
ଭାରତୀୟ ଗଣତନ୍ତ୍ରରେ ମହିଳା ମାନଙ୍କର ଯୋଗଦାନ ସମ୍ପର୍କରେ ଆଲୋଚନା ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ
ଭୁବନେଶ୍ୱର, 30 ମଇ (ହି.ସ) ମହିଳା ସଶକ୍ତିକରଣର ଅର୍ଥ କେବଳ ଅର୍ଥନୈତିକ ସ୍ତରରେ ଆତ୍ମନିର୍ଭରଶୀଳତା ନୁହେଁ ବରଂ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ କ୍ଷେତ୍ରରେ ସଶକ୍ତିକରଣ ହେବା ହିଁ ହେଉଛି ପ୍ରକୃତ ଅର୍ଥରେ ମହିଳା ସଶକ୍ତିକରଣ। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଭାରତୀୟ ଗଣତନ୍ତ୍ରରେ ମହିଳା ମାନଙ୍କର ଯୋଗଦାନ ସମ୍ପର୍କରେ ଆଲୋଚନା ପାଇଁ ଗୁରୁବାର ଦିନ ଆୟୋଜିତ ହୋଇଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଲୋଚନା ଆରମ୍ଭ କଲା ବେଳେ ତାଙ୍କର ଅଭିଭାଷଣରେ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ବିଭିନ୍ନ ରାଜନୈତିକ ଦଳ ଗତ କିଛି ଦଶନ୍ଧି ଧରି ସବୁ ରାଜନୈତିକ ଦଳ ମହିଳା ସଶକ୍ତିକରଣ ବିଷୟରେ ଆଲୋଚନା କରୁଥିବା ବେଳେ ତାଙ୍କ ପାଇଁ ତାଙ୍କ ପାଇଁ ମହିଳା ସଶକ୍ତିକରଣର ସଂଜ୍ଞା ଅତି ସଙ୍କୁଚିତ। କାରଣ, ତାଙ୍କ ପାଇଁ ମହିଳା ସଶକ୍ତିକରଣର ଅର୍ଥ ହେଉଛି କେବଳ ଅର୍ଥନୈତିକ ସ୍ତରରେ ଆତ୍ମନିର୍ଭରଶୀଳତା। ତେଣୁ, ମହିଳା ସ୍ୱୟଂ ସହାୟତା ସମୂହ ଗଠନ କରି କିଛି ଟଙ୍କା ଦେଇଦେଲେ ସେମାନେ ଭାବନ୍ତି ଯେ ମହିଳାମାନେ ସଶକ୍ତ ହୋଇଗଲେ। କିନ୍ତୁ, ଏହା ଏକ ଭ୍ରାନ୍ତ ଧାରଣା। ସଶକ୍ତିକରଣର ପ୍ରକୃତ ସଂଜ୍ଞା ହେଉଛି ନିଜେ ନିଜ ପାଇଁ, ପରିବାର ପାଇଁ ଏବଂ ସମାଜ ପାଇଁ ନିଷ୍ପତ୍ତି ନେବାର ଅଧିକାର। ତେଣୁ, ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ କ୍ଷେତ୍ରରେ ସଶକ୍ତିକରଣ ହେବା ହିଁ ହେଉଛି ପ୍ରକୃତ ଅର୍ଥରେ ମହିଳା ସଶକ୍ତିକରଣ। ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ, ଆଜି ଆମ ଦେଶ ଏକ ବିଶେଷ ପରିସ୍ଥିତି ଦେଇ ଗତି କରୁଛି। ସମ୍ବିଧାନ ପ୍ରଣିତ ହେବାର ୭୫ ବର୍ଷ ପୁରିଛି, ଦେଶରେ ଅନେକ ପ୍ରଗତି ହୋଇଛି। କିନ୍ତୁ, ଦେଶର ଅଧା ଜନସଂଖ୍ୟା ଆଜି ନିଜକୁ ଠକି ହେଲା ପରି ମନେ କରୁଛନ୍ତି।
ସେ କହିଛନ୍ତି ଯେ ଆମର ବିଜୁ ଜନତା ଦଳର ସଦସ୍ୟ ମାନେ ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦ ପ୍ରତିଶତ ମହିଳା ସଂରକ୍ଷଣକୁ ନେଇ ବାହାବା ଲୁଟିବାକୁ ଚେଷ୍ଟା କରୁଛନ୍ତି, ଆଜି ବି ଆଲୋଚନା ସମୟରେ ସେମାନେ ତାହାକୁ ଦୋହରାଇବେ। କିନ୍ତୁ, ଯେତେବେଳେ ବିଧାନସଭା ଓ ଲୋକସଭା ପାଇଁ ଆରକ୍ଷଣ କଥା ଉଠୁଛି ସେମାନେ କାହିଁକି ମହିଳା ବିରୋଧୀ ଆଭିମୁଖ୍ଯ ନେଉଛନ୍ତି? ଏହାର ଉତ୍ତର ହେଉଛି ଏଠାରେ ବସିଥିବା ମାନ୍ୟବର ସଦସ୍ୟ ଓ ସଦସ୍ୟା କିମ୍ବା ତାଙ୍କ ଦଳର ଆଗାଧାଡିର ନେତାମାନେ ତ ଆଉ ସରପଞ୍ଚ କି ଜିଲ୍ଲା ପରିଷଦ ନିର୍ବାଚନ ଲଢିବେ ନାହିଁ, ତେଣୁ ତାଙ୍କର ପଞ୍ଚାୟତ ନିର୍ବାଚନରେ ୧୦୦ ପ୍ରତିଶତ ଆରକ୍ଷଣ ହେଲେ ବି ତାଙ୍କର କିଛି ଅସୁବିଧା ନାହିଁ, କାରଣ ତାଙ୍କର ସେଥିରେ ସ୍ଵାର୍ଥ ହାନି ହେଉନାହିଁ।
କିନ୍ତୁ, ଯଦି ବିଧାନ ସଭା ଓ ଲୋକସଭା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁହୁଏ, ତେବେ ନିଶ୍ଚିତ ଭାବେ ତାଙ୍କର ସ୍ଵାର୍ଥ ବାଧିତ ହେବ। ତେଣୁ, କୌଣସି ନା କୌଣସି ବାହାନାରେ ଏହି ବିଲ ବିରୋଧରେ ତାଙ୍କର ମତାମତ ଦେଉଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେତେବେଳେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ହେଉ ତ ଆଉ କେତେବେଳେ ମୁସ୍ଲିମ ମହିଳାଙ୍କ ପାଇଁ ଆରକ୍ଷଣ ଦାବି ଆଳରେ ବିଭିନ୍ନ ରାଜନୈତିକ ଦଳ ମମାନେ ତାଙ୍କୁ ଉଚିତ ନ୍ୟାୟ ଦେବାରେ ଅବହେଳା କରିଛନ୍ତି। ଭାରତୀୟ ଜନତା ପାର୍ଟି ସବୁବେଳେ ସବୁ ସମୟରେ ମହିଳା ଆରକ୍ଷଣ ବିଲକୁ ସମର୍ଥନ କରି ଆସିଛି। କଂଗ୍ରେସ ଦଳର ୧୯୮୪ ମସିହାରେ ଲୋକସଭାରେ ୪୧୪ ସିଟ ଏବଂ ରାଜ୍ୟ ସଭାରେ ୧୫୯ ଟି ସିଟ ଥିଲା। ଦୁଇ ତୃତୀୟାଂଶ ନୁହେଁ, ତିନି-ଚତୁର୍ଥାଂଶ ଆସନ ଥିଲା କଂଗ୍ରେସର । କିନ୍ତୁ, କାହିଁକି ସେମାନେ ଏହି ମହତ୍ବପୂର୍ଣ୍ଣ ବିଲକୁ ପାଶ କରି ନ ଥିଲେ। ଆଜି ଯେଉଁମାନେ ଆମ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି, ସେମାନେ ନିଜର ଇତିହାସ ଜାଣିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିରୋଧୀ ଦଳର ନେତା ତାଙ୍କୁ ଚିଠି ଲେଖି ସେଥିରେ ଅସନକୁ ନେଇ କିଛି ଉଦବେଗ ପ୍ରକାଶ କରିଥିଲେ । କିନ୍ତୁ, ଏ କଥା ସାଂସଦରେ ଗୃହମନ୍ତ୍ରୀ ସ୍ପଷ୍ଟ ଭାବେ କହିଥିଲେ ଲୋକସଭାରେ ଆସନ ସଂଖ୍ୟା ୮୫୦ କୁ ବୃଦ୍ଧି ପାଇବ। ତେଣୁ ସେହି ଅନୁପାତରେ ଓଡିଶା ବିଧାନ ସଭା ଆସନ ସଂଖ୍ୟା ବି ୫୦ ପ୍ରତିଶତ ବୃଦ୍ଧି ପାଇ ଥାଆନ୍ତା। ତେଣୁ, ବିରୋଧୀ ଦଳଙ୍କ ଆଶଙ୍କା ସଂପୂର୍ଣ୍ଣ ଅମୂଳକ। ଏହା ଦ୍ଵାରା ତାଙ୍କ ସ୍ଵାର୍ଥରେ କୌଣସି ଆଞ୍ଚ ବି ଆସି ନ ଥାନ୍ତା।
ସେ କହିଛନ୍ତି ଯେ ମହିଳା ମାନେ ବିଭିନ୍ନ କ୍ଷେତ୍ରରେ ପାରଙ୍ଗମ ହାସଲ କରିସାରିଛନ୍ତି। ସେମାନେ ଘର ଚଳାଇବା ସହିତ ଅଟୋ-ବସ ଚଳାଇବା ଠୁ ଆରମ୍ଭ କରି ଫାଇଟର ପ୍ଳେନ ଉଡାଉଛନ୍ତି। ଆପଣଙ୍କର ମନେଥିବ, ବାଲାକୋଟ ଆକ୍ରମଣ ପରେ ଭରତ-ପାକିସ୍ତାନ ମଧ୍ୟରେ ଯେଉଁ ବିମାନ ଯୁଦ୍ଧ ହୋଇଥିଲା ପାକିସ୍ତାନର ଫାଇଟର ଜେଟ ଏଫ 16 ଖସାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଇଂଡିଆନ ଏୟାରଫୋର୍ସର ଜଣେ ସାହସୀ ଓ ଦକ୍ଷ ରାଡ଼ାର ଇଞ୍ଜିନିୟର। ସେହିପରି ଅପରେସନ ସିନ୍ଦୁର ସମୟରେ ଭାରତୀୟ ସେନାର ଚେହେରା ଥିଲେ କୋଲୋନେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ। ଏହାହିଁ ହେଉଛି ଆଧୁନିକ ଭାରତର ନାରୀଶକ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ମହିଳାଙ୍କ ଭୂମିକା ଆହୁରି ଗୁରୁତ୍ବପୂର୍ଣ୍ଣ। ତଥ୍ୟ ଅନୁସାରେ ୨୦୨୩-୨୪ ବର୍ଷ ପାଇଁ ସ୍କୁଲ ଶିକ୍ଷାରେ ୫୩.୩ ପ୍ରତିଶତ ହେଉଛନ୍ତି ଶିକ୍ଷୟତ୍ରୀ ଏବଂ ଉଚ୍ଚ ଶିକ୍ଷାରେ ଅଧ୍ୟାପିକାଙ୍କ ସଂଖ୍ୟା ହେଉଛି ୪୩ ପ୍ରତିଶତ। ଅର୍ଥାତ, ଦେଶର ଶିକ୍ଷାଦାନ ବ୍ୟବସ୍ଥା ଅଧିକାଂଶ ଭାବେ ମହିଳାଙ୍କ କାନ୍ଧ ଉପରେ ନ୍ୟସ୍ତ। ଯେଉଁମାନେ ଦେଶର ଭବିଷ୍ୟତ ଗଠନ କରୁଛନ୍ତି, ଯେଉଁମାନେ ଦେଶର ଭାବି ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, ନେତା ବନେଇବାରେ ମୂଳଦୁଆ ରଖୁଛନ୍ତି ସେମାନେ କ'ଣ ଦେଶର ନେତୃତ୍ଵ ନେଇ ପାରିବେ ନାହିଁ? ଆଜିର ନାରୀଶକ୍ତି ଅସାଧ୍ୟ ସାଧନ କରିବାରେ ସମର୍ଥ। ତାଙ୍କୁ କେବଳ ଆବଶ୍ୟକ ଏକ ସମାନ ସୁଯୋଗ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିଛନ୍ତି ଓଡିଶା ମାଟିର ଝିଅ, ଦ୍ରୌପଦୀ ମୁର୍ମୁ । ତାଙ୍କୁ ରାଷ୍ଟ୍ରପତି ପଦବୀ ଅଳଙ୍କୃତ କରାଇବା ପାଇଁ ଆବଶ୍ୟକ ରାଜନୈତିକ ସମର୍ଥନ ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି ଆମ ସରକାରଙ୍କ ଅମଳରେ ଓଡିଶା ବିଧାନ ସଭାର ଶୋଭା ବୃଦ୍ଧି କରୁଛନ୍ତି ଆପଣଙ୍କ ପରି ଜଣେ ତେଜସ୍ବୀ ମହିଳା ଏବଂ ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ପ୍ରଭାତୀ ପରିଡା ମହୋଦୟା ମହିଳାଙ୍କ ଉତ୍ଥାନ ପାଇଁ ନିଜର ଯୋଗଦାନ ଦେଉଛନ୍ତି।ଆଜି କେନ୍ଦ୍ରରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମନ ପ୍ରଥମ ଅର୍ଥମନ୍ତ୍ରୀ ଭାବେ କ୍ରମାଗତ ୯ ଥର ଲୋକସଭାରେ ବଜେଟ ଆଗତ କରିଛନ୍ତି ଯାହା ଏକ ସର୍ବକାଳିନ ରେକର୍ଡ। ବିରୋଧୀ ଦଳଙ୍କ କ୍ରମାଗତ ଆକ୍ରମଣ ସତ୍ତ୍ୱେ ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀ ଜୀ ତାଙ୍କ ଉପରେ ସଂପୂର୍ଣ୍ଣ ଭାବେ ଭରସା କରିଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଇନ୍ଦିରାଗାନ୍ଧୀଙ୍କ ପରେ ବୋଧହୁଏ ନିର୍ମଳା ସୀତାରମଣ ପ୍ରଥମ ମହିଳା ଭାବେ କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ନିଷ୍ପତ୍ତି ନେବା ବ୍ୟବସ୍ଥା କ୍ୟାବିନେଟ କମିଟି ଅନ ସିକ୍ୟୁରିଟି ଓ କ୍ୟାବିନେଟ କମିଟି ଅନ ଇକୋନୋମିକ ଏଫାୟାର୍ସ ରେ ନୀରବଚ୍ଛିନ୍ନ ଭାବେ ସାତ ବର୍ଷ ଧରି ଲଗାତାର ସଦସ୍ୟା ରହି ନିଜ ବହୁମୂଲ୍ୟ ମତାମତ ଦେଉଛନ୍ତି। କେବଳ ରାଜନୀତି କ୍ଷେତ୍ରରେ ନୁହେଁ, ଦେଶର ନାରୀଶକ୍ତିକୁ ସଶକ୍ତ କରିବାପାଇଁ ପ୍ରଥମ ଦିନରୁ ହିଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ନେତୃତ୍ୱରେ ଗତ ୧୦ ବର୍ଷରେ ମହିଳାଙ୍କ ଜୀବନଧାରଣର ମାନରେ ବ୍ୟାପକ ପରିବର୍ତ୍ତନ ଆସିଛି । ଏହାର ଅନେକ ଉଦାହରଣ ରହିଛି । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ୬୯ ପ୍ରତିଶତ ଋଣ ଏବଂ ଷ୍ଟାଣ୍ଡ-ଅପ୍ ଇଣ୍ଡିଆର ୮୪ ପ୍ରତିଶତ ହିତାଧିକାରୀ ମହିଳା ଅଟନ୍ତି । ପିଏମ୍ ଆବାସ ଯୋଜନା ଅଧୀନରେ ୭୨ ପ୍ରତିଶତ ଘର ମହିଳାଙ୍କ ନାମରେ ପଞ୍ଜିକୃତ ହୋଇ ସେମାନଙ୍କୁ ପରିବାରରେ ମାଲିକାନା ସ୍ୱତ୍ୱ ପ୍ରଦାନ କରାଯାଇଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭାରତରେ ୪୩ ପ୍ରତିଶତ ମହିଳା ଗ୍ରାଜୁଏଟ୍ ସାଇନ୍ସ ଟେକ୍ନୋଲଜୀ, ଇଂଜିନିୟରିଂ ଓ ମ୍ୟାଥମେଟିକ୍ସ ରେ ଶିକ୍ଷା ହାସଲ କରୁଛନ୍ତି । ଏହା ଆଧୁନିକ ଭାରତର ଚିତ୍ର ବଦଳାଇବାରେ ସହାୟକ ହୋଇଛି । ସେହିପରି, ପ୍ରାଥମିକ ଶିକ୍ଷାରେ ୫୭ ପ୍ରତିଶତରୁ ୬୦ ପ୍ରତିଶତ ହେଉଛନ୍ତି ଶିକ୍ଷୟତ୍ରୀ ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ୪୫ ପ୍ରତିଶତ ହେଉଛନ୍ତି ଅଧ୍ୟାପିକା। ଏଥିରୁ ଜଣା ପଡୁଛି ଯେ ରାଷ୍ଟ୍ର ଗଠନ ଦିଗରେ ମହିଳାଙ୍କ ଭୂମିକା କେତେ ଅଧିକ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିକଶିତ ଭାରତ ପାଇଁ ‘ସମୃଦ୍ଧ ଓଡ଼ିଶା’ ଗଠନ ହେଉଛି ଆମର ମୁଖ୍ୟ ଲକ୍ଷ୍ୟ । ଏହି ଯାତ୍ରାରେ ଓଡ଼ିଶାର ମା’ ଓ ଭଉଣୀମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବା ପାଇଁ ଆମେ ଆରମ୍ଭ କରିଛୁ ଯୁଗାନ୍ତକାରୀ ‘ସୁଭଦ୍ରା ଯୋଜନା’ । ଏହା କେବଳ ଏକ ସହାୟତା ରାଶି ନୁହେଁ, ବରଂ ଓଡ଼ିଶାର ୧ କୋଟିରୁ ଅଧିକ ମହିଳାଙ୍କୁ ‘ଆତ୍ମନିର୍ଭର’ କରିବାର ଏକ ମହାନ ପ୍ରୟାସ । ‘ସୁଭଦ୍ରା’ରୁ ଆରମ୍ଭ କରି ‘ଲକ୍ଷପତି ଦିଦି’ ପର୍ଯ୍ୟନ୍ତ ଏହି ଯାତ୍ରା ଓଡ଼ିଶାର ପ୍ରତିଟି ଘରେ ସମୃଦ୍ଧି ଆଣିବ। ଆମେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମାଧ୍ୟମରେ ଅଭାବୀ ପରିବାରର କନ୍ୟାମାନଙ୍କୁ ସହାୟତା ପ୍ରଦାନ କରୁଛୁ । ଏପର୍ଯ୍ୟନ୍ତ ୩୮୮ ଜଣ କନ୍ୟାଙ୍କ ବିବାହ ପାଇଁ ୧ କୋଟି ୭୧ ଲକ୍ଷ ଟଙ୍କାରୁ ଅଧିକ ରାଶି ସିଧାସଳଖ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆମେ ଏଥିରେ ୧୧ କୋଟି ୮୩ ଲକ୍ଷ ଟଙ୍କାର ବ୍ୟୟବରାଦ କରିଛୁ।
ମା’ର ସ୍ୱାସ୍ଥ୍ୟ ହିଁ ସୁସ୍ଥ ସମାଜର ମୂଳଦୁଆ । ଏହାକୁ ଆଧାର କରି ୧୪ ମେ ୨୦୨୫ରେ ଆମେ ରାଜ୍ୟର ‘ମମତା ଯୋଜନା’ ଏବଂ କେନ୍ଦ୍ରର ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା’କୁ ଏକୀକୃତ କରିଛୁ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ, ଆମ ଦେଶର ତୃଣମୂଳ ସ୍ତରରେ ପ୍ରାୟ ୧୪.୫ ଲକ୍ଷ ମହିଳା ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କରେ ନିର୍ବାଚିତ ପ୍ରତିନିଧି ଭାବେ କାର୍ଯ୍ୟ କରି ଦକ୍ଷତା ପ୍ରମାଣିତ କରୁଛନ୍ତି । ନାରୀ ଶକ୍ତି ବନ୍ଦନ ଅଧିନିୟମ ଏହି ପ୍ରତିନିଧିତ୍ୱକୁ ଅଧିକ ଗତି ଦେବା ପାଇଁ ଉଦ୍ଦିଷ୍ଟ। ତେଣୁ ଏହାକୁ ୨୦୨୯ ସାଧାରଣ ନିର୍ବାଚନ ପାଇଁ ଲାଗୁ କରିବାକୁ ପ୍ରଧାନମନ୍ତ୍ରୀ ଯେଉଁ ପଦକ୍ଷେପ ନେଇଥିଲେ, ସେଥିରେ ବିରୋଧୀଦଳ ବ୍ରେକ ଲଗାଇ ନିଜ ସଙ୍କୁଚିତ ମାନସିକତାର ପ୍ରମାଣ ଦେଇଛନ୍ତି। ହେଲେ, ଏହା ଏକ ସାମୟିକ ବିରତି। ଆଗାମୀ ଦିନରେ ମୁଁ ଗୃହକୁ ଆଶ୍ଵାସନା ଦେଉଛି ଯେ ପ୍ରଧାନମନ୍ତ୍ରୀ ୨୦୨୯ରୁ ହିଁ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ନିଶ୍ଚିତ ଭାବେ ଅରକ୍ଷଣ ବ୍ୟବସ୍ଥା କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ