
ବୌଦ୍ଧ, 30 ଏପ୍ରିଲ୍ (ହି.ସ.) କୃଷିପ୍ରଧାନ ବୌଦ୍ଧ ଜିଲ୍ଲା ର ମୁଖ୍ୟ ଜିଲ୍ଲା କୃଷିଅଧିକାରୀ ପଦବୀ ଖାଲିପଡିଛି l ଚାଷୀଙ୍କ ଦୁଃଖ ଓ ସମସ୍ୟା ବୁଝିବାକୁ କେହି ନାହାନ୍ତି ଜିଲାରେ l ଜିଲାର ଅନେକ ଅଂଚଳରେ ଧାନରେ ଲାଗିଲାଣି ଗଣ୍ଠିବିନ୍ଧା ପୋକ, ଚିନ୍ତାରେ ପଡିଛି ଚାଷୀ l ଜିଲା ରେ ଚଳିତ ବର୍ଷ ୨୨ ଶହ ହେକ୍ଟର ଚାଷ ଜମିରେ ରବିଧାନ ଚାଷ କରାଯାଇଥିବା ବେଳେ ବର୍ତ୍ତମାନ ଧାନଗୁଡିକରେ ଗଣ୍ଠିବିନ୍ଧା ପୋକ ଲାଗିଛି । ଯାହାଫଳରେ ଚାଷୀ ଚିନ୍ତାରେ ପଡିଯାଇଛି । ବୌଦ୍ଧଜିଲ୍ଲାବାସୀ କୃଷି ଉପରେ ନିର୍ଭର କରି ଚଳିଥାନ୍ତି । ଏକର ପିଛା ପ୍ରାୟ ୩୦ ରୁ ୪୦ ହଜାର ଟଙ୍କା ଖର୍ଚ୍ଚ କରି ଚାଷୀ ଚାଷ କରିଥିଲା । ଏପରି ସ୍ଥିତିରେ ଗଣ୍ଠିବିନ୍ଧା ପୋକ ଧାନରେ ଲାଗିବା ଯୋଗୁଁ ଚାଷୀ ଯାହା ଆଶା କରିଥିଲା ତାହା ଆଶାରେ ରହିଯାଇଛି । ଧାନ ନ ବାହାରି କେବଳ ନଡା ହିଁ ବିଲରେ ରହିଯିବ । ସମସ୍ତ ଧାନ ଗୁଡିକୁ ଗଣ୍ଠି ବିନ୍ଧାପୋକ ନଷ୍ଟ କରିଦେବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଏହି ପୋକ ଯେଉଁ ବିଲରେ ଲାଗିବ ତାହାର ଆଖପାଖ ବିଲ ମାନଙ୍କୁ ଏହା ମାଡିଯିବ । ଜିଲ୍ଲାର ପ୍ରାୟ ସମସ୍ତ ଅଂଚଳରେ ଏହି ପୋକ ଧାନ ବିଲରେ ଲାଗିଥିବା ବେଳେ ସେଥିମଧ୍ୟରୁ ବୌଦ୍ଧସହର ଅନ୍ତର୍ଗତ ମର୍ଜାକୁଦ ଅଂଚଳରେ ଥିବା ଧାନବିଲ ଗୁଡିକରେ ଏହି ପୋକ ଲାଗିଛି । ମର୍ଜାକୁଦର ସୁରଥ ସେଠୀ,ବିକାଶ ସେଠୀ, ଅରୁଣ ଦେହୁରୀ, ମନଖିଆ ବେହେରା, ସୁନିଲ ମାଝି ସମସ୍ତଙ୍କ ପ୍ରାୟ ଦେଢ ଏକର ଲେଖାଁଏ ବିଲରେ ଗଣ୍ଠିବିନ୍ଧା ପୋକ ଲାଗିଥିବା ସେମାନେ ଅଭିଯୋଗ କରିଛନ୍ତି । ଜିଲ୍ଲାରେ ଗଣ୍ଠିବିନ୍ଧା ପୋକ ଯୋଗୁଁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରୀ ସୁବିଧା ଯୋଗାଇ ଦେବାକୁ ଦାବି ହେଉଛି । ସେପଟେ ବୌଦ୍ଧ ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପଦଟି ଦୀର୍ଘ ଦିନ ହେବ ଖାଲି ପଡିଛି । ବଲାଙ୍ଗିର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବର୍ତ୍ତମାନ ବୌଦ୍ଧ ଜିଲ୍ଲା ଦାୟୀତ୍ୱରେ ଅଛନ୍ତି । ସେ ଶହେ କିଲୋମିଟର ଦୂରରେ ଏକ ବଡ ଜିଲ୍ଲାର ଅଧିକାରୀ ଥିବା ବେଳେ ବୌଦ୍ଧଜିଲ୍ଲାକୁ କେତେବେଳେ ସମୟ ମିଳିବ ଯେ ବୌଦ୍ଧ ଜିଲ୍ଲାର ଚାଷୀଙ୍କ ସୁବିଧା ଅସୁବିଧା ବୁଝି ପାରିବେ । ତେଣୁ ତୁରନ୍ତ ଜଣେ ନୂତନ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବା ଜରୁରୀ ହୋଇପଡିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମ୍ପତ