
କେନ୍ଦୁଝର, ୦୫ ଏପ୍ରିଲ୍ (ହି.ସ.) - ସମୃଦ୍ଧ ଶିଳ୍ପ-ସ୍ଥାପତ୍ୟ, କଳା-ଭାସ୍କର?୍ୟ୍ୟ, ସାଂସ୍କୃତିକ ବିଭବ ଏବଂ ଐତିହ୍ୟ କୀର୍ତିରାଜିରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡ଼ିଶା। ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଶାରେ ରହିଥିବା ଐତିହ୍ୟ ସ୍ଥଳୀଗୁଡ଼ିକର ବହୁଳ ପ୍ରଚାର ଓ ପ୍ରସାର କରିବା ଏବଂ ଯୁବପିଢ଼ିଙ୍କୁ ଏହାର ଗୌରବମୟ ଇତିହାସ ସମ୍ବନ୍ଧରେ ଅବଗତ କରାଇବା ନିମନ୍ତେ ରାଜ୍ୟବ୍ୟାପୀ ଆୟୋଜିତ ହେଇଛି ଐତିହ୍ୟ ଗଣଦୌଡ। ଓଡ଼ିଆ ପକ୍ଷର ପଂଚମ ଦିବସରେ ଆଜି କେନ୍ଦୁଝରଠାରେ ଶ୍ରୀଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରୁ ସିଦ୍ଧମଠ ଯାଏଁ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା।ଏଥିରେ ଶହ ଶହ ସଂଖ୍ୟାରେ କେନ୍ଦୁଝରର ଜନସାଧାରଣ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ଓଡ଼ିଆ ପକ୍ଷ ପାଳନର ଉତ୍ସାହ ସମସ୍ତଙ୍କ ମଧ୍ୟରେ ପରିଲକ୍ଷିତ ହୋଇଥିଲା। ଏଥିସହିତ ଏହି ପ୍ରାଚୀନ ମନ୍ଦିରର ବୈଭବକୁ ଯୁବପିଢ଼ିଙ୍କ ମଧ୍ୟରେ ଆହୁରି ଉଜ୍ଜୀବିତ କରିବା ପାଇଁ ସମସ୍ତେ ଏଠାରେ ନିଜର ସେଲ୍ଫି ଉଠାଇ ଏହାକୁ ସାମାଜିକ ଗଣମାଧ୍ୟମରେ ଅପଲୋଡ଼ ମଧ୍ୟ କରିଥିଲେ।
ଆଜିର କାର୍ଯ୍ୟକ୍ରମରେ କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଦୌଡ଼ର ଆନୁଷ୍ଠାନିକ ଶୁଭାରମ୍ଭ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା, ଜିଲ୍ଲା ଅବକାରୀ ଅଧିକ୍ଷକ ତେଜରାଜ ଜାନି, ଜିଲ୍ଲା କ୍ରୀଡ଼ା ଅଧିକାରୀ ସରୋଜ କୁମାର ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ ଓ କ୍ରୀଡ଼ା ପ୍ରଶିକ୍ଷକ ଜିତେନ୍ଦ୍ର କୁମାର ମହାକୁଡ଼ ପ୍ରମୁଖ ସାମିଲ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA