
କେନ୍ଦ୍ରାପଡ଼ା, ୨୯ ଏପ୍ରିଲ୍(ହି.ସ.) – ଜାତୀୟ ରାଜପଥ ଚଣ୍ଡିଖୋଲ ଠାରୁ ପାରାଦୀପ ପର୍ଯ୍ୟନ୍ତ ଜନସାଧାରଣଙ୍କ ସୁରକ୍ଷା ପାଇଁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଦ୍ରୁତଗତିରେ ଚାଲୁଥିବାବେଳେ ଏହି କାମକୁ କରୁଥିବା ଠିକାସଂସ୍ଥା ପିଏସ୍କେ ବାରମ୍ବାର ଅସୁବିଧାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ଥାନା ଓ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ବଳଭଦ୍ରପୁର ଠାରୁ ଲକ୍ଷ୍ମୀନାରାୟଣପୁର ମଝିରେ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଜାତୀୟ ରାଜପଥ କଡ଼ରେ ଦିଆଯାଇଥିବା ସୁରକ୍ଷା ବାଡ଼କୁ ସ୍ଥାନୀୟ ଅଂଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି ପ୍ରାୟ ଦୁଇଶହ ମିଟରରୁ ଅଧିକ ନିଜର ବ୍ୟକ୍ତିଗତ କାମ ଓ ନିଜର ଜମିରେ ମାଟି ପକାଇବା ପାଇଁ ଏହି ସୁରକ୍ଷା ବାଡ଼କୁ ସକାଳ ୬ଟା ସମୟରେ ଏକ କଟର୍ ମେସିନ୍ ସାହାଯ୍ୟରେ ବେଆଇନ୍ ଭାବେ କାଟି ଫୋଫାଡ଼ି ଦେଇଛନ୍ତି। ଯାହାଫଳରେ ପିଏସ୍କେ କମ୍ପାନୀର ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା କ୍ଷତି ହୋଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଅନେକ ଥର ଏହି ସୁରକ୍ଷା ବାଡ଼କୁ ରାତିରେ ଚୋରମାନେ କାଟି ବିକ୍ରି କରିଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ତୁରନ୍ତ ଏହି ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପିଏସ୍କେ କମ୍ପାନୀ ତରଫରୁ ଦାବି କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି