ଜଙ୍ଗଲରେ ବନଗ୍ନି ରୋକିବା ପାଇଁ ଅଂଟା ଭିଡ଼ିଲେ ମହିଳା
ଜୟପୁର, ୦୫ ଏପ୍ରିଲ୍ (ହି.ସ.) - ଜଙ୍ଗଲ ସୁରକ୍ଷା, ଜୀବନ ରକ୍ଷା ଆହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଲୋଗାନ, ଏହି କଥାକୁ ଅତି ନିକଟରୁ ହୃଦୟଙ୍କମ କରିଛନ୍ତି ଉପାନ୍ତ ଅଂଚଳର ଲୋକେ । ସେମାନେ ଜଙ୍ଗଲ ସଂରକ୍ଷଣର ଆବଶ୍ୟକତାକୁ ବୁଝିଛନ୍ତି କ୍ଷ ଜଙ୍ଗଲ ହେଉଛି ପ୍ରାକୃତିକ ସମ୍ପଦ, ଯାହା ଆମକୁ ଶୁଦ୍ଧ ବାୟ
ଜଙ୍ଗଲରେ ବନଗ୍ନି ରୋକିବା ପାଇଁ ଅଣ୍ଟା ଭିଡ଼ିଲେ ମହିଳା


ଜୟପୁର, ୦୫ ଏପ୍ରିଲ୍ (ହି.ସ.) - ଜଙ୍ଗଲ ସୁରକ୍ଷା, ଜୀବନ ରକ୍ଷା ଆହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଲୋଗାନ, ଏହି କଥାକୁ ଅତି ନିକଟରୁ ହୃଦୟଙ୍କମ କରିଛନ୍ତି ଉପାନ୍ତ ଅଂଚଳର ଲୋକେ । ସେମାନେ ଜଙ୍ଗଲ ସଂରକ୍ଷଣର ଆବଶ୍ୟକତାକୁ ବୁଝିଛନ୍ତି କ୍ଷ ଜଙ୍ଗଲ ହେଉଛି ପ୍ରାକୃତିକ ସମ୍ପଦ, ଯାହା ଆମକୁ ଶୁଦ୍ଧ ବାୟୁ, ପାଣି, ଖାଦ୍ୟ ଏବଂ ଔଷଧ ଯୋଗାଇଥାଏ । ଏଣୁ ଜଙ୍ଗଲରେ ବନଗ୍ନି ରୋକିବା ପାଇଁ ଅଂଟା ଭିଡ଼ିଛନ୍ତି । କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ବନାଂଚଳ ଅନ୍ତର୍ଗତ ରାମଗିରି ପଂଚାୟତ କୁମ୍ଭୀଖରୀ ଗାଁ ରେ ଏଭଳି କିଛି ଦେଖିବାକୁ ମିଳିଛି ।

କୁମ୍ଭୀଖରୀ ଗାଁର ପ୍ରତ୍ୟେକ ମହିଳା ପୁରୁଷ ମାନେ ପାଳିକରି ଜଙ୍ଗଲ ଜଗୁଛନ୍ତି । ପୂର୍ବରୁ ଏହି ଗାଁ କୁ ଲାଗି ରହିଥିବା ଜଙ୍ଗଲ କାଠ ମାଫିଆଙ୍କ ଦ୍ୱାରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ବର୍ତମାନ କିନ୍ତୁ ଗାଁ ଲୋକେ ସଚେତନ । ଗାଁର ପାଟଦେଇ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କୁ ନେଇ ବନ ସୁରକ୍ଷା ସମିତି ଗଠନ ହୋଇଛି। ଗାଁର ଚତୁର୍ଦ୍ଧିଗରେ ରହିଛି ସଂରକ୍ଷିତ ଜଙ୍ଗଲ । ପାଳି କରି ମହିଳା ପୁରୁଷ ଜଙ୍ଗଲର ଦାୟିତ୍ୱ ଓ ଯତ୍ନ ନେଇ ଆସୁଛନ୍ତି । ବନ ସୁରକ୍ଷା ସମିତିର ସଦସ୍ୟଙ୍କ ଅକ୍ଲାନ୍ତ ପରିଶ୍ରମରୁ ପାଖାପାଖି ପାଂଚ କିଲୋମିଟର ପରିଧି ମଧ୍ୟରେ ୫୦ ହେକ୍ଟରରୁ ଅଧିକ ପଥରୁଆ ଜମି ଜଙ୍ଗଲ ସୁରକ୍ଷିତ ହୋଇଛି । କାଠ ମାଫିଆଙ୍କ ଦ୍ୱାରା ଜଙ୍ଗଲ ସମ୍ପୂର୍ଣ୍ଣ ନଷ୍ଟ ହେବା ପରେ ବନବିଭାଗ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଚାରା ରୋପଣ କରାଗଲା । ଆଉ ଏ ହେଉଛି ତାହାର ବାସ୍ତବ ଦୃଶ୍ୟ । ବନ ସୁରକ୍ଷା ସମିତି ଗଠନ କରି କୁମ୍ଭୀଖାରି ଗାଁ ଲୋକେ ଜଙ୍ଗଲର ସୁରକ୍ଷା ଦାୟିତ୍ୱ ଏବେ ନିଜ ହାତକୁ ନେଇଛନ୍ତି । ବିଶେଷ କରି ଏବେ ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ପ୍ରତି ଯଥେଷ୍ଟ ଆଶଙ୍କା ରହିଥାଏ । ତେଣୁ ଗାଁ ଲୋକେ ପ୍ରତିଦିନ ପାଳିକରି ଜଙ୍ଗଲ ଜଗି ଆସୁଛନ୍ତି । ଦିନସାରା ଜଙ୍ଗଲରୁ ଫାୟର୍ ଲାଇନ କାଟନ୍ତି । ତାସହ ଲୋକଙ୍କୁ ନିଆଁ ଲିଭାଇବା ପାଇଁ ସଚେତନ କରାଇଥାନ୍ତି । ମହିଳା ମାନେ ହାତରେ କାଠ ଧରି ପାଳି କରି ଜଙ୍ଗଲ ଜଗୁଥିବାରୁ ଜଙ୍ଗଲରୁ କାଠ ଚୋରି ମଧ୍ୟ ବନ୍ଦ ହୋଇଯାଇଛି । ବନ ସୁରକ୍ଷା ସମତି ସଭାପତି ସାଧୁ ଚରଣ ସିଶାଙ୍କ କହିବା ଅନୁଯାଇ, ଜଙ୍ଗଲ ହେଉଛି ବନ୍ୟପ୍ରାଣୀଙ୍କ ବାସସ୍ଥଳୀ, ତାହାର ସୁରକ୍ଷା ନକଲେ ଜୀବଜନ୍ତୁ ଗାଁ ମୁହାଁ ହେବେ। ଫଳରେ ଗାଁ ଲୋକେ ମଧ୍ୟ ହଇରାଣ ହେବେ । ଗଛ କାଟିବା ଏବଂ ଜଙ୍ଗଲ ଜଳାଇବା ଭବିଷ୍ୟତ ପାଇଁ ବିପଜ୍ଜନକ, ତେଣୁ ଏହା ବିରୁଦ୍ଧରେ ସଚେତନତା ଆବଶ୍ୟକ। ଜଙ୍ଗଲ ବଂଚିଲେ ହିଁ ଆମେ ବଂଚିଥିବୁ । ସେହିପରି ପାତାଲଦେଇ ସ୍ୱୟଂ ସହାୟକ ମହିଳା ଗୋଷ୍ଟୀ ସଭାପତି ବୃନ୍ଦା ବତୀ ସିଶାଙ୍କ କହିବା ଅନୁଯାଇ, ଆମେ ଆଦିବାସୀ , ଜଙ୍ଗଲ ଉପରେ ନିର୍ଭରଶୀଳ । ଜଙ୍ଗଲରୁ ଖାଦ୍ୟ, କାଠ, ପତ୍ର, ଜଙ୍ଗଲଜାତ ଫଳ, ଫୁଲ, ମହୁ, ଝୁଣା ଓ ସେମାନଙ୍କ ଗୃହପାଳିତ ପଶୁମାନଙ୍କ ପାଇଁ ଚାରା ଇତ୍ୟାଦି ସଂଗ୍ରହ କରି ନିଜର ଜୀବିକା ନିର୍ବାହ କରୁଛୁ । ଘର ତିଆରି ପାଇଁ ଦରକାର ପ୍ରାୟ ସମସ୍ତ ଉପାଦାନ ମଧ୍ୟ ଜଙ୍ଗଳରୁ ସଂଗ୍ରହ କରୁଛୁ ଏଣୁ ଆମେ କୋଦପି ଜଙ୍ଗଲ ନଷ୍ଟ ହେବାକୁ ଦେବୁ ନାହିଁ । ଏନେଇ ଗୁପ୍ତେଶ୍ୱର ବନାଂଚଳ ଅଧିକାରୀ ଛବିନ୍ଦ୍ର ରନ୍ଧାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ବନ ବିଭାଗ ତରଫରୁ ଜଙ୍ଗଲ ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରାଯାଉଛି । ଆଜି କାଲି ଖରା ଦିନ ଗାଁ ଲୋକେ ନିଜ ଜଙ୍ଗଲ କୁ ନିଜେ ସୁରକ୍ଷା ଦେଉଛନ୍ତି । ଜଙ୍ଗଲ ସୁରକ୍ଷା କରିବା କେବଳ ଯେ ନିର୍ଦ୍ଧିଷ୍ଟ ଲୋକଙ୍କ ଉପରେ ନିର୍ଭର ନ କରି ଆମ ସମସ୍ତଙ୍କର ଦାୟିତ୍ୱ ନେବା ଜରୁରୀ, ଯାହା ଦ୍ୱାରା ଆମେ ଏବଂ ଆମର ଭବିଷ୍ୟତ ପିଢ଼ି ସୁସ୍ଥ ଜୀବନ ବଂଚିପାରିବ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande