
ନୂଆଦିଲ୍ଲୀ, ୧୪ ମଇ (ହି.ସ.)- ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ଗମ୍ଭୀର ପ୍ରଶ୍ନ ଉଠାଇଛି । ବିଜେପି କହିଛି ଯେ ୨୦୦୪ ରୁ ୨୦୨୬ ମସିହା ମଧ୍ୟରେ ରାହୁଲ ଗାନ୍ଧୀ ମୋଟ୍ ୫୪ ଥର ବିଦେଶ ଗସ୍ତରେ ଯାଇଥିଲେ, ଯେଉଁଥିରେ ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଦଳ ଅଭିଯୋଗ କରିଛି ଯେ, ଏହି ଗସ୍ତଗୁଡ଼ିକର ପାଣ୍ଠି ଏବଂ ବିବରଣୀ ସାର୍ବଜନୀନ କରାଯାଇ ନାହିଁ ।
ଗୁରୁବାର ଦିନ ପାର୍ଟି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିଜେପି ମୁଖପାତ୍ର ତଥା ସାଂସଦ ଡଃ. ସମ୍ବିତ ପାତ୍ର କହିଛନ୍ତି ଯେ, ରାହୁଲ ଗାନ୍ଧୀ ନିଜ ଖର୍ଚ୍ଚରେ ୫୪ ଥର ବିଦେଶ ଗସ୍ତ କରିଥିଲେ, ଯେଉଁଥିରେ ୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ଗସ୍ତ ମଧ୍ୟରେ ଆମେରିକା, ଇଟାଲୀ, ୟୁନାଇଟେଡ କିଙ୍ଗଡମ୍, ଜର୍ମାନୀ, ଭିଏତନାମ, କାମ୍ବୋଡିଆ, ସିଙ୍ଗାପୁର, ବାହାରିନ, ମାଳଦ୍ୱୀପ, କତାର, ୟୁଏଇଏବଂ ନିକଟରେ ଓମାନ-ମସ୍କଟ ଗସ୍ତ ଅନ୍ତର୍ଭୁକ୍ତ । ପ୍ରେସ୍ ଯାତ୍ରା ସୂଚୀ, ସଂସଦୀୟ ରେକର୍ଡ, ଏବଂ ଅଧିକାଂଶ ଗସ୍ତର ଫଟୋ ଟ୍ରେଲ ସାର୍ବଜନୀନ, କିନ୍ତୁ ଆର୍ôଥକ ଉତ୍ସ ଅସ୍ପଷ୍ଟ ।
ସମ୍ବିତ ପାତ୍ର କହିଛନ୍ତି ଯେ, ୨୦୧୩-୨୦୧୪ ଏବଂ ୨୦୨୨-୨୦୨୩ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଘୋଷିତ ଆୟ ପ୍ରାୟ ୧୧ କୋଟି ଟଙ୍କା ଥିବାବେଳେ ବିଦେଶ ଯାତ୍ରାରେ କଥିତ ଖର୍ଚ୍ଚ ୬୦ କୋଟିରେ ପହଂଚିଛି । ସ୍ପଷ୍ଟତଃ, ଆୟ ଏବଂ ବ୍ୟୟ ମଧ୍ୟରେ ଏକ ବଡ଼ ବ୍ୟବଧାନ ରହିଛି । କେତେକ ଗସ୍ତ ବିଷୟରେ ବିଶେଷ ଉଲ୍ଲେଖ କରି ସେ କହିଥିଲେ ଯେ, ୨୦୧୫ରେ ଦକ୍ଷିଣ-ପୂର୍ବ ଏସିଆ ଗସ୍ତରେ ୪ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା, ଯେତେବେଳେ କି ସେହି ବର୍ଷ ରାହୁଲ ଗାନ୍ଧୀଙ୍କ ଘୋଷିତ ଆୟ ୮୬.୫୫ ଲକ୍ଷ ଟଙ୍କା ଥିଲା । ସେହିଭଳି, ଡିସେମ୍ବର ୨୦୨୫ ରେ ଲଣ୍ଡନ ଏବଂ ବର୍ଲିନ ଯାତ୍ରା ପାଇଁ ୧.୪ କୋଟି ଟଙ୍କା, ସେପ୍େଟମ୍ବର-ଅକ୍ଟୋବର ୨୦୨୫ ରେ ଲାଟିନ ଆମେରିକା ଯାତ୍ରା ପାଇଁ ୫.୫ କୋଟି ଟଙ୍କା ଏବଂ ଅପ୍ରେଲ ୨୦୨୫ ରେ ବୋଷ୍ଟନ ଯାତ୍ରା ପାଇଁ ୧.୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଦାବି କରାଯାଇଥିଲା ।
ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି ଯେ, ଅପ୍ରେଲ ୨୦୨୫ ରେ ଦୁବାଇ ଏବଂ ମଇ ୨୦୨୬ ରେ ମସ୍କଟ ଯାତ୍ରା ଅଘୋଷିତ ଥିଲା । ଏହି ଗସ୍ତଗୁଡ଼ିକ ବିଷୟରେ ସି.ଆର.ପି.ଏଫ୍. ଦ୍ୱାରା ଚିଠି ଲେଖାଯାଇଥିଲା, ଯେଉଁଥିରେ କୌଣସି କାର୍ଯ୍ୟକ୍ରମ, କୌଣସି ଆତିଥେୟ ପ୍ରକାଶ ତଥା ଗୁପ୍ତ ଯାତ୍ରା ଭଳି ଉଲ୍ଲେଖ ଥିଲା ।
ସେ କହିଥିଲେ ଯେ, ଭାରତୀୟ ଆଇନ ଅନୁଯାୟୀ, ବିଶେଷ କରି ଏଫ୍. ସି. ଆର.ଏ. ସମ୍ବନ୍ଧୀୟ ବ୍ୟବସ୍ଥା ଅନୁଯାୟୀ, ଜଣେ ସାଂସଦ କିମ୍ବା ସରକାରୀ ପଦବୀରେ ଥିବା ବ୍ୟକ୍ତିଙ୍କ ପାଇଁ ବିଦେଶୀ ଆତିଥ୍ୟ ଗ୍ରହଣ କରିବା ପୂର୍ବରୁ ଅନୁମତି ନେବା ବାଧ୍ୟତାମୂଳକ । ଯଦି କୌଣସି ବିଦେଶୀ ଉତ୍ସ ଦ୍ୱାରା ଖର୍ଚ୍ଚ ବହନ କରାଯାଉଥିଲା, ତେବେ ଏହି ଗସ୍ତଗୁଡ଼ିକର ଅନୁମତି ଏବଂ ରେକର୍ଡ କାହିଁକି ସାର୍ବଜନୀନ କରାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ବିଜେପି ନେତା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଦିଆଯାଇଥିବା ଏକ କଥିତ ସିଆରପିଏଫ୍ ଚିଠିକୁ ଦର୍ଶାଇ ଦାବି କରିଛନ୍ତି ଯେ, ଡିସେମ୍ବର ୨୦୨୪ରୁ ସେପ୍ଟେମ୍ବର ୨୦୨୫ ମଧ୍ୟରେ ଛଅଟି ଅଘୋଷିତ ବିଦେଶ ଯାତ୍ରା ଥିଲା, ଯେଉଁଥିରେ ଆବଶ୍ୟକ ସୁରକ୍ଷା ପ୍ରୋଟୋକଲ୍ ର ପାଳନ କରାଯାଇନଥିଲା । ବିଜେପି ନେତା କଂଗ୍ରେସକୁ ପ୍ରଶ୍ନ କରିଛନ୍ତି ଯେ, ମଇ ୨୦୨୬ ରେ ରାହୁଲଙ୍କ ଓମାନ ଗସ୍ତର ଖର୍ଚ୍ଚ କିଏ ବହନ କରିଥିଲା । ଯଦି କୌଣସି ବିଦେଶୀ ସଂସ୍ଥା ଖର୍ଚ୍ଚ ବହନ କରେ, ତେବେ ଅନୁମତି ସାର୍ବଜନୀନ କରାଯିବା ଆବଶ୍ୟକ । ଯଦି ଯାତ୍ରା ବ୍ୟକ୍ତିଗତ ଖର୍ଚ୍ଚରେ ଥିଲା, ତେବେ ବ୍ୟାଙ୍କ ଷ୍ଟେଟମେଂଟ, ଫରେକ୍ସ ଭାଉଚର୍ କିମ୍ବା ପାର୍ଟି ରେକର୍ଡ ଜାରି କରାଯିବା ଉଚିତ୍ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ