
ଭୁବନ, ୦୫ ଏପ୍ରିଲ୍ (ହି.ସ.) - ଆଜି କାଲିକା ପ୍ରେମରେ ପ୍ରେମିକ ମାନେ ବହୁତ୍ ଚାଲାକ୍। ଅଧିକାଂଶ ପ୍ରେମିକ ,ପ୍ରେମିକାର ଅନ୍ତରଙ୍ଗ ଭିଡିଓ ରଖି ପ୍ରେମିକାକୁ ଇମୋସନାଲ ବ୍ଲାକ ମେଲିଂ କରୁଥିବା ବେଳେ ଭୁବନ ଅଂଚଳରେ ଜଣେ ପ୍ରେମିକାର ବ୍ଲାକ ମେଲିଂ ସହ୍ୟ କରିନପାରି ପ୍ରେମିକ ଶେଷରେ ଜୀବନ ହାରି ଦେଇଥିବା ଘଟଣା ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାପ୍ତ ସୂଚନାନୁଯାୟୀ ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ଗ୍ରାମର ବାବୁଲି ଆଏଚଙ୍କ ସାନ ପୁଅ ପ୍ରକାଶ ଆଏଚ ( ୨୨ ) ବିଦ୍ୟୁତ ୱାରିଂ ମିସ୍ତ୍ରୀ ଭାବେ କାମ କରନ୍ତି । ଏକ ଦୁର୍ବଳ ମୁହୂର୍ତରେ ପଡୋଶୀ ବାଲିବୋ ଗ୍ରାମର ଜନୈକା ଝିଅଙ୍କୁ ଭଲ ପାଉଥିଲେ । ଗତକାଲି ଶନିବାର ସକାଳେ ଦୁହିଁଙ୍କ ମଧ୍ୟରେ ହ୍ୱାଟସ ଆପ ଯୋଗେ ଚାଟିଂ ଓ ଉଭୟଙ୍କର ଫଟୋ ଦିଆନିଆ ହୋଇଥିଲା। ପୂର୍ବାହ୍ନ ୧୧.୧୪ ମିନିଟ୍ ସମୟରେ ଯୁବକ ଜଣକ ଦଉଡି ଦେବାକୁ ଯାଉଥିବାର ଏକ ଫଟୋ ହ୍ୱାଟସ ଆପରେ ପଠାଇଥିଲେ । ତାପରେ ଠିକ ୧୧.୧୫ ରେ ପ୍ରେମିକାର ଭିଡିଓ କଲ ଆସିଥିଲା । କିନ୍ତୁ ତାହା ରିସିଭ୍ ହୋଇନଥିଲା । ୧୧.୩୦ ରେ ପୁଅ ବେକରେ ରଶି ଲଗାଇ ଝୁଲି ପଡିଥିବା ପୁଅର ମା ଦେଖି ସମସ୍ତଙ୍କୁ ଡାକ ପକାଇଥିଲେ । ମାଆଙ୍କ ଚିତ୍କାର ଶୁଣି ପରିବାର ଲୋକେ ଯୁବକଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ମୃତ ଯୁବକର ବାପା ଭୁବନ ଥାନାରେ ପ୍ରେମିକା ନାମରେ ବ୍ଲାକମେଲିଂ ଅଭିଯୋଗ ଆଣିବା ସହ ତାଙ୍କ ପୁଅ ମୃତ୍ୟୁ ପାଇଁ ପ୍ରେମିକା କୁ ଦାୟୀ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଶବ ଜବତ କରି ତଦନ୍ତ ଚଳାଇଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ