
କେନ୍ଦ୍ରାପଡ଼ା, ୦୫ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ଚାଲିଥିବା ନବଦିନ ବ୍ୟାପୀ ପ୍ରଭୁ ଶ୍ରୀରାମଙ୍କ ଲୀଳା ମହାସମାରୋହରେ ପାଳିତ ହେଉଅଛି। ଆଜି ମହାପ୍ରଭୁଙ୍କ ନବଦିନ ଯାତ୍ରାର ଅନ୍ତିମ ତଥା ନବମ ଦିବସରେ ଭକ୍ରିମୟ ପରିବେଶ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରାମ ଟୁଙ୍ଗି ସମ୍ମୁଖରେ ମହାପ୍ରଭୁଙ୍କ ପୂଜାପଣ୍ଡା କମିଟିର ସଦସ୍ୟମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଉତ୍ସାହିତ କରାଯିବା ସହ ସେମାନଙ୍କୁ ଆଶୀର୍ବାଦ ପ୍ରଦାନ କରାଯାଇଥିଲା। ଶ୍ରୀରାମଙ୍କ ଜୀବନ ଆଧାରିତ ଏହି ଲୀଳାକୁ ସଫଳ କରିବାରେ ପୂଜକ ଓ କମିଟି ସଦସ୍ୟମାନ ଏବଂ କଳାକାରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବାରୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଅପରପକ୍ଷରେ, ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ରାମଲିଳା ସମିତି ପକ୍ଷରୁ ମଂଚରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସମିତିର କଳାକାରମାନଙ୍କ ପକ୍ଷରୁ ସକ୍ରିୟ କର୍ମକର୍ତାଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ କରାଯାଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଲଗାତାର ୯ ଦିନ ଧରି ନିଷ୍ଠାର ସହ କାର୍ଯ୍ୟ କରିଥିବା ଆୟୋଜକଙ୍କୁ ଏହି ଅବସରରେ ସାଧୁବାଦ ଜଣାଯାଇଥିଲା। ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାମ ଲିଳା ସମିତର ସଭାପତି ନରୋତମ ଦାସ, ଉପସଭାପତି ଅରବିନ୍ଦ ସାହୁ, ସମ୍ପାଦକ ଅକ୍ଷୟ କୁମାର ମେକାପ, ସହ ସମ୍ପାଦକ ଅମ୍ବିକା ପ୍ରସାଦ ବ୍ରହ୍ମଚାରୀ, କୋଷାଧ୍ୟକ୍ଷ କାର୍ତିକ ଚନ୍ଦ୍ର ସାହୁ, ଅଭିନାଶ ବ୍ରହ୍ମଚାରୀ, କୁଳମଣି ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି