
ନୂଆପଡା, ୩୦ ଏପ୍ରିଲ (ହି.ସ.)- ନୂଆପଡା ଜିଲ୍ଲାର କୋମନା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର (ସିଏଚସି) ପରିସରରେ ଜିଲ୍ଲା ପ୍ରଶାସନ ଓ ଆର.କେ ଏଚ.ଆଇ.ଭି ଏଡସ୍ ରିସର୍ଚ୍ଚ ଆଣ୍ଡ କେୟାର ସେଣ୍ଟରର ମିଳିତ ଆନୁକୁଲ୍ୟରେ ଯକ୍ଷ୍ମା ରୋଗୀମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରୋଗୀମାନଙ୍କୁ ପୁଷ୍ଟିକର କିଟ୍ ବଣ୍ଟନ କରିଥିଲେ। ଏହି ଯୋଜନା ଅନୁସାରେ ଜିଲ୍ଲାର ମୋଟ ୩୨୦୦ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ କିଟ୍ ପ୍ରଦାନ କରାଯିବ। ଉଲ୍ଲେଖନୀୟ ଯେ, ନୂଆପଡା ଦେଶର ପ୍ରଥମ ଜିଲ୍ଲା ଭାବେ ପରିଚିତ ହୋଇଛି ଯେଉଁଠାରେ କେବଳ ରୋଗୀମାନଙ୍କୁ ନୁହେଁ, ତାଙ୍କ ପରିବାରର ଅନ୍ୟ ୩ ଜଣ ସଦସ୍ୟଙ୍କୁ ମଧ୍ୟ ପୁଷ୍ଟିକର କିଟ୍ ଯୋଗାଇ ଦିଆଯାଉଛି। ଆଜିର କାର୍ଯ୍ୟକ୍ରମରେ ୧୨୫ ଜଣ ରୋଗୀଙ୍କ ସହ ତାଙ୍କ ପରିବାର ସଦସ୍ୟମାନଙ୍କୁ ମିଶାଇ ମୋଟ ୫୦୦ଟି କିଟ୍ ବଣ୍ଟନ କରାଯାଇଥିଲା।
ଏହି ପୁଷ୍ଟିକର କିଟ୍ ରେ ଚାଉଳ, ଡାଲି, ବୁଟ ଡାଲି, ଘିଅ, ଖଜୁରୀ ଇତ୍ୟାଦି ସାମଗ୍ରୀ ସମ୍ମିଳିତ ରହିଛି, ଯାହା ରୋଗୀମାନଙ୍କ ପୋଷଣ ଓ ଶୀଘ୍ର ସୁସ୍ଥ ହେବାରେ ସହାୟକ ହେବ। ସରକାରଙ୍କ ପକ୍ଷରୁ ମଧ୍ୟ ଯକ୍ଷ୍ମା ରୋଗୀମାନଙ୍କୁ ଆଣ୍ଟି-ଟିବି ଚିକିତ୍ସା ଅବଧି ମଧ୍ୟରେ ୬ ମାସ ପର୍ଯ୍ୟନ୍ତ ଡିବିଟି ମାଧ୍ୟମରେ ପ୍ରତି ମାସ ୧୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି। ଏହା ସହ ସଂସ୍ଥା ପକ୍ଷରୁ ଦିଆଯାଇଥିବା ଅତିରିକ୍ତ ପୁଷ୍ଟିକର କିଟ୍ ରୋଗୀମାନଙ୍କ ରୋଗ ଉପଶମ ଓ ସ୍ୱାସ୍ଥ୍ୟ ଉନ୍ନତିରେ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି। ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ)ର ସିଏସଆର ପାଣ୍ଠି ଓ ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଚାଲିଛି। ସଂସ୍ଥାର ଅଧ୍ୟକ୍ଷ ଡା. ଧର୍ମେନ୍ଦ୍ର କୁମାରଙ୍କ ନେତୃତ୍ୱରେ ଏପର୍ଯ୍ୟନ୍ତ ସାରା ଦେଶରେ ୩ ଲକ୍ଷରୁ ଅଧିକ ଯକ୍ଷ୍ମା ରୋଗୀଙ୍କୁ ସହାୟତା ପ୍ରଦାନ କରାଯାଇଛି।
କାର୍ଯ୍ୟକ୍ରମ ଅବସରରେ ଡା. ଧର୍ମେନ୍ଦ୍ର କୁମାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମସିଏଲ ସିଏସଆର ପାଣ୍ଠିରୁ ଏକ ଏମଆରଆଇ ମେସିନ ସ୍ଥାପନ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ଏହି ପ୍ରସ୍ତାବକୁ ଜିଲ୍ଲାପାଳ ସହମତି ଦେଇ ଅନୁମୋଦନ କରିଛନ୍ତି। ସେହିପରି ଆଗାମୀ ଦିନରେ ଜିଲ୍ଲାର ଦୂର ଅଞ୍ଚଳ ପାଇଁ ଏକ ବୃହତ୍ ମେଗା ମେଡିକାଲ କ୍ୟାମ୍ପ ମଧ୍ୟ ଆୟୋଜିତ ହେବ। ଏହା ଦ୍ୱାରା ଜିଲ୍ଲାର ରୋଗୀମାନେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇବା ସହ ଅଯଥା ଖର୍ଚ୍ଚାନ୍ତରୁ ରକ୍ଷା ପାଇପାରିବେ ବୋଲି କୁହାଯାଉଛି। କାର୍ଯ୍ୟକ୍ରମରେ ସିଡିଏମ୍ଓ ଡା. ଦ୍ୱାରିକାନାଥ ଶତପଥୀ, ଡିଟିଓ ଡା. ଦିଲୀପ ଦାସ, ଡିପିଏମ ସତ୍ୟନାରାୟଣ ତ୍ରିପାଠୀ, ବିଏମଓ ଡା. ପ୍ରଦୀପ କନ୍ହାର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରକଳ୍ପ ମୁଖ୍ୟ ଯୋଗିତା ବୋରକର ଓ ତାଙ୍କ ଦଳ କାର୍ଯ୍ୟକ୍ରମ ସଫଳ ଆୟୋଜନରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ