
କୋଲକାତା, ୧୫ ମଇ (ହି.ସ.)- ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ)କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ହତ୍ୟାକାଣ୍ଡରେ ବ୍ୟବହୃତ ଚାରି ଚକିଆ ଯାନଟି ଝାଡ଼ଖଣ୍ଡରୁ ଅଣାଯାଇଥିଲା ଏବଂ ପଶ୍ଚିମବଙ୍ଗରେ ପହଂଚିବା ପରେ ଏହାର ନମ୍ବର ପ୍ଲେଟ୍ ବଦଳାଯାଇଥିଲା ।
ସୂତ୍ର ଅନୁଯାୟୀ, ଏହି ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମୟଙ୍କ ରାଜ ମିଶ୍ର ପଚରାଉଚରା ସମୟରେ ସ୍ୱୀକାର କରିଛନ୍ତି ଯେ, ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ଉକ୍ତ ଗାଡ଼ିଟିକୁ ଝାଡ଼ଖଣ୍ଡରୁ ଉତର ୨୪ ପ୍ରଗଣା ଜିଲ୍ଲାର ବାରାସାତକୁ ପରିବହନ କରିବାକୁ ତାଙ୍କୁ ଦାୟିତ୍ୱ ଦେଇଥିଲେ । ବାରାସାତ ସେହି ଅଂଚଳ ନିକଟରେ ଅଛି ଯେଉଁଠାରେ ମଧ୍ୟମଗ୍ରାମ ମୋଡ଼ରେ ଚନ୍ଦ୍ରନାଥ ରଥଙ୍କୁ ହତ୍ୟା କରାଯାଇଥିଲା ।
ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ମୟଙ୍କ ସ୍ୱୀକାର କରିଛନ୍ତି ଯେ, ସେ ଝାଡ଼ଖଣ୍ଡରୁ ଗାଡି ଚଳାଇ ବାରାସାତକୁ ଆସିଥିଲେ ଏବଂ ସେଠାରେ ଏକ ନିର୍ଜନ ସ୍ଥାନରେ ଗାଡ଼ିର ନମ୍ବର ପ୍ଲେଟକୁ ନକଲି ନମ୍ବରରେ ପରିବର୍ତନ କରିଥିଲେ । କୁହାଯାଉଛି ଯେ, ମୂଳ ନମ୍ବର ପ୍ଲେଟ୍ ଦାର୍ଜିଲିଂ ଜିଲ୍ଲାର ସିଲିଗୁଡ଼ି ଆଂଚଳିକ ପରିବହନ କାର୍ଯ୍ୟାଳୟରେ ପଞ୍ଜୀକୃତ ଏକ ଯାନର ଥିଲା ।
ସୂତ୍ରରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଗାଡ଼ି ଡେଲିଭରି କରିବା ପାଇଁ ମୟଙ୍କଙ୍କୁ ଏକ ଲକ୍ଷ ଟଙ୍କା ଦିଆଯାଇଥିଲା । ବାରାସାତରେ ଗାଡି ହସ୍ତାନ୍ତର କରିବା ପରେ ସେ ହାୱଡା ଷ୍ଟେସନରେ ପହଂଚିଥିଲେ, ସେଠାରୁ ସେ ଟ୍ରେନ୍ ଯୋଗେ ବକ୍ସାର ଯାଇଥିଲେ, ଯେଉଁଠାରେ ପରେ ତାଙ୍କୁ ଗିରଫ କରାଯାଇଥିଲା ।
ଉଲ୍ଲେଖନୀୟ କଥା ହେଉଛି, ଚନ୍ଦ୍ରନାଥ ରଥଙ୍କ ହତ୍ୟା ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ଦୁଇ ଦିନ ପରେ ମଇ ୬ ତାରିଖ ରାତିରେ ଘଟିଥିଲା । ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ବିଜେପି) ୨୦୭ଟି ବିଧାନସଭା ଆସନ ଜିତିଥିବା ବେଳେ ତୃଣମୂଳ କଂଗ୍ରେସ(ଟିଏମସି) ୮୦ଟି ଆସନରେ ସୀମିତ ରହିଥିଲା ।
ଅନୁସନ୍ଧାନ ଅନୁଯାୟୀ, ମଇ ୬ ତାରିଖ ରାତିରେ ଚନ୍ଦ୍ରନାଥ ରଥ ଏକ ପାର୍ଟି ଇଭେଂଟରୁ ଫେରୁଥିଲେ । ମଧ୍ୟଗ୍ରାମର ଏକ ଛକ ନିକଟରେ ଝାଡ଼ଖଣ୍ଡରୁ ଅଣାଯାଇଥିବା ଏକ ଗାଡ଼ି ତାଙ୍କ ଗାଡ଼ିର ରାସ୍ତା ଅବରୋଧ କରିଥିଲା । ଏହି ସମୟରେ, ଦୀର୍ଘ ସମୟ ଧରି ତାଙ୍କ ଗାଡ଼ିକୁ ଅନୁସରଣ କରୁଥିବା ଦୁଇଟି ବାଇକ୍ ମଧ୍ୟରୁ ଗୋଟିଏ ତାଙ୍କ ଗାଡି ନିକଟରେ ଅଟକିଥିଲା । ବାଇକ୍ ଚଳାଉଥିବା ଆକ୍ରମଣକାରୀ ଜଣକ ଅତି ନିକଟରୁ ୧୦ଟି ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ ଚନ୍ଦ୍ରନାଥ ରଥଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଡ୍ରାଇଭର ବୁଦ୍ଧଦେବ ବେରା ଗୁରୁତର ଆହତ ହୋଇଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ଉନ୍ନତି ହେଉଥିବା ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଯଦି ଚନ୍ଦ୍ରନାଥ ରଥ ତାଙ୍କ ବ୍ୟକ୍ତିଗତ ସହାୟକ ହୋଇନଥାନ୍ତେ, ତେବେ ତାଙ୍କୁ ହତ୍ୟା କରାଯାଇ ନଥାନ୍ତା । ସେ ଏହା ମଧ୍ୟ କହିଥିଲେ ଯେ, ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭବାନୀପୁର ଆସନରେ ୧୫,୦୦୦ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ଏବଂ ସେଥିପାଇଁ ତାଙ୍କ ସହଯୋଗୀଙ୍କୁ ଟାର୍ଗେଟ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ