
ଝାରସୁଗୁଡ଼ା, ୦୫ ଏପ୍ରିଲ୍ (ହି.ସ.) - ଓଡିଶା ଦିବସ (୧ ଏପ୍ରିଲ) ଠାରୁ ନେଇ ଓଡିଆ ନବବର୍ଷ (୧୪ ଏପ୍ରିଲ) ପର୍ଯ୍ୟନ୍ତ ୧୪ ଦିନ ବ୍ୟାପୀ “ ଓଡିଆ ପକ୍ଷ” ପାଳନ ଉପଲକ୍ଷେ ଆଜି ଜିଲ୍ଲା ପ୍ରଶାସନ ତରଫରୁ ଏକ ଐତିହ୍ୟ ଗଣ ଦୌଡ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲାଜ୍ଝ ଏହି ସମାରୋହ ରେ ଛାତ୍ରଛାତ୍ରୀ, ଅଭିଭାବକ, ବରିଷ୍ଠ ନାଗରିକ, ସାମ୍ବାଦିକ ଏବଂ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ପ୍ରତିନିଧି ନଭଲ ଅଗ୍ରୱାଲ, ମାନ୍ୟବର ବିଧାୟକଙ୍କ ପ୍ରତିନିଧି ବଲୱିନ୍ଦର୍ ସିଂହ, ଅତିରିକ୍ତ ଜିଲ୍ଲାପାଳ ବ୍ରଜ ବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କିଶୋର ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଏବଂ ଉଦ୍ଦେଶ୍ୟ ସମ୍ବନ୍ଧରେ ସମ୍ୟକ ଆଲୋକପାତ କରିଥିଲେ। ଏହି ଐତିହ୍ୟ ଗଣ ଦୌଡ କାର୍ଯ୍ୟକ୍ରମଟି ପି.ଏମ୍. ଶ୍ରୀ ହାଇସ୍କୁଲ, ପୁରୁଣାବସ୍ତି ରୁ ଝାଡ଼େଶ୍ୱର ମନ୍ଦିର, ଝାରସୁଗୁଡ଼ା ଠାରେ ସମାପନ ହୋଇଥିଲା। ଏହି କାର୍ଯ୍ୟକ୍ରମଟିକୁ ଜିଲ୍ଲା କ୍ରୀଡା ଅଧିକାରୀ ଅମ୍ରିତ ଆଚାର୍ଯ୍ୟ ସୂଚାରୁ ରୂପେ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ