
ଜିଲ୍ଲା ଓ ବ୍ଲକ ସ୍ତରରେ ମଶାଲ ଶୋଭାଯାତ୍ରା ଆୟୋଜିତ ହେବ :ଭକ୍ତ
ଭୁବନେଶ୍ୱର, ୩୦ ଏପ୍ରିଲ (ହି.ସ.)- ବିଜେପି ନେତୃତ୍ୱାଧୀନ ଡବଲ ଇଞ୍ଜିନ ସରକାରର ମହିଳା-ବିରୋଧୀ ଆଭିମୁଖ୍ୟ ବିରୁଦ୍ଧରେ ରାଜ୍ୟବ୍ୟାପି ଆନ୍ଦୋଳନ ହେବ । ଉଭୟ ସଂସଦ ଓ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ମହିଳା ସଂରକ୍ଷଣ ପ୍ରସଙ୍ଗରେ ବିଜେପି ବିଭ୍ରାନ୍ତି ସୃଷ୍ଟି କରୁଥିବାରୁ ଏହା ବିରୋଧରେ ମେ ମାସ ପ୍ରଥମ ସପ୍ତାହରେ ରାଜ୍ୟବ୍ୟାପୀ ମହିଳାମାନେ ଆନ୍ଦୋଳନ କରିବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ଗୁରୁବାର ଅପରାହ୍ନରେ ଲୋୟର ପିଏମ୍ ଜି ଠାରେ ଆୟୋଜିତ ଏକ ବିଶାଳ ମହିଳା ସମାବେଶରେ ଉଦ୍ ବୋଧନ ଦେଇ ଶ୍ରୀ ଦାସ କହିଛନ୍ତି, ଆସନ୍ତା ୩ ଓ ୪ ତାରିଖ ସଂନ୍ଧ୍ୟାରେ ପ୍ରତି ଜିଲ୍ଲା କଂଗ୍ରେସ କମିଟିର ତତ୍ୱାବଧାନରେ ମହିଳା କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା ଆୟୋଜିତ ହେବ । ସେହିପରି ଆସନ୍ତା ୭ ଓ ୮ ତାରିଖରେ ଏହି ମଶାଲ ଶୋଭାଯାତ୍ରା ବ୍ଲକ ସ୍ତରରେ ଆୟୋଜିତ ହେବ ବୋଲି ଶ୍ରୀ ଦାସ ଘୋଷଣା କରିଛନ୍ତି । ମହିଳାମାନଙ୍କୁ ପ୍ରତାରଣା କରିବାର ମନବୃତି ଛାଡି ସରକାର ତୁରନ୍ତ ୨୦୨୩ରେ ସଂସଦରେ ସର୍ବସମ୍ମତ କ୍ରମେ ପାରିତ ହୋଇଥିବା ମହିଳା ସଂରକ୍ଷଣ ଆଇନକୁ କାର୍ଯ୍ୟକାରୀ କରନ୍ତୁ; ନଚେତ୍ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ସେ ଚେତାବନୀ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଯୋଗଦେଇ ଏଆଇସିସିର ଓଡ଼ିଶା ସହ ପ୍ରଭାବରୀ ଜେ.ଟି. କୁସୁମ କୁମାର କହିଲେ, କଂଗ୍ରେସର ୧୪୧ ବର୍ଷ ଇତିହାସରେ ୫୦ ବର୍ଷରୁ ଉର୍ଦ୍ଧ୍ୱକାଳ ମହିଳା ସଭାପତି ଦଳର ନେତୃତ୍ୱ ନେଇଥିବାବେଳେ ୪୬ ବର୍ଷର ବିଜେପି ଇତିହାସରେ ସେମାନେ ଜଣେ ବି ମହିଳାଙ୍କୁ ଦଳର ନେତୃତ୍ୱ ନେବାର ସୁଯୋଗ ଦେଇନାହାନ୍ତି । ଓଲଟା ବିଜେପି କଂଗ୍ରେସକୁ ମହିଳା ବିରୋଧୀ କହିବା ହାସ୍ୟାସ୍ପଦ ବୋଲି ସେ ମତ ଦେଇଥିଲେ ।
ସୂଚନାଯୋଗ୍ୟ, ୩୩ ପ୍ରତିଶତ ମହିଳା ସଂରକ୍ଷଣ ଆଇନ ତୁରନ୍ତ ଲାଗୁ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଓଡ଼ିଶା ବିଧାନସଭାରେ ଏକଥା ଚର୍ଚ୍ଚା ହେଲା । ବିଜେପି ମହିଳା ସଂରକ୍ଷଣକୁ ନେଇ ଏବେ ଡ୍ରାମା କରୁଛି । ଅପପ୍ରଚାର କରୁଛି ଯେ କଂଗ୍ରେସ ମହିଳା ସଂରକ୍ଷଣ ଆଇନ ଲାଗୁ ହେବାରେ ବାଧକ ସାଜିଲା । ୨୦୨୩ ମସିହାରେ ଯେତେବେଳେ ସଂସଦରେ ଏହି ବିଲ ଆସିଲା କଂଗ୍ରେସ ସମେତ ସମସ୍ତ ଅଣ ବିଜେପି ଦଳ ଏହି ବିଲକୁ ସମର୍ଥନ କଲେ । ବିଲ୍ ଆଇନରେ ପରିଣତ ହେଲା । ମାତ୍ର ଏହି ଆଇନକୁ କ’ଣ ପାଇଁ ୨୦୨୪ ସାଧାରଣ ନିର୍ବଚନରେ ମୋଦି ସରକାର ଲାଗୁ କଲା ନାହିଁ ତା’ର ଜବାବ ରଖନ୍ତୁ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ମହିଳା କଂଗ୍ରେସ ଓଡ଼ିଶା ପ୍ରଭାରୀ ତୁଲୀକା କର୍ମା, ମହିଳା କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦିକା ରୀତା ପଣ୍ଡା ପ୍ରମୁଖ କହିଥିଲେ ।
ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବିଶାଳ ସମାବେଶ ଓ ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ମଧୁମିତା ପଣ୍ଡା ସେଠୀ ଉଦ୍ଘୋଷିକା ଦାୟିତ୍ୱ ନିର୍ବାହ କରିଥିଲେ ।
ପିସିସି ମୁଖପାତ୍ର ସୋନାଲୀ ସାହୁ, କଂଗ୍ରେସ ନେତ୍ରୀ ସୁନିତା ବିଶ୍ୱାଳ, ଅନିତା ବିଶ୍ୱାଳ ଓ ପିସିସି ମୁଖପାତ୍ର ଜୟଶ୍ରୀ ପାତ୍ର, ଡ. ମନୀଷାଦାସ ପଟ୍ଟନାୟକ, ବାଲେଶ୍ୱର ସଭାନେତ୍ରୀ ଉର୍ମିଳା ମାଝୀ ଉଦ୍?ବୋଧନ ଦେଇଥିଲେ ଓ ମଞ୍ଚାସୀନ ଥିଲେ ଜୟସ୍ମିତା ମହାନ୍ତି, ଅମିଷା ସାମନ୍ତରାୟ ।
ନିଜ ଭାଷଣରେ ନେତ୍ରୀଗଣ ବିଜେପିର ମହିଳା ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ସଭା ଶେଷରେ ପୁଲିସର ପ୍ରତିରୋଧ ସତ୍ତ୍ୱେ ଶହ ଶହ ସଂଖ୍ୟାରେ ମହିଳା କଂଗ୍ରେସ ନେତ୍ରୀ ଓ କର୍ମୀମାନେ ବିଧାନସଭା ଘେରାଉ କରିଥିଲେ । ସମଗ୍ର ରାଜ୍ୟର ବିଭିନ୍ନ ବ୍ଲକ ଓ ପଞ୍ଚାୟତରୁ ସହସ୍ରାଧିକ ସଂଖ୍ୟାରେ ମହିଳା ନେତ୍ରୀ ଓ କର୍ମୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା