
ନୂଆଦିଲ୍ଲୀ, ୧୪ ମଇ (ହି.ସ.) ସୁପ୍ରିମକୋର୍ଟର ନଅ ଜଣିଆ ସମ୍ବିଧାନ ଖଣ୍ଡପୀଠ ସାବରୀମାଳା ମନ୍ଦିର ମାମଲାର ଶୁଣାଣି ସମାପ୍ତ କରି ନିଷ୍ପତି ସଂରକ୍ଷିତ ରଖିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ୧୬ ଦିନ ଧରି ମାମଲାର ଶୁଣାଣି କରିଥିଲେ।
ସୁପ୍ରିମକୋର୍ଟର ନଅ ଜଣିଆ ସମ୍ବିଧାନ ଖଣ୍ଡପୀଠ ଏପ୍ରିଲ ୭ ତାରିଖରେ ମାମଲାର ଶୁଣାଣି ଆରମ୍ଭ କରିଥିଲେ। କେନ୍ଦ୍ର ସରକାର ତାଙ୍କ ସତ୍ୟପାଠରେ କହିଥିଲେ ଯେ ସାବରୀମାଳା ମନ୍ଦିରରେ ଋତୁସ୍ରାବ ବୟସର ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଧାର୍ମିକ ବିଶ୍ୱାସ ଏବଂ ସ୍ୱାୟତତାର ବିଷୟ। କେନ୍ଦ୍ର ସରକାର କୋର୍ଟକୁ ଏହି ନିଷେଧକୁ ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ଏବଂ କହିଛନ୍ତି ଯେ ଏପରି ମାମଲାରେ ନ୍ୟାୟିକ ସମୀକ୍ଷାର ପରିସର ସୀମିତ ହେବା ଉଚିତ।
ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ବିଚାରପତି ବି.ଭି. ନାଗରତ୍ନା, ଏମ୍.ଏମ୍. ସୁନ୍ଦରେଶ, ଆହସନାଉଦ୍ଦିନ ଅମାନୁଲ୍ଲା, ଆରବିନ୍ଦ କୁମାର, ଏ.ଜେ. ମାସିହ, ପି.ବି. ଭାରାଲେ, ଆର. ମହାଦେବନ ଏବଂ ଜୟମାଲ୍ୟ ବାଗଚି ସାମିଲ ଥିଲେ।
୨୮ ସେପ୍େଟମ୍ବର ୨୦୧୮ରେ ସୁପ୍ରିମକୋର୍ଟ ୪-୧ ବହୁମତରେ ଏହାର ରାୟ ପ୍ରଦାନ କରିଥିଲେ। କୋର୍ଟ କହିଥିଲେ ଯେ ମହିଳାମାନଙ୍କ ପ୍ରତି ଭେଦଭାବ ବହୁ ଦିନ ଧରି ପ୍ରଚଳିତ। ମହିଳାମାନେ ପୁରୁଷଙ୍କଠାରୁ କମ୍ ନୁହଁନ୍ତି। ଗୋଟିଏ ପଟେ, ଆମେ ମହିଳାଙ୍କୁ ଦିବ୍ୟ ଅସ୍ତିତ୍ୱର ପ୍ରତିମୂର୍ତି ବୋଲି ମାନିଥାଉ, ଅନ୍ୟପଟେ, ଆମେ ସେମାନଙ୍କ ପ୍ରତି ଭେଦଭାବ କରୁ। କୋର୍ଟ କହିଥିଲେ ଯେ ଜୈବିକ ଏବଂ ଶାରୀରିକ କାରଣରୁ ମହିଳାଙ୍କ ଧାର୍ମିକ ବିଶ୍ୱାସର ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରାଯାଇପାରିବ ନାହିଁ।
--------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ