
ଭୁବନେଶ୍ୱର, ୩୦ ଏପ୍ରିଲ (ହି.ସ.)- ଜାତୀୟ ଜନଜୀବନର ଦୁଇ ଉଜ୍ଜଳ ବିନ୍ଧାଣୀ ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅସୀମ ତ୍ୟାଗ କେବଳ ଓଡ଼ିଶାର ଭାଗ୍ୟରବିକୁ ଉଜ୍ଜଳ କରି ନ ଥିଲା, ସମଗ୍ର ଭାରତୀୟ ଜାତୀୟତା ଓ ଗାଣତନ୍ତ୍ରିକ ଭିତିଭୂମିକୁ ମଜବୁତ କରିଥିଲା। ବିଳମ୍ବରେ ହେଲେ ମଧ୍ୟ ଉଭୟଙ୍କୁ ମରଣୋତର ଭାରତରତ୍ନ ଉପାଧିରେ ଭୂଷିତ କରିବାକୁ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଦାବି କରିଛନ୍ତି। ଗୁରୁବାର ମଧ୍ୟାହ୍ନରେ ଲୋକଭବନଠାରେ ରାଜ୍ୟପାଳ ହରିବାବୁ କମ୍ବମପାଟିଙ୍କୁ ସାକ୍ଷାତ କରି ତାଙ୍କ ଜରିଅ।।ରେ ରାଷ୍ଟ୍ରପତିଙ୍କୁ ଏହି ମର୍ମରେ ସେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଉକ୍ତ ସ୍ମାରକପତ୍ରରେ ଶ୍ରୀ ହରିଚନ୍ଦନ ଦର୍ଶାଇଛନ୍ତି, କୁଳବୃଦ୍ଧ ମଧୁସୂଦନ କେବଳ ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ଓଡ଼ିଶା ଗଠନର ଉଦ୍ଗାତା ନ ଥିଲେ, ଦେଶର ସଂଘୀୟ ବ୍ୟବସ୍ଥାର ସାଂସ୍କୃତିକ ମୂଳଦୁଆ ସ୍ଥାପନ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ। ଉଚ୍ଚକୋଟୀର ଆଇନଜ୍ଞ ଭାବେ ବିଦିତ ମଧୁସୂଦନ ଜଣେ ସମାଜ-ସୁଧାରକ ଓ ଦୂରଦ୍ରଷ୍ଟା ଥିଲେ। ସେହିପରି, ସାଧାରଣ ଜନତାର ସ୍ୱର ଗୋପବନ୍ଧୁ ପାରିବାରିକ ସୁଖସ୍ୱାଚ୍ଛନ୍ଦକୁ ଜଳାଂଜଳି ଦେଇ ଦେଶବାସୀଙ୍କର ସେବା କରିଥିଲେ। ଏହି ନୀର୍ଭିକ ମହାମନିଷୀଙ୍କୁ ମହାତ୍ମା ଗାନ୍ଧୀ, ସୁଭାଷ ବୋଷ ଓ ଲଜପତ ରାୟଙ୍କ ପରି ଉତୁଙ୍ଗ ବ୍ୟକ୍ତିତ୍ୱମାନେ ପ୍ରଶଂସାରେ ପୋତିପକାଇଥିଲେ। ଉଭୟ ଜାତିପ୍ରାଣ ରାଷ୍ଟ୍ରନୀତିଜ୍ଞଙ୍କ ନାମ ଭାରତରତ୍ନ ତାଲିକାରୁ ଏ ଯାଏ ବାଦ ପଡ଼ିବା ଆଧୁନିକ ଭାରତ ଇତିହାସର ଏକ ବିଡ଼ମ୍ବିତ ଅଧ୍ୟାୟ। ତେଣୁକରି ଆଉ କାଳ ବିଳମ୍ବ ନ କରି ଉଭୟ ସମାଜ ସଂସ୍କାରକଙ୍କୁ ଭାରତରତ୍ନ ପ୍ରଦାନ କରି ଅତୀତର ଭୁଲ୍ କୁ ସଂଶୋଧନ କରିବାକୁ ଶ୍ରୀ ହରିଚନ୍ଦନ ଆହ୍ୱାନ କରିଛନ୍ତି। ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମଧ୍ୟ ୨୦୨୨ରେ ଏହି ଦୁଇଜଣ ପୁଣ୍ୟାତ୍ମାଙ୍କୁ ଭାରତରତ୍ନ ଦିଆଯିବା ଉଚିତ ବୋଲି ସର୍ବସାଧାରଣରେ ମତପ୍ରକାଶ କରିଥିଲେ।
ଶ୍ରୀ ହରିଚନ୍ଦନଙ୍କ ସହ ବରିଷ୍ଠ କଂଗ୍ରେସ ନେତା ବାଙ୍କନିଧି ବେହେରା, ପିସିସି ସାଧାରଣ ସଂପାଦକ ସୀତାଂଶୁ ଦାସ ଓ ସିଦ୍ଧାର୍ଥ ଶ୍ରୀଚନ୍ଦନ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା