
ମୁଖୀଗୁଡା,୫ଏପ୍ରିଲ (ହି ସ)କଳାହାଣ୍ଡି ଜିଲ୍ଲାର ବହୁ ପ୍ରତୀକ୍ଷିତ ମୁଖୀଗୁଡା - ମହୁଲପାଟଣା ଘାଟି ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଉଛି। ଉପର ଇନ୍ଦ୍ରାବତୀ ପ୍ରକଳ୍ପ ଅଧୀନରେ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର କାର୍ଯ୍ୟ ଅତି ନିମ୍ନମାନର ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଦୀର୍ଘ ବର୍ଷ ଧରି ଏହି ରାସ୍ତା ଶୋଚନୀୟ ହୋଇ ପଡ଼ିଥିଲା। ଫଳରେ ଥୁଆମୂଳ ରାମପୁର ବ୍ଲକର ଅନେକ ପଞ୍ଚାୟତ ସହ ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ଲୋକେ ଯାତାୟାତରେ ନାହିଁ ନଥିବା ଅସୁବିଧା ଭୋଗୁଥିଲେ। ଇନ୍ଦ୍ରାବତୀ ଜଳଭଣ୍ଡାରକୁ
ଏଠାକୁ ବର୍ଷସାରା ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ, କିନ୍ତୁ ଖରାପ ରାସ୍ତା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିଲା।ଜନସାଧାରଣଙ୍କ ଦାବି ଓ ଲାଞ୍ଜିଗଡ଼ ବିଧାୟକଙ୍କ ହସ୍ତକ୍ଷେପ ପରେ କେପେକ୍ସ ଫଣ୍ଡରୁ ୮ କୋଟି ଟଙ୍କା ମଞ୍ଜୁର ହୋଇଛି। ୧୩ କିଲୋମିଟର ରାସ୍ତା କୁ ୪ଟି ସେକ୍ସନରେ ବିଭକ୍ତ କରାଯାଇଛି।
୫ ମିଟର ଓସାରର ରାସ୍ତାରେ ଡବ୍ଲୁଏମଏମ, ୫୦ ଏମଏମର ବିଏମ ଏବଂ ୨୫ ଏମଏମର ଏଚଡିବିସି ସହ ଟେଗ୍ କୋଟ୍ ରହିବା କଥା। କିନ୍ତୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଠିକାଦାରମାନେ ସରକାରୀ ନିୟମକୁ ଫୁ କରି ଉଡ଼ାଇ ଦେଉଛନ୍ତି ।
ପୁରୁଣା ରାସ୍ତା ଖୋଳିବା ପରେ ଠିକ୍ ଭାବେ ରୋଲିଂ କରାଯାଉ ନାହିଁ। ଏଷ୍ଟିମେଟ ଅନୁଯାୟୀ ଡବ୍ଲୁଏମଏମ ନଦେଇ ସିଧାସଳଖ ପିଚୁ କରାଯାଉଛି। ବ୍ୟବହୃତ ପିଚୁର ମାନ ଅତ୍ୟନ୍ତ ଖରାପ, ଯାହା ନିର୍ମାଣ ଶେଷ ହେବା ପୂର୍ବରୁ ହିଁ ନଷ୍ଟ ହେବାକୁ ବସିଲାଣି।ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଇନ୍ଦ୍ରାବତୀ ପ୍ରକଳ୍ପର ଯନ୍ତ୍ରୀମାନେ ସବୁ ଜାଣି ମଧ୍ୟ ନିରବ ଦ୍ରଷ୍ଟା ସାଜିଛନ୍ତି। ଅଭିଯୋଗ କଲେ ମଧ୍ୟ ସେମାନେ ବିଭିନ୍ନ ବାହାନା ଦେଖାଇ ଠିକାଦାରଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। ଏସମ୍ପର୍କରେ ମୁରାନ ଡେମ ଡିଭିଜନ ଏସଡିଓ ବିଶ୍ୱନାଥ ସୋରେନଙ୍କୁ ପଚାରିବାରୁ ପିଚୁ ହେବା ପରେ ପରେ ଭାରି ଯାନ ଯାଉଥିବାରୁ ବୁଲାଣି ନିକଟରେ ପିଚୁ ଦବି ଯାଉଥିବା କହିଥିଲେ । ସାଧାରଣ ଜନତା ଏହି ରାସ୍ତା ନିର୍ମାଣର ଏକ ଉଚ୍ଚସ୍ତରୀୟ ତଦନ୍ତଏବଂ ଦୋଷୀ ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ନିହାର