
ନୂଆଦିଲ୍ଲୀ, ୧୪ ମଇ (ହି.ସ.)- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଅନେକ ଘୋଷଣା କରିଛନ୍ତି, ଯେଉଁଥିରେ ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ସପ୍ତାହରେ ଦୁଇ ଦିନ ଘରୁ କାମ ଏବଂ ସରକାରୀ ଯାନରେ ୨୦% ଇନ୍ଧନ ବ୍ୟବହାର ହ୍ରାସ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଧନ ସଂଚୟ ପାଇଁ ଆବେଦନ ପରେ ଏହି ନିଷ୍ପତି ନିଆଯାଇଛି। ଦିଲ୍ଲୀ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି।
ଦିଲ୍ଲୀ ସଚିବାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ଅନିଶ୍ଚିତତା ସମୟରେ ପ୍ରତ୍ୟେକ ନାଗରିକଙ୍କୁ ଜୀବନଶୈଳୀରେ ଛୋଟ ପରିବର୍ତନ ଆଣି ଦେଶର ଅର୍ଥନୀତିକୁ ମଜବୁତ କରିବା ଉଚିତ। ଦିଲ୍ଲୀ ସରକାର ଏହି ଆବେଦନକୁ ୯୦ ଦିନିଆ ସାର୍ବଜନୀନ ଅଭିଯାନରେ ପରିଣତ କରିବେ। ସେ କହିଛନ୍ତି ଯେ ଦିଲ୍ଲୀ ସରକାରୀ କାର୍ଯ୍ୟାଳୟଗୁଡ଼ିକ ସପ୍ତାହରେ ଦୁଇ ଦିନ ଘରୁ କାମ କରିବେ। ଏହା ସହିତ, ଘରୋଇ କ୍ଷେତ୍ରକୁ ସପ୍ତାହରେ ଦୁଇ ଦିନ ଘରୁ କାମ କରିବା ପାଇଁ ଏକ ପରାମର୍ଶ ଜାରି କରାଯାଇଛି।
ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ସରକାରୀ ଯାନରେ ଇନ୍ଧନ ବ୍ୟବହାର ୨୦% ହ୍ରାସ ପାଇବ। ପ୍ରତି ସୋମବାର, ସମସ୍ତ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ସରକାରୀ କର୍ମଚାରୀମାନେ ମେଟ୍ରୋ ଦ୍ୱାରା କାର୍ଯ୍ୟାଳୟକୁ ଯାତାୟାତ କରିବେ। ସେ ସପ୍ତାହରେ ଗୋଟିଏ ଦିନ ବ୍ୟକ୍ତିଗତ ଯାନ ବ୍ୟବହାର କରିବାରୁ ନିବୃତ ରହିବାକୁ ନାଗରିକମାନଙ୍କୁ ନିବେଦନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଦିଲ୍ଲୀ ସରକାର ଆଗାମୀ ଛଅ ମାସ ପାଇଁ କୌଣସି ନୂତନ ପେଟ୍ରୋଲ/ଡିଜେଲ/ସିଏଜି/ଉଚ୍ଚ-ଶକ୍ତିସମ୍ପନ୍ନ ଯାନ କିଣିବେ ନାହିଁ। କର୍ମଚାରୀମାନେ ମେଟ୍ରୋ/ଡିଟିସି/ସାର୍ବଜନୀନ ପରିବହନ କାର୍ଡ ପାଇଁ ସେମାନଙ୍କର ପରିବହନ ଭତାର ୨୦ ପ୍ରତିଶତ ବ୍ୟବହାର କଲେ ସେମାନଙ୍କ ପରିବହନ ଭତା ୧୦ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି କରାଯିବ। ମାଲ ପରିବହନ ପାଇଁ ଟ୍ରକ ପରିବର୍ତେ ଟ୍ରେନ ବ୍ୟବହାର କରାଯିବ। ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଏବଂ ଅଧିକାରୀମାନେ ଆଗାମୀ ଏକ ବର୍ଷ ପାଇଁ କୌଣସି ସରକାରୀ ବିଦେଶ ଯାତ୍ରା କରିବେ ନାହିଁ। ଦିଲ୍ଲୀ ସରକାର ୧୦୦% ଭାରତୀୟ ନିର୍ମିତ ଉତ୍ପାଦ ବ୍ୟବହାରକୁ ପ୍ରାଥମିକତା ଦେବ।
-------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ