
ଚେନ୍ନାଇ, ୧୩ ମଇ(ହି.ସ.) – ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ରାଜନୈତିକ ପରାମର୍ଶଦାତା ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ଅଧିକାରୀ ଭାବେ ନିଯୁକ୍ତ ହୋଇଥିବା ରିକି ରତନ ପଣ୍ଡିତ ବେତ୍ରିୱେଲ୍ଙ୍କ ନିଯୁକ୍ତି ବ୍ୟାପକ ବିରୋଧ ପରେ ବାତିଲ କରାଯାଇଛି।
ମୁଖ୍ୟମନ୍ତ୍ରୀ ବିଜୟଙ୍କ ବ୍ୟକ୍ତିଗତ ଜ୍ୟୋତିଷ ଭାବରେ ବିବେଚିତ ରିକି ରତନ ପଣ୍ଡିତ ବେତ୍ରିୱେଲ୍ଙ୍କୁ ନିକଟରେ ତାମିଲାଗା ଭେଟ୍ରି କାଜାଗମ(ଟିଭିକେ) ଦ୍ୱାରା ଦଳର ମୁଖପାତ୍ର ଭାବରେ ନିଯୁକ୍ତ କରାଯାଇଥିଲା। ପରବର୍ତୀ ସମୟରେ ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ, ତାମିଲନାଡ଼ୁ ସରକାର ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ବିଭାଗରେ ସ୍ୱତନ୍ତ୍ର ଅଧିକାରୀ ଭାବେ ନିଯୁକ୍ତ କରିଥିଲେ। କଂଗ୍ରେସ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି-ମାର୍କ୍ସବାଦୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏବଂ ବିଦୁଥଲାଇ ଚିରୁଥାଇଗଲ କାଚ୍ଚି ସମେତ ଟିଭିକେ ସରକାରଙ୍କୁ ସମର୍ଥନ କରୁଥିବା ଅନେକ ଦଳ ଏହି ନିଯୁକ୍ତିକୁ ତୀବ୍ର ବିରୋଧ କରିଥିଲେ।
ଆଜି ବିଧାନସଭାରେ ଆସ୍ଥା ପ୍ରସ୍ତାବ ଉପରେ ବିତର୍କ ସମୟରେ ମଧ୍ୟ ଡିଏମ୍ଡିକେ, ଭିସିକେ, କମ୍ୟୁନିଷ୍ଟ ପାର୍ଟି, ମାନବତୀ ଜନତା ପାର୍ଟି ଏବଂ ମାନବତୀ ଲୋକତାନ୍ତ୍ରିକ ପାର୍ଟି ସମେତ ଅନେକ ଦଳ ସରକାରୀ ପଦବୀରେ ଜଣେ ଜ୍ୟୋତିଷଙ୍କ ନିଯୁକ୍ତିକୁ ବିରୋଧ କରିଥିଲେ। ଡିଏମ୍ଡିକେ ବିଧାୟକ ପ୍ରେମଲତା ବିଜୟକାନ୍ତ ତୀବ୍ର ଆପତି ଉଠାଇଥିଲେ ଏବଂ ସିଧାସଳଖ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ପ୍ରଶ୍ନ କରିଥିଲେ ଯେ ତାଙ୍କ ଜ୍ୟୋତିଷଙ୍କୁ କାହିଁକି ସରକାରୀ ପଦବୀ ଦିଆଯାଇଛି। ଏହି ସମୟରେ, ତାମିଲନାଡ଼ୁ ସରକାର ଘୋଷଣା କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବରେ ରିକି ରତନ ପଣ୍ଡିତଙ୍କ ନିଯୁକ୍ତି ପ୍ରତ୍ୟାହାର କରାଯାଉଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି