
ମାଲକାନଗିରି, ୫ ଅପ୍ରେଲ (ହି.ସ.)- ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ଆଜି କାଲିମେଳା ବ୍ଲକ ଅନ୍ତର୍ଗତ ମୋଟୁ ତହସିଲ ର ମାରିବାଞ୍ଛା ମୌଜାରେ ଥିବା ଇସମାଇଲ ନଗରରେ ବୁଲଡୋଜର ବୁଲିଛି। ସେଠାରେ ପ୍ରାୟ ୨୨ ଏକର ଜଙ୍ଗଲ ଜମିରେ ଗଢି ଉଠି ଥିବା ବିଶାଳ କୋଠା ଘରକୁ ବୁଲଡୋଜର ଲଗାଇ ମାଟିରେ ମିଶାଇ ଦିଆଯାଇଛି।
ମାଲକାନଗିରି ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇଙ୍କ ପ୍ରତ୍ୟକ୍ଷ ଦତ୍ୱାବଧାନରେ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ଆଜି ସକାଳୁ ସକାଳୁ ଏପରି ଘଟଣା ଦେଖିବାକୁ ମିଳିଥିଲା। ଏହି ସ୍ଥାନରେ ଅନେକ ବର୍ଷ ହେଲା ମୋଟୁର ମାସୁମ ଖାନ ଓ ତାଙ୍କ ଭାଇ ଜମାଲ ଖାନ ଏକ ଜଡିବୁଟି କାରଖାନା ସ୍ଥାପନ କରିଥିଲେ। ସେଠାରେ ଏକ ଦୁଇତାଲା ଗୃହ ସହ ଡାକ୍ତର ଚାମ୍ବର, ରୋଗୀ ପାଇଁ ଅପେକ୍ଷା ଗୃହ, ଚେର ମୂଳିରୁ ପ୍ରସ୍ତୁତ ଏକ ଔଷଧ କାରଖାନା, ଏକ ଔଷଧୀୟ ବଗିଚା ଗୋଦାମ ଗୃହ, ୧୦ଟି ବିରାଟକାୟ ମାଛ ଚାଷ ପୋଖରୀ, ଜଙ୍ଗଲ ଜମିରେ ବେଆଇନ ଭାବରେ ହୋଇଥିବା ଅଭିଯୋଗ ହେବା ପରେ ଗତ ବର୍ଷ ପ୍ରଶାସନ ପକ୍ଷରୁ ଜାଗା ଖାଲି କରିବାକୁ ନୋଟିସ ଜାରି କରାଯାଇଥିଲା। ମାଲକାନଗିରି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଡିବୁଟି କାରଖାନାକୁ ସିଲ କରି ଦିଆଯାଇଥିଲା। ତେବେ ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ଆଜି ପ୍ରଶାସନ ମୋଟୁର ଏହି ଇସମାଇଲ ନଗରକୁ ବୁଲଡୋଜରରେ ମାଟିରେ ମିଶାଇ ଦେଇଥିବାର ଦେଖିବାକୁ ମିଳିଛି। ଆଜି ୪ଟି ବୁଲଡୋଜର ସହ ୨ଶହ ପୁଲିସ ଫୋର୍ସ ଉପସ୍ଥିତ ଥିବାର ଦେଖାଯାଇଥିଲା। ଏହି ଜଙ୍ଗଲ ଜମି କିପରି ଜବରଦଖଲ କେଶ ହେଲା ଏହା ପଛରେ ସମ୍ପୃକ୍ତ ଥିବା ତତ୍କାଳୀନ ବନ ବିଭାଗ ଅଧିକାରୀ, ମୋଟୁ ତହସିଲ ର ରାଜସ୍ୱ ନିରୀକ୍ଷକ ଓ ସୁପରଭାଇଜରଙ୍କ ବିରୁଦ୍ଧରେ ରାଜ୍ୟ ସରକାର କ'ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ରହିଲା।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ