ସଭାରେ ସୀମିତ ସଚେତନତା ଓ ସମୀକ୍ଷା , ଲୋକଙ୍କୁ ମିଳୁନାହିଁ ପାନୀୟ ଜଳ
ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ
ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ


ବୌଦ୍ଧ , 30 ଏପ୍ରିଲ୍ (ହି.ସ.) ବୌଦ୍ଧ ଜିଲା ଏବେ ତତଲା କଢେଇ ରେ ପରିଣତ ହୋଇଥିବା ବେଳେ ସଭାରେ ସୀମିତ ରହୁଛି ସଚେତନତା ଓ ସମୀକ୍ଷା କାର୍ଯ୍ୟକ୍ରମ l ସମୀକ୍ଷା ଓ ପ୍ରସ୍ତୁତି ହେଉଥିବା ବେଳେ ଜିଲାର ଅନେକ ଅଂଚଳରେ ଲୋକଙ୍କୁ ପାନୀୟ ଜଳ ମିଳୁନାହିଁ l ନଦୀନାଳରେ ଭର୍ତି ବୌଦ୍ଧ ଜିଲାର ଲୋକେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି l ବୌଦ୍ଧ ଜିଲ୍ଲାପାଳ ବିଭୁତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ମୁଖ୍ୟାଳୟ ସମ୍ମିଳନି କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାରେ ଚାଲୁଥିବା ତୀବ୍ର ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ପୂର୍ବକ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ଏହି ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ- ଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ମହେନ୍ଦ୍ର କୁମାର ସାହୁଙ୍କ ସହିତ ସମସ୍ତ ବିଡିଓ, ତହସିଲଦାର ଓ ଜିଲ୍ଲାସ୍ତରିୟ ଅଧିକାରୀ ଯୋଗଦେଇଥିଲେ । ସଭାରେ ଜିଲ୍ଲାପାଳ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସମସ୍ତ ବିଭାଗଙ୍କୁ ସଚେତନ ଓ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ସ୍ୱାସ୍ଥ୍ୟ ବିଭାଗକୁ ଅଂଶୁଘାତ ମାମଲାର ମୁକାବିଲା ପାଇଁ ସମସ୍ତ ହସ୍ପିଟାଲରେ ପ୍ରସ୍ତୁତି ନିଶ୍ଚିତ କରିବା ସହ ଓଆରଏସ୍ , ଆବଶ୍ୟକ ଔଷଧ ଓ ଚିକିତ୍ସା ସୁବିଧା ଉପଲବ୍ଧ ରଖିବାକୁ ନିର୍ଦ୍ଦେଶ ଦିଆଗଲା। ଡାକ୍ତରଖାନା ମାନଙ୍କରେ ସ୍ବଚ୍ଛ ପରିମଳ ସହିତ ଆବଶ୍ୟକ କୁଲର ଓ ଏସି. କାର୍ଯ୍ୟକ୍ଷମ କରିବାପାଇଁ ସିଡିଏମଓ ପଦକ୍ଷେପ ନେବେ। ପାନୀୟ ଜଳଯୋଗାଣ ଓ ପରିମଳ ବିଭାଗକୁ ସହର ଓ ଗ୍ରାମୀଣ ଅଞ୍ଚଳରେ ନିରବଛିନ୍ନ ପାନୀୟ ଜଳ ଯୋଗାଣ ସହିତ ଖରାପ ନଳକୂପ ଗୁଡିକୁ ତୁରନ୍ତ ମରାମତି କରିବାକୁ କୁହାଗଲା। ବାହାରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ଦିନର ତୀବ୍ର ଗରମ ସମୟରେ କାମ ନ କରିବା ପାଇଁ କାର୍ଯ୍ୟ ସମୟରେ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଗଲା । ଦିନ ୧୧ ଘଟିକା ରୁ 3 ଘଟିକା ମଧ୍ୟରେ ସମସ୍ତ ବାହ୍ୟଶ୍ରମ କାମ ସବୁ ବନ୍ଦ ରହିବ । ସମସ୍ତ କାର୍ଯ୍ୟ କ୍ଷେତ୍ରରେ ବିଶ୍ରାମ ନେବାପାଇଁ ବ୍ୟବସ୍ଥା ରହିବ । ଏହାକୁ ସମସ୍ତ ବିଡିଓ, ତହସିଲଦାର ଓ ଜିଲ୍ଲା ଶ୍ରମ ଅଧିକାରୀ ସୁନିଶ୍ଚିତ କରିବେ। ବୌଦ୍ଧଗଡ଼ ପୌରପାଳିକା ଓ ସମସ୍ତ ପଞ୍ଚାୟତରେ ବାଟୋଇ ମାନଙ୍କ ପାଇଁ ଜଳଛତ୍ରରେ ପାନୀୟ ଜଳ ବ୍ୟବସ୍ଥା ସହିତ ଓଆରଏସ୍ ଯୋଗାଣ ଓ ସେଠାରେ ଛାୟାଯୁକ୍ତ ବିଶ୍ରାମ ସ୍ଥଳ କାର୍ଯ୍ୟକାରୀ କରିବାକୁ କୁହାଗଲା । ସମସ୍ତ ବସରେ ପର୍ଯ୍ୟାପ୍ତ ପିଇବା ପାଣି ବୋତଲ ଓ ଓଆରଏସ୍ ରହିବ । ପରିସ୍ଥିତିର ନିରନ୍ତର ନିରୀକ୍ଷଣ , ସମୟୋଚିତ ପଦକ୍ଷେପ ଗ୍ରହଣ ଓ ଆପାତକାଳୀନ ସହାୟତା ପାଇଁ ଜିଲ୍ଲା ମୁଖ୍ୟାଳୟରେ ଏବଂ ପ୍ରତି ବ୍ଲକ ଓ ତହସିଲରେ କଣ୍ଟ୍ରୋଲ ରୁମ୍ ୨୪ x ୭ କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ ଦିଆଗଲା। ଗ୍ରୀଷ୍ମଋତୁରେ ମଧ୍ୟ ପ୍ରତିଦିନ ପ୍ରାତଃ କାଳରେ ଅଙ୍ଗନବାଡି କେନ୍ଦ୍ର ଖୋଲା ରହିବା ସହିତ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କୁ ଆବଶ୍ୟକ ପୃଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ । ବିଦ୍ୟୁତ୍ ବିଭାଗ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବେ l ଜିଲ୍ଲାପାଳ ସମସ୍ତ ବିଭାଗକୁ ସଚେତନ ରହି ସମନ୍ୱିତ ଭାବରେ କାର୍ଯ୍ୟ କରିବା ସହ ବରିଷ୍ଠ ନାଗରିକ, ଶିଶୁ, ବାହାରେ କାମ କରୁଥିବା ଶ୍ରମିକ ଓ ଅସହାୟ ବର୍ଗଙ୍କୁ ବିଶେଷ ଧ୍ୟାନ ଦେବାକୁ ନିର୍ଦେଶ ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande