
ପୁରୀ, ୩୦ ଏପ୍ରିଲ୍ (ହି.ସ.)- ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋରୁଆଳ ପଞ୍ଚାୟତବାସି ଗୁରୁବାର ଦିନ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି | ଦାବିପତ୍ରରେ ଦର୍ଶାଇଛନ୍ତି ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ଗୋରୁଆଳ ଗ୍ରା.ପ. ଅଧିନସ୍ଥ ସିପସରୁବାଲି ମୌଜାରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିମନ୍ତେ ପ୍ରସ୍ତାବ ଥିଲା । ସେଥିନିମନ୍ତେ ବିରୋଧ ଓ ସମର୍ଥନରେ ଧାରା୧୬ ଜନଶୁଣାଣିରେ ଯେଉଁ ପ୍ରସ୍ତାବ ଜନସାଧାରଣଙ୍କ ତରଫରୁ ତାହାକୁ ପୁରଣ ନିମନ୍ତେ ପ୍ରଶାସନିକ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ । ଦିନ ଗଡ଼ିଚାଲିବାରୁ ଧାରା ୨୦ରେ ଅଧିବାସୀମାନଙ୍କର ଦାବୀ ପ୍ରତ୍ୟାଖ୍ୟାନ କରିବାରୁ ପଂଚାୟତବାସୀଙ୍କ ମନରେ ଜମି, ଜୀବନ, ଜୀବିକା ଓ ପରିବେଶ ହରାଇବାର ଦୁଃଖକୁ ଅନୁଭବ କରିବାରୁ ଏହି ଦାବୀପତ୍ର ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି | ନୂତନ ଜଙ୍ଗଲ ସୃଷ୍ଟି କରାଯାଉ ଓ ଜଙ୍ଗଲର ଦାୟୀତ୍ଵ ଗ୍ରାମବାସୀଙ୍କୁ ଦେବାପରେ ଗୋଷ୍ଠୀ ଅଧିକାର ସାବ୍ୟସ୍ତ କରାଯାଉ । ଗୋରୁଆଳ, ଆମ୍ବପଡ଼ା ଗ୍ରା.ପ.ର ପ୍ରତି ପରିବାରକୁ ୧୦ ଲକ୍ଷ ଟଙ୍କା ଦେବାର ପ୍ରତିଶ୍ରୁତି ପୂରଣ କରାଯାଉ | ପଂଚାୟତ ନିମନ୍ତେ ଅନ୍ୟୁନ ୫ ଏକର ଜମି ସଂରକ୍ଷଣ କରାଯାଉ । ୩୦ ପ୍ରତିଶତ ଚାକିରିରେ କୋଟା ସାବ୍ୟସ୍ତ କରାଯାଉ । ବିମାନବନ୍ଦର ଆୟରୁ ୩୦ ପ୍ରତିଶତ ପଂଚାୟତକୁ ହସ୍ତାନ୍ତର କରାଯାଉ । ବ୍ରହ୍ମଗିରୀ ବାସୀଙ୍କ ନିମନ୍ତେ ମଲଟି ସ୍ପେସିଆଲ ହସ୍ପିଟାଲ ସ୍ଥାପନ କରାଯାଉ । ଷଣ୍ଢପୁର, ସିପସରୁବାଲିରେ ୨ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଉ । ପଂଚାୟତ ତରଫରୁ ଶାନ୍ତିପୂର୍ଣ୍ଣ ଭାବରେ ଜିଲ୍ଲାପାଳଙ୍କୁ ଆଜି ଏସ.ସି.ଏସ. କଲେଜ ଠାରୁ ଏକ ଶୋଭାଯାତ୍ରା କଚେରୀ ଛକ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା | ଗୋରୁଆଳ ସରପଞ୍ଚ ଏହାର ନେତୃତ୍ଵ ନେଇଥିଲେ |
ହିନ୍ଦୁସ୍ଥାନ ସମାଚାର / ବିଜୟ