
ସୁନ୍ଦରଗଡ଼, ୩୦ ଅପ୍ରେଲ (ହି.ସ.)- ମାଲବୋଝେଇ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ପରେ ସେଥିରେ ନିଆଁ ଲାଗିଯାଇଥିଲା । ଫଳରେ ଗୋଟିଏ ଟ୍ରକ୍ ର ଚାଳକ ନିଆଁରେ ପୋଡି ହୋଇ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । କୋଇଲା ବୋଝେଇ ଟ୍ରକ୍ ସହ ଲୁହା ପଥର ବୋଝେଇ ଟ୍ରକ୍ ଧକ୍କା ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ରତନସରା ନିକଟରେ ଆଜି ଭୋର୍ ପ୍ରାୟ ୪ଟା ସମୟରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣା ଏତେ ଭୟାବହ ଥିଲା ଯେ କୋଇଲା ବୋଝେଇ ଟ୍ରକ୍ ରେ ନିଆଁ ଲାଗି ଯାଇଥିଲା ।
ନିଆଁରେ ଟ୍ରକ୍ ଚାଳକ ଗାଡ଼ି ଭିତରେ ହିଁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତଦେହର ଅଧିକାଂଶ ଅଂଶ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ହେମଗିରି ପୋଲିସ ଓ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ କରିଛନ୍ତି । ତେବେ ଦୁର୍ଘଟଣା କେମିତି ଘଟିଲା ସେନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ପ୍ରକାଶ ଥାଉକି, ଗତ ଦୁଇ ଦିନ ତଳେ ସୁନ୍ଦରଗଡ଼ ଜିଲ୍ଲାର ଚାନ୍ଦିପୋଷ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥରେ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ