
ସମ୍ବଲପୁର, ୦୫, ଏପ୍ରିଲ୍ (ହି.ସ.) - ସମାଜର ଅନ୍ତିମ ଶ୍ରେଣୀରେ ଥିବା ପ୍ରତିଭାମାନଙ୍କ ସ୍ୱପ୍ନକୁ ପୂରଣ କରିବା ଦିଗରେ ଓଡ଼ିଶା କ୍ୟାବିନେଟ ଏକ ଐତିହାସିକ ପଦକ୍ଷେପ ନେଇଛି ବୋଲି ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । କାରଣ ପ୍ରଥମ ଥର ପାଇଁ ଡାକ୍ତରୀ, ବୈଷୟିକ, କୃଷି ଓ ଆନୁସଙ୍ଗିକ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏସଇବିସି ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୧.୨୫% ସଂରକ୍ଷଣ ବ୍ୟବସ୍ଥାକୁ କ୍ୟାବିନେଟ୍ ମଞ୍ଜୁରୀ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣକୁ ୧୨% ରୁ ୨୨.୫୦% ଏବଂ ଏସସି ପାଇଁ ୮% ରୁ ୧୬.୨୫% କୁ ବୃଦ୍ଧି ନିଷ୍ପତି ମଧ୍ୟ ଅତ୍ୟନ୍ତ ପ୍ରଶଂସନୀୟ ।
ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ସହ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ରାଜ୍ୟ କ୍ୟାବିନେଟ୍ର ଐତିହାସିକ ନିଷ୍ପତିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି । ମେଡ଼ିକାଲ, ଇଞ୍ଜିନିୟରିଂ, କୃଷି, ଅନ୍ୟାନ୍ୟ ଉଚ୍ଚ ଶିକ୍ଷା ତଥା ଆନୁସଙ୍ଗିକ ପ୍ରଯୁକ୍ତିବିଦ୍ୟାଭିତିକ ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ସୀମା ବୃଦ୍ଧି ନିଷ୍ପତି ସମାଜର ଅନ୍ତିମ ଶ୍ରେଣୀରେ ଥିବା ପ୍ରତିଭାମାନଙ୍କୁ ସ୍ୱପ୍ନକୁ ପୂରଣ କରିବା ଦିଗରେ ଐତିହାସିକ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାର ମେଡ଼ିକାଲ, ଇଞ୍ଜିନିୟରି, କୃଷି ତଥା ଆନୁସଙ୍ଗିକ ପ୍ରଯୁକ୍ତି ବିଦ୍ୟାଭିତିକ ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁସୂଚିତ ଜନଜାତି (ଏସଟି) ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣକୁ ୧୨% ରୁ ୨୨.୫୦% ଏବଂ ଅନୁସୂଚିତ ଜାତି (ଏସି) ପାଇଁ ୮% ରୁ ୧୬.୨୫% କୁ ବୃଦ୍ଧି କରାଯାଇଛି । ରାଜ୍ୟରେ ପ୍ରଥମ ଥର ପାଇଁ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ (ଏସଇବିସି) ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୧.୨୫% ସଂରକ୍ଷଣ ବ୍ୟବସ୍ଥାକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସମାଜର ପ୍ରତ୍ୟେକ ବର୍ଗକୁ ସମାନ ସୁଯୋଗ, ଅଧିକାର ଓ ସମ୍ମାନଜନକ ଜୀବନ ପ୍ରଦାନ କରିବା ଆମ ସରକାରଙ୍କ ପ୍ରାଥମିକତା । ପ୍ରଧାନମନ୍ତ୍ରୀଙ୍କ ‘ସବକା ସାଥ୍, ସବକା ବିକାଶ’ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶା ସରକାରଙ୍କ ଏହି ନିଷ୍ପତି ଡବଲ ଇଞ୍ଜିନ ସରକାରଙ୍କ ‘ଅନ୍ତ୍ୟୋଦୟ ସଂକଳ୍ପ’ ବା ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ବିକାଶ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏହି ଐତିହାସିକ ନିଷ୍ପତି ସମାଜର ଅନ୍ତିମ ଶ୍ରେଣୀରେ ଥିବା ମେଧାବୀ ପ୍ରତିଭାମାନଙ୍କୁ ସଶକ୍ତ କରିବା ସହ ରାଜ୍ୟର ସାଧାରଣ ଗରିବ ପରିବାରର ଛାତ୍ରଛାତ୍ରୀଙ୍କ ମେଡିକାଲ ଓ ଇଞ୍ଜିନିୟରିଂ ପଢ଼ିବା ସ୍ୱପ୍ନକୁ ସାକାର କରିବାରେ ଏକ ପ୍ରମୁଖ ମାଧ୍ୟମ ହେବ । ସେହିପରି ଏହି ନିଷ୍ପତି ପାଇଁ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ, ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର?୍ୟ୍ୟବଂଶୀ ସୂରଜ ଏବଂ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ସମେତ ବିଭାଗ ସହ ଜଡ଼ିତ ସମସ୍ତଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଅଗଷ୍ଟ ୬, ୨୦୨୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ରାଜ୍ୟ ସରକାରଙ୍କ ଅଧୀନରେ ଥିବା ମେଡିକାଲ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏସଇବିସି/ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ସହ ମେଡିକାଲ ଶିକ୍ଷାରେ ଏସସିମାନଙ୍କ ପାଇଁ ୧୬.୨୫% ଏବଂ ଏସଟିମାନଙ୍କ ପାଇଁ ୨୨.୫୦% କୁ ସଂରକ୍ଷଣ ବୃଦ୍ଧି କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ଏପ୍ରିଲ ୧୭, ୨୦୨୫ ତାରିଖରେ ମଧ୍ୟ ଶ୍ରୀ ପ୍ରଧାନ ଅନୁରୂପ ଭାବେ ଏସଇବିସି ଓ ଓବିସିଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବା ଉପରେ ଶ୍ରୀ ମାଝୀଙ୍କୁ ଚିଠି ଲେଖିଥିଲେ । ଏହାବ୍ୟତୀତ ଶ୍ରୀ ପ୍ରଧାନ ତତ୍କୀଳୀନ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଡିସେମ୍ବର ୩୧, ୨୦୨୦, ଜାନୁଆରୀ ୧୫, ୨୦୨୦ ଏବଂ ଜୁଲାଇ ୨୫, ୨୦୧୯ରେ ଚିଠି ଲେଖି ଓବିସି ଓ ଏସଇବିସି ବର୍ଗ ପାଇଁ ଶିକ୍ଷାନୁଷ୍ଠାନ ଓ ସରକାରୀ ଚାକିରିରେ ସଂରକ୍ଷଣ ବୃଦ୍ଧି କରିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅନୁରୋଧ କ୍ରମେ ମେ ୧୪, ୨୦୨୫ରେ ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ଥର ରାଜ୍ୟରେ ଶିକ୍ଷା କ୍ଷେତ୍ରରେ(ଉଚ୍ଚ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା) ୧୧.୨୫% ଆସନ ସଂରକ୍ଷଣ ଦେବା ପାଇଁ ଓଡ଼ିଶା ରାଜ୍ୟ କ୍ୟାବିନେଟ୍ ମଞ୍ଜୁର ଦେଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ