
ନୂଆଦିଲ୍ଲୀ/ଭୁବନେଶ୍ୱର, ୧୩ ମଇ (ହି.ସ.)- ମଣିଷ ସମାଜ ଓ ସଂସ୍କୃତିକୁ ଜାଣିବା ପାଇଁ ଭାରତ ହେଉଛି ସବୁଠାରୁ ବଡ଼ ଉଦାହରଣ ବୋଲି ଆଜି ନୂଆଦିଲ୍ଲୀରେ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ (ଆଇସିଏସଏସଆର)ର ୫୮ତମ ପ୍ରତିଷ୍ଠା ଦିବସ ଏବଂ ସିଆଇଆଇର ବାର୍ଷିକ ବ୍ୟବସାୟ ସମ୍ମିଳନୀ -୨୦୨୬ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦର ୫୮ତମ ପ୍ରତିଷ୍ଠା ଦିବସ ଅବସରରେ “ସାମାଜିକ ବିଜ୍ଞାନ ଗବେଷଣାର ବି-ଉପନିବେଶୀକରଣ: ଭାରତର ବୌଦ୍ଧିକ ଐତିହ୍ୟର ପୁନରୁଦ୍ଧାର” ବିଷୟବସ୍ତୁ ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତ ମାନବ ସଭ୍ୟତାକୁ ବୁଝିବା ପାଇଁ ଏକ ଜୀବନ୍ତ ଗବେଷଣାଗାର । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଆଜି ଟି.ବି ମାକାଉଲେ ଚିନ୍ତାଧାରାରୁ ମୁକ୍ତ ହୋଇ ନିଜର ସାଂସ୍କୃତିକ ଚେତନା ଓ ବୌଦ୍ଧିକ ପରମ୍ପରାକୁ ବିଶ୍ୱ ଦରବାରରେ ସ୍ଥାପିତ କରୁଛି । ତେବେ ଆମକୁ ସୋମନାଥ ମନ୍ଦିରର ପୁନର୍ନିମାଣ ପରି ଭାରତର ଆତ୍ମଗୌରବ ଓ ଜାତୀୟ ଚେତନାକୁ ସାମାଜିକ ବିଜ୍ଞାନର ନୂଆ ପରିଭାଷାରେ ଯୋଡ଼ିବାକୁ ହେବ । ‘ବିକଶିତ ଭାରତ ୨୦୪୭’ ପାଇଁ ଭାରତୀୟ ଜ୍ଞାନ ପରମ୍ପରାକୁ ଆଧୁନିକ ପ୍ରସଙ୍ଗରେ ଉପସ୍ଥାପନ କରିବା ଜରୁରୀ ବୋଲି ସେ ମତପ୍ରକାଶ କରିଛନ୍ତି ।
ସେହିପରି ସିଆଇଆଇ ବାର୍ଷିକ ବ୍ୟବସାୟ ଶିଖର ସମ୍ମିଳନୀରେ ‘ଶିକ୍ଷା, ଦକ୍ଷତା ବିକାଶ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିଭା’ ଅଧିବେଶନକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ପ୍ରଧାନ ଶିକ୍ଷା କ୍ଷେତ୍ରରେ ହେଉଥିବା ବୈପ୍ଳବିକ ପରିବର୍ତ୍ତନ ବିଷୟରେ ଆଲୋଚନା କରିଥିଲେ । ସେ କହିଥିଲେ, ଷଷ୍ଠ ଶ୍ରେଣୀରୁ ଦକ୍ଷତା ଭିତ୍ତିକ ଶିକ୍ଷା ଏବଂ କ୍ରେଡିଟ୍-ଆଧାରିତ ଏକାଡେମିକ ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କୁ ବୈଶ୍ୱିକ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରୁଛି । ମହିଳା ସଶକ୍ତିକରଣକୁ ମୋଦୀ ସରକାର ଗୁରୁତ୍ୱ ଦେଉଛନ୍ତି । ଗବେଷଣା ଓ ବିକାଶ ଏବଂ ଭିତ୍ତିଭୂମି ବିକାଶରେ ସରକାରୀ ପୁଞ୍ଜିନିବେଶ ସହ ଶିଳ୍ପ ଜଗତର ଅଧିକ ସହଭାଗିତା ପାଇଁ ସେ ଆହ୍ୱାନ ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏକ ଦକ୍ଷ, ସାକ୍ଷର ଏବଂ ନବସୃଜନ-ଆଧାରିତ ଭାରତ ଗଠନ ପାଇଁ ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପ ଜଗତ ମଧ୍ୟରେ ଏକ ଦୃଢ଼ ସାଧାରଣ ସହଭାଗିତା ଆବଶ୍ୟକ । ଏହା କେବଳ ଭାରତର ଆଶା ପୂରଣ କରିବ ନାହିଁ, ବରଂ ବିଶ୍ୱର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମାର୍ଗ ପ୍ରଶସ୍ତ କରିବ । ଶିକ୍ଷା କ୍ଷେତ୍ରରେ ସରକାରୀ ପୁଞ୍ଜିନିବେଶ ସହ ଶିଳ୍ପ ଜଗତର ସକ୍ରିୟ ସହଭାଗିତା ଜରୁରୀ । ବିଶେଷ କରି ଗବେଷଣା ଓ ବିକାଶ, ଭିତ୍ତିଭୂମି ବିକାଶ, ପୁଷ୍ଟିଯୁକ୍ତ ଖାଦ୍ୟ ଏବଂ ନବସୃଜନ କ୍ଷେତ୍ରରେ ଘରୋଇ ସଂସ୍ଥାମାନଙ୍କର ସହଯୋଗ ଦେଶର ଶିକ୍ଷା ବ୍ୟବସ୍ଥାରେ ଥିବା ଶୂନ୍ୟସ୍ଥାନକୁ ପୂରଣ କରିପାରିବ
ଏହି କାର୍ଯ୍ୟକ୍ରମରେ ସଫଳ ମହିଳା ଅଧିକାରୀମାନଙ୍କୁ ‘ୱିମେନ ଏକଜେମ୍ପଲାର ଆୱାର୍ଡ’ ମାଧ୍ୟମରେ ସମ୍ମାନିତ କରିଥିବାରୁ ଶ୍ରୀ ପ୍ରଧାନ ସିଆଇଆଇର ପ୍ରୟାସକୁ ପ୍ରଶଂସା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା