
ଝାରସୁଗୁଡ଼ା, ୩୦ ଏପ୍ରିଲ୍ (ହି.ସ.)- କୋଲାବିରା ଥାନା ଅଧିନସ୍ଥ ନେଟୀଡିହି ଗ୍ରାମରେ ରବିବାର ସନ୍ଧ୍ୟାରେ ଜଣେ ଅଜଣା ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା l ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ୍ୟୁ ପୂର୍ବରୁ ଦୁଇ ତିନି ଦିନ ଧରି ବୃଦ୍ଧା ଜଣକ ପତ୍ରାପାଲି, ନେଟୀଡିହି, ରଘୁନାଥପାଲି ଅଞ୍ଚଳରେ ବୁଲାବୁଲି କରୁଥିଲେ l ତେବେ ରବିବାର ସନ୍ଧ୍ୟାରେ ନେଟୀଡିହି ଗ୍ରାମର ଏକ ଚାଷ ଜମିରେ ବୃଦ୍ଧା ଜଣକ ଅଚେତ୍ ଅବସ୍ଥାରେ ପଡିରହିଥିବା ନେଇ ଗ୍ରାମବାସୀ ଦେଖିବାକୁ ପାଇଥିଲେ l ଗ୍ରାମବାସୀ କୋଲାବିରା ପୋଲିସକୁ ଖବର ଦେଇଥିଲେ l ଶେଷରେ ପୋଲିସ ଓ ଗ୍ରାମବାସୀଙ୍କ ଉଦ୍ୟମରେ ବୃଦ୍ଧାଙ୍କ ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା l ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏ ନେଇ କୋଲାବିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ବୃଦ୍ଧାଙ୍କ ପରିଚୟ ଖୋଜିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ କରାଯାଉଥିଲା l ଶେଷରେ ବୃଦ୍ଧାଙ୍କ ପରିଚୟ ମିଳିଯାଇଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ l ମୃତ ବୃଦ୍ଧା ହେଲେ ସମ୍ବଲପୁର ଜିଲ୍ଲା ଠେଲକୁଲି ଥାନା ଅଧିନସ୍ଥ ଘିଚାମୁରା ଗ୍ରାମର ସ୍ବର୍ଗତ ନବୀନ ବେସନଙ୍କ ସ୍ତ୍ରୀ ସତ୍ୟବତୀ ବେସନ (୭୫) l ମୃତ ସତ୍ୟବତୀଙ୍କ ପୁଅ ନିଜ ପରିବାର ସହ କୋଲାବିରା ଥାନା ଖୁନାପାଳିରେ ରହୁଥିଲେ l ସତ୍ୟବତୀ ନିଜ ପୁଅ ଘରକୁ ଆସିଥିବା ବେଳେ ମାନସିକ ଅବସ୍ଥା ଠିକ୍ ନଥିବାରୁ ସେ ପୁଅ ଘରୁ କେଉଁ ଆଡେ ଚାଲି ଯାଇଥିଲେ ବୋଲି ତଦନ୍ତକାରୀ ଅଫିସର ଏଏସଆଇ ସୁଶିଲ କୁମାର ଦାଶ ସୂଚନା ଦେଇଛନ୍ତି l ଏନେଇ ତାଙ୍କ ପରିବାରଙ୍କ ଅଭିଯୋଗ କ୍ରମେ ନିଖୋଜ ମାମଲା ମଧ୍ୟ ରୁଜୁ ହୋଇଥିଲା l ତେବେ ଅସହ୍ୟ ତାପମାତ୍ରାରେ ସତ୍ୟବତୀ ୨/୩ ଦିନ ବାହାରେ ବୁଲା ବୁଲି କରୁଥିବାରୁ ତାଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି l ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ହିଁ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ