍ଜନ ପାଢୀ ଓ ତାଙ୍କ ଦାତା ଚୟନ ହୋଇଥିବା ବେଳେ କନ୍ୟାପିତା ଭାବେ ସେବାୟତ ବିଚିତ୍ର ପାଢୀ ଓ ତାଙ୍କ ଦାତା ସୈଭାଗ୍ୟ ପ୍ରାପ୍ତ ଲାଭ କରିଛନ୍ତି। ଶୁକ୍ରବାର ପବିତ୍ର ଚନ୍ଦନ ପୂର୍ଣ୍ଣିମା ଅବସରରେ ଲଗ୍ନ ଚିଟାଉ ଥାଳ ଉଠା ନୀତି ନିମନ୍ତେ ଉଭୟ ବରପିତା ଓ କନ୍ୟାପିତାଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଲଗ୍ନଥାଳ ଶୋଭାଯାତ୍ରାରେ ସାମିଲି ହେବାକୁ ଥିବା ସଙ୍କିର୍ତନ ମଣ୍ଡଳୀଙ୍କ ସହ ତେଲିଙ୍ଗି ବାଦ୍ୟ ଦୁଲୁଦୁଲି ବାଦ୍ୟ ଆଦି ବାଜା ବାଣ ରୋଷଣୀ ଦଳକୁ ବଇନା ଦିଆଯାଇଛି। ଲଗ୍ନ ଚିଟାଉ ନିମନ୍ତେ ବରପିତାଙ୍କ ସ୍ୱଗୃହରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ଆରଡି ପୀଠ ନଗରୀ ପରିକ୍ରମା କରିବା ପରେ କନ୍ୟାପିତାଙ୍କ ଘରେ ବ୍ରାହ୍ମଣ ଜ୍ୟୋତିଷଙ୍କ ଦ୍ୱାରା ଲଗ୍ନ ଚିଟାଉ ଲେଖା ହେବା ପରେ ଦେବଦମ୍ପତିଙ୍କ ବିବାହ ପାଇଁ ଦିନ ସମୟ ନୀର୍ଘଂଟ କରାଯିବ। ଦେବଦମ୍ପତିଙ୍କର ବିବାହ କାର୍ଯ୍ୟ ବୈଦିକ ରୀତିନୀତି ଓ ଲୋକାଚାରରେ ହେଉଥିବାରୁ ଦେବ-ଦାନବ-ମାନବ ଏହି ବିବାହ କାର୍ଯ୍ୟରେ ସାମିଲ ହୋଇଥାନ୍ତି ବୋଲି ମନ୍ଦିରର ବରିଷ୍ଠ ସେବାୟତମାନେ କହିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ