
ନୂଆଦିଲ୍ଲୀ, ୧୫ ମେ (ଏଚ୍ଏସ୍)। ବିଶ୍ୱ ବ୍ୟବସ୍ଥା ଦ୍ରୁତଗତିରେ ବହୁଧ୍ରୁବୀୟ ଓ ସମାବେଶୀ ରୂପ ଦିଗରେ ଅଗ୍ରସର ହେଉଥିବା ବେଳେ, ଭାରତ ଓ ଆଫ୍ରିକୀୟ ମହାଦେଶ ମଧ୍ୟରେ ଐତିହାସିକ ସମ୍ପର୍କ ଏକ ନୂତନ ପରିବର୍ତ୍ତନର ପର୍ଯ୍ୟାୟ ଦେଇ ଅତିକ୍ରମ କରୁଛି। ଉପନିବେଶବାଦ ବିରୋଧୀ ସାମୁହିକ ସଂଘର୍ଷର ଐତିହ୍ୟକୁ ଅତିକ୍ରମ କରି, ଏହି ସହଭାଗୀତା ବର୍ତ୍ତମାନ ନବାଚାର , ଡିଜିଟାଲ ପରିବର୍ତ୍ତନ ଓ ରଣନୈତିକ ସୁଦୃଢତାର ଏକ ଶକ୍ତିଶାଳୀ ଆଧାରରେ ପରିଣତ ହେଉଛି।
ଆଫ୍ରିକାନ ୟୁନିୟନରେ ଭାରତର ସ୍ଥାୟୀ ପ୍ରତିନିଧି ଅନିଲ କୁମାର ରାୟ ହିନ୍ଦୁସ୍ଥାନ ସମାଚାରକୁ ଦେଇଥିବା ଏକ ବିଶେଷ ଓ ବିସ୍ତୃତ ସାକ୍ଷାତକାରରେ ଦକ୍ଷିଣ–ଦକ୍ଷିଣ ସହଯୋଗର ଭବିଷ୍ୟତ ସମ୍ପର୍କରେ ଏକ ବ୍ୟାପକ ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି ।
ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଥିବା ଐତିହାସିକ ଚତୁର୍ଥ ଭାରତ–ଆଫ୍ରିକା ଫୋରମ୍ ଶିଖର ସମ୍ମିଳନୀ ର ପୂର୍ବସନ୍ଧ୍ୟାରେ ଆଲୋଚନା କରିବା ସମୟରେ ରାଜଦୂତ ରାୟ ଏପରି ଏକ ଭବିଷ୍ୟତର ପରିକଳ୍ପନା କରିଛନ୍ତି , ଯେଉଁଠାରେ ରାଜନୈତିକ ସଦଭାବନାକୁ “ଠୋସ ଓ କାର୍ଯ୍ୟାନ୍ୱୟନମୂଳକ ପରିଣାମ” ରେ ପରିଣତ କରାଯିବ।
ଡିଜିଟାଲ ପବ୍ଲିକ ଇନ୍ଫ୍ରାସ୍ଟ୍ରକ୍ଚର୍ ର ବିସ୍ତାର ଠାରୁ ଆରମ୍ଭ କରି ଭାରତର ‘ବିକଶିତ ଭାରତ 2047’ ଦୃଷ୍ଟିକୋଣକୁ ଆଫ୍ରିକାର ‘ଏଜେଣ୍ଡା 2063’ ସହ ସମନ୍ୱୟ କରିବା ପର୍ଯ୍ୟନ୍ତ, ଏହି ସାକ୍ଷାତକାରରେ ଏମିତି ସମ୍ପର୍କର ଗଭୀରତା ସାମନାକୁ ଆସିଛି ଯାହା ପାରସ୍ପରିକ ସମ୍ମାନ ଓ ଚାହିଦା-ଭିତ୍ତିକ ବିକାଶ ଉପରେ ଆଧାରିତ। ଏହି କଥାବାର୍ତା ଏହା ବୁଝିବାର ସୁଯୋଗ ଦେଇଥାଏ ଯେ, ଭାରତ ଓ ଆଫ୍ରିକା କେବଳ ୨୧ତମ ଶତାବ୍ଦୀର ଚ୍ୟାଲେଞ୍ଜକୁ ମୁକାବିଲା କରୁନାହାନ୍ତି, ବରଂ ବିକାଶର ଏକ ନୂତନ ରୂପରେଖା ମଧ୍ୟ ପ୍ରସ୍ତୁତ କରୁଛନ୍ତି।
ସାକ୍ଷାତକାରର ପ୍ରମୁଖ ବିଶେଷତା: ଆଇଏ ସ୍ପିରିଟ୍:ନବୀନତା, ସହନଶୀଳତା ଓ ସମାବେଶୀ ପରିବର୍ତ୍ତନ ପାଇଁ କୌଶଳଗତ ସହଭାଗୀତାର ବିଷୟବସ୍ତୁ ଉପରେ ବ୍ୟାପକ ବିଶ୍ଳେଷଣ, ଜବାବଦେହିତା ଦିଗରେ ପଦକ୍ଷେପ:ପ୍ରତିଶ୍ରୁତିକୁ ବାସ୍ତବ ପ୍ରଗତିରେ ପରିଣତ କରିବା ପାଇଁ ଯୁକ୍ତ ନିରୀକ୍ଷଣ ବ୍ୟବସ୍ଥା ର ଆରମ୍ଭ, ଡିଜିଟାଲ ସାର୍ବଭୌମତ୍ୱ:ଭାରତର ଓପେନ୍-ସୋର୍ସ ଡିଜିଟାଲ ଢାଞ୍ଚା କିପରି ଆଫ୍ରିକୀୟ ଦେଶମାନଙ୍କୁ ନିଜ ଭବିଷ୍ୟତ ଗଢ଼ିବାରେ ସଶକ୍ତ କରୁଛି, ବିଶ୍ୱ ନେତୃତ୍ୱ:ଆଫ୍ରିକାନ ୟୁନିୟନ କୁ ଜି 20 ରେ ସାମିଲ କରାଇବାରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା, ଯାହା ଦ୍ୱାରା ଗ୍ଲୋବାଲ୍ ସାଉଥ୍ର କଣ୍ଠସ୍ୱର ଆହୁରି ସୁଦୃଢ଼ ହୋଇଛି।
ପ୍ରଶ୍ନ: ଚତୁର୍ଥ ଭାରତ–ଆଫ୍ରିକା ଫୋରମ୍ ଶିଖର ସମ୍ମିଳନୀ ପୂର୍ବରୁ ଆପଣ ଭାରତ–ଆଫ୍ରିକା ସମ୍ପର୍କର ବର୍ତ୍ତମାନ ପର୍ଯ୍ୟାୟକୁ କିପରି ଦେଖୁଛନ୍ତି?
ରାଜଦୂତ ଅନିଲ କୁମାର ରାୟ: ଭାରତ ଓ ଆଫ୍ରିକା ଏକ ପରିବର୍ତ୍ତନଶୀଳ ନୂତନ ଅଧ୍ୟାୟରେ ପ୍ରବେଶ କରୁଛନ୍ତି। ସାମୂହିକ ବିକାଶମୂଳକ ଆକାଂକ୍ଷା , ଦକ୍ଷିଣ–ଦକ୍ଷିଣ ଏକତା ଏବଂ ଲୋକମାନଙ୍କ ମଧ୍ୟରେ ଦୀର୍ଘଦିନର ସମ୍ପର୍କର ଦୃଢ଼ ଭିତ୍ତି ଉପରେ ଆଧାରିତ ଏହି ସହଭାଗୀତା ବର୍ତ୍ତମାନ ପାରମ୍ପରିକ କୂଟନୀତିକ ସୀମାକୁ ଅତିକ୍ରମ କରି ପ୍ରଯୁକ୍ତି ସହଯୋଗ, ବ୍ୟାପାର, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ନବାଚାର ପର୍ଯ୍ୟନ୍ତ ବିସ୍ତୃତ ହୋଇଛି। ଚତୁର୍ଥ ଭାରତ–ଆଫ୍ରିକା ଫୋରମ୍ ଶିଖର ସମ୍ମିଳନୀ ର ପ୍ରସ୍ତୁତି ଚାଲିଥିବା ବେଳେ, ଉଭୟ ପକ୍ଷ ଦଶନ୍ଧି ଦଶନ୍ଧି ଧରି ଗଢ଼ିଉଠିଥିବା ରାଜନୈତିକ ସଦଭାବନାକୁ ଠୋସ ଓ ମାପ କରି ପାରୁଥିବା ପରିଣାମରେ ପରିଣତ କରିବା ପାଇଁ ପ୍ରୟାସରତ, ଯାହାର ସିଧାସଳଖ ଲାଭ ଉଭୟ ଅଞ୍ଚଳର ନାଗରିକମାନଙ୍କ ପାଖକୁ ପହଞ୍ଚିପାରିବ।
ପ୍ରଶ୍ନ: ଆସନ୍ତା ଶିଖର ସମ୍ମିଳନୀର ପ୍ରମୁଖ ଉଦ୍ଦେଶ୍ୟଗୁଡ଼ିକ କ’ଣ?
ରାଜଦୂତ ରାୟ: ଭାରତ ଆଫ୍ରିକୀୟ ୟୁନିୟନ କମିଶନ୍ ସହଯୋଗରେ ନୂଆଦିଲ୍ଲୀରେ ୨୮ ମଇ ଠାରୁ ୩୧ ମଇ ପର୍ଯ୍ୟନ୍ତ ଚତୁର୍ଥ ଭାରତ–ଆଫ୍ରିକା ଫୋରମ୍ ଶିଖର ସମ୍ମିଳନୀ ଆୟୋଜନ କରିବ। ଏହି ଶିଖର ସମ୍ମିଳନୀରେ ସମଗ୍ର ଆଫ୍ରିକୀୟ ମହାଦେଶର ନେତାମାନେ, ଆଞ୍ଚଳିକ ଆର୍ଥିକ ସମୁଦାୟ, ସ୍ପେଶାଲାଇଜଡ ସଂସ୍ଥାମାନେ ଏବଂ ଭାରତ ଓ ଆଫ୍ରିକାର ଡାୟସ୍ପୋରା ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ଡିଜିଟାଲ ପ୍ରଯୁକ୍ତି, ବ୍ୟାପାର, କୃଷି, ସ୍ୱାସ୍ଥ୍ୟସେବା ଓ ନବାଚାର ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ଏକ ରୋ଼ଡ ମ୍ୟାପ ପ୍ରସ୍ତୁତ କରିବା ଏହାର ଉଦ୍ଦେଶ୍ୟ । ଶିଖର ସମ୍ମିଳନୀ ପୂର୍ବରୁ ଅନେକ ପ୍ରସ୍ତୁତିମୂଳକ କାର୍ଯ୍ୟକ୍ରମ ଯୋଜନା କରାଯାଇଛି, ଯେଉଁଥିରେ ଥିଙ୍କ ଟ୍ୟାଙ୍କ ପରାମର୍ଶ, ଭାରତ–ଆଫ୍ରିକା ବ୍ୟାପାର ଆଲୋଚନା , ନୀତି କାର୍ଯ୍ୟଶାଳା ଏବଂ ଉଭୟ ଅଞ୍ଚଳର ଐତିହାସିକ ସମ୍ପର୍କକୁ ଉଦ୍ଯାପନ କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଅଛି।ଶିଖର ସମ୍ମିଳନୀର ବିଷୟବସ୍ତୁ ହେଉଛି ଏଆଇ ସ୍ପିରିଟ : ନବାନତା, ସହନଶୀଳତା ଓ ସମାବେଶୀ ପରିବର୍ତ୍ତନ ପାଇଁ ଭାରତ–ଆଫ୍ରିକା କୌଶଳଗତ ସହଭାଗୀତା” । ଏହା ସୂଚିତ କରେ ଯେ ଲକ୍ଷ୍ୟ କେବଳ କଥାବାର୍ତା ଓ ଆଲୋଚନା ନୁହେଁ, ବରଂ ଠୋସ ଓ ଉନ୍ନୟନମୂଳକ ସହଯୋଗ ଦିଗରେ ଅଗ୍ରସର ହେବା।
ପ୍ରଶ୍ନ: ଆଫ୍ରିକାର ଦୀର୍ଘମିଆଦି ବିକାଶ ପ୍ରାଥମିକତା ସହିତ ଭାରତ କିପରି ନିଜ ଦୃଷ୍ଟିକୋଣକୁ ଏଲାଇନ କରୁଛି?
ରାଜଦୂତ ରାୟ: ଭାରତର ଦୃଷ୍ଟିକୋଣ ଆଫ୍ରିକାର ଦୀର୍ଘମିଆଦି ବିକାଶ ରୂପରେଖା “ଏଜେଣ୍ଡା 2063 — ‘ଆମେ ଯେପରି ଆଫ୍ରିକା ଚାହୁଁ ” ସହ ସମନ୍ୱିତ ଅଟେ ଏବଂ ସେହିପରି ଭାରତର ଜାତୀୟ ଦୃଷ୍ଟିକୋଣ “ବିକସିତ ଭାରତ 2047 ” ସହ ମଧ୍ୟ ସମ୍ପର୍କିତ। ଉଭୟ ଅଞ୍ଚଳ ସମାନ ବିକାଶମୂଳକ ଚ୍ୟାଲେଞ୍ଜ ସମ୍ମୁଖୀନ, ଭାରତ ବଡ଼ ଜନସଂଖ୍ୟା ସ୍ତରରେ କାର୍ଯ୍ୟକାରୀ ସମାଧାନ ଉପରେ ଗୁରୁତ୍ୱ ଦେଉଛି, ଯାହାକୁ ଆଫ୍ରିକୀୟ ଦେଶମାନେ ନିଜ ଅଞ୍ଚଳୀୟ ପ୍ରାଥମିକତା ଓ ପରିସ୍ଥିତି ଅନୁଯାୟୀ ଅନୁକୂଳ କରି ପାରିବେ।
ପ୍ରଶ୍ନ: ଉତରଦାୟିତ୍ୱ ଏବଂ କାର୍ଯ୍ୟକାରିତା ସମ୍ପର୍କରେ ବୃଦ୍ଧି ପାଉଥିବା ଆଲୋଚନା ମଧ୍ୟରେ କଣ କଣ ନୂତନ ବ୍ୟବସ୍ଥା ବିଚାରାଧୀନ ଅଛି?
ରାଜଦୂତ ରାୟ: ହଁ। ଶିଖର ସମ୍ମିଳନୀର ପ୍ରତିଶ୍ରୁତି ଗୁଡ଼ିକୁ ବାସ୍ତବିକତାରେ ପରିଣତ କରିବା ପାଇଁ ଭାରତ ଏବଂ ଆଫ୍ରିକୀୟ ସହଭାଗୀମାନେ ଏକ ମିଳିତ ନିରୀକ୍ଷଣ ଓ କାର୍ଯ୍ୟକାରିତା ବ୍ୟବସ୍ଥା ସ୍ଥାପନ କରିବା ଦିଗରେ କାର୍ଯ୍ୟ କରୁଛନ୍ତି।ଏହି ଢାଞ୍ଚାରେ ସ୍ପଷ୍ଟ ଭାବେ ନିର୍ଦ୍ଧାରିତ ଲକ୍ଷ୍ୟ ଏବଂ ସମୟାନୁସାରେ ସମୀକ୍ଷା ବୈଠକ ସମ୍ମିଳିତ ରହିବ, ଯାହା ମାଧ୍ୟମରେ ଶିଖର ସମ୍ମିଳନୀର ପଦକ୍ଷେପଗୁଡ଼ିକର ପ୍ରଗତିକୁ ନିରୀକ୍ଷଣ କରାଯିବ। ଏହାର ଉଦ୍ଦେଶ୍ୟ ହେଉଛି ପାରଦର୍ଶିତା ଓ ଉତରଦାୟିତ୍ୱ କୁ ଶକ୍ତ କରିବା ସହିତ ଶୀର୍ଷ ସ୍ତରରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ଭୂମିସ୍ତରରେ କାର୍ଯ୍ୟକାରୀ ଭାବେ ପ୍ରୟୋଗ ହେଉଥିବାକୁ ସୁନିଶ୍ଚିତ କରିବା।ଏପରି ଗଠିତ ନିରୀକ୍ଷଣ ବ୍ୟବସ୍ଥା ବିକାଶ ପ୍ରକଳ୍ପଗୁଡ଼ିକର କାର୍ଯ୍ୟଦକ୍ଷ ଡିଲିଭରିକୁ ଉନ୍ନତ କରିବ ଏବଂ ପ୍ରାଥମିକ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ଦ୍ରୁତ କରିବାର ଆଶା ରହିଛି।
ପ୍ରଶ୍ନ: ଆଫ୍ରିକା ସହ ଭାରତର ସହଭାଗୀତା ମଡେଲ୍କୁ କେଉଁ କଥା ଅନନ୍ୟ କରେ?
ରାଜଦୂତ ରାୟ: ଆଫ୍ରିକା ସହ ଭାରତର ସମ୍ପର୍କ ଅନେକ ଅନ୍ୟ ବାହ୍ୟ ଆକ୍ଟର ମାନଙ୍କ ତୁଳନାରେ ଭିନ୍ନ, କାରଣ ଏହାର ମୂଳ ଐତିହାସିକ ଓ ଏହାର ଚିନ୍ତାଧାରା ବିକାଶମୁଖୀ। ଏହି ସମ୍ପର୍କ ଉପନିବେଶବାଦ ବିରୋଧୀ ସାମୂହିକ ସଂଘର୍ଷ, ଦଶନ୍ଧି ଦଶନ୍ଧି ଧରି ଚାଲିଆସୁଥିବା ଲୋକମାନଙ୍କ ମଧ୍ୟର ସମ୍ପର୍କ ଏବଂ ଦକ୍ଷିଣ–ଦକ୍ଷିଣ ସହଯୋଗର ଦୃଢ଼ ପରମ୍ପରା ଉପରେ ଆଧାରିତ। ନେଣ ଦେଣ ମୂଳକ ପଦ୍ଧତିର ପରିବର୍ତ୍ତେ ଭାରତ ଚାହିଦା-ଭିତ୍ତିକ ସହଭାଗୀତା, କ୍ଷମତା ବିକାଶ ଏବଂ ସହଜଳଭ୍ୟ ପ୍ରଯୁକ୍ତିଗତ ସମାଧାନ ଉପରେ ଗୁରୁତ୍ୱ ଦେଇଥାଏ। ସହଯୋଗର ପ୍ରମୁଖ କ୍ଷେତ୍ରଗୁଡ଼ିକ ହେଉଛି ସ୍ୱାସ୍ଥ୍ୟସେବା, ଶିକ୍ଷା, କୃଷି, ଡିଜିଟାଲ ପ୍ରଯୁକ୍ତି ଓ ପ୍ରତିଷ୍ଠାନ ଗଠନ।ଏହା ସହିତ ନୂଆ ଉଭା ହେଉଥିବା କ୍ଷେତ୍ରଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ପରିବର୍ତିତ ହେଉଛି । ଏଆଇ ଇମ୍ପାକ୍ଟ ସମିଟ ଓ ୱେଭସ ସମିଟ ପରି ମଞ୍ଚଗୁଡ଼ିକ କୃତ୍ରିମ ବୁଦ୍ଧିମତା, ନବୀନତା ଏବଂ ସୃଜନଶୀଳ ଶିଳ୍ପରେ ନୂତନ ସହଯୋଗ ସୁଯୋଗ ସୃଷ୍ଟି କରୁଛି।“ଏହାହିଁ ଭାରତ–ଆଫ୍ରିକା ସହଭାଗୀତାକୁ ବିଶିଷ୍ଟ କରେ। ଏହା ଆଫ୍ରିକାର ପ୍ରାଥମିକତା ଦ୍ୱାରା ଗଢ଼ାଯାଇଛି ଏବଂ ପାରସ୍ପରିକ ସମ୍ମାନ ଓ ସାମୂହିକ ପ୍ରଗତି ଦ୍ୱାରା ଚାଳିତ।”
ପ୍ରଶ୍ନ: ଡିଜିଟାଲ ପବ୍ଲିକ ଇନ୍ଫ୍ରାଷ୍ଚ୍ରକଚର ବିଶ୍ୱସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାବେ ଉଭା ହୋଇଛି। ଏହି କ୍ଷେତ୍ରରେ ସହଯୋଗକୁ ଆପଣ କିପରି ଦେଖୁଛନ୍ତି?
ରାଜଦୂତ ରାୟ: ସହଯୋଗର ସବୁଠାରୁ ଆଶାଜନକ କ୍ଷେତ୍ରମାନଙ୍କ ମଧ୍ୟରୁ ଡିଜିଟାଲ ପବ୍ଲିକ ଇନ୍ଫ୍ରାସ୍ଟ୍ରକ୍ଚର୍ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର। ଭାରତର ବିଶାଳ ଡିଜିଟାଲ ପରିବେଶ, ଯେଉଁଥିରେ ଡିଜିଟାଲ ପରିଚୟ, ଆର୍ଥିକ ସେବା, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଶାସନ ବ୍ୟବସ୍ଥା ଅନ୍ତର୍ଭୁକ୍ତ ରହିଛି ଓ ସାର୍ବଜନୀନ ସେବା ପ୍ରଦାନର କାର୍ଯ୍ୟକୁଶଳତାକୁ ଅପରିମିତ ଭାବେ ବୃଦ୍ଧି କରିଛି। ଭାରତର ଡିଜିଟାଲ ଢାଞ୍ଚାର ଏକ ପ୍ରମୁଖ ବିଶେଷତା ହେଉଛି ଏହାର ଓପେନ୍-ସୋର୍ସ ପ୍ରଣାଳୀ, ଯାହା ଦେଶମାନଙ୍କୁ ନିଜସ୍ୱ ତଥ୍ୟ ସାର୍ବଭୌମତ୍ୱ ଅକ୍ଷୁଣ୍ଣ ରଖି ଜାତୀୟ ଆବଶ୍ୟକତା ଅନୁଯାୟୀ ପ୍ରଣାଳୀକୁ ଅନୁକୂଳ କରିବାର ସୁଯୋଗ ଦେଇଥାଏ।ଶିଖର ସମ୍ମିଳନୀ ପ୍ରକ୍ରିୟା ମାଧ୍ୟମରେ ଭାରତ ନିଜର ଡିଜିଟାଲ ଅନୁଭବକୁ ଏକ ଆଦର୍ଶ ମଡେଲ୍ ଭାବେ ପ୍ରସ୍ତୁତ କରୁଛି, ଯାହାକୁ ଆଫ୍ରିକୀୟ ସରକାରମାନେ ଅଧ୍ୟୟନ, ଅନୁକୂଳନ ଓ ପ୍ରୟୋଗ କରି ମହାଦେଶରେ ଡିଜିଟାଲ ପରିବର୍ତ୍ତନକୁ ତ୍ୱରାନ୍ବିତ କରିପାରିବେ।
ପ୍ରଶ୍ନ: ଆଫ୍ରିକା ସହ ଭାରତର ସହଭାଗୀତାକୁ ଆଜି ମଧ୍ୟ କେଉଁ ସିଦ୍ଧାନ୍ତ ଦିଗ ଦେଖାଏ ?
ରାଜଦୂତ ରାୟ: ଆଫ୍ରିକା ସହ ଭାରତର ସହଭାଗୀତାର ମାର୍ଗଦର୍ଶକ ଦର୍ଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ମସିହାରେ ଉଗାଣ୍ଡାର ସଂସଦକୁ ସମ୍ବୋଧିତ କରିବା ସମୟରେ ‘କମ୍ପାଲା ସିଦ୍ଧାନ୍ତ’ ମାଧ୍ୟମରେ ସ୍ପଷ୍ଟ କରିଥିଲେ।
ଏହି ସିଦ୍ଧାନ୍ତଗୁଡ଼ିକ ଏକତା, ସମାନତା, ପାରସ୍ପରିକ ସମ୍ମାନ ଓ ଆଫ୍ରିକୀୟ ପ୍ରାଥମିକତା ଉପରେ ଆଧାରିତ ସହଭାଗୀତାକୁ ଗୁରୁତ୍ୱ ଦେଇଥାଏ।
ଆଫ୍ରିକା ଭାରତର ବିଦେଶ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ଅବିଚଳ ରହିଛି, ଯେଉଁଠାରେ ସହଯୋଗର ମୁଖ୍ୟ କେନ୍ଦ୍ରବିନ୍ଦୁ ହେଉଛି କ୍ଷମତା ନିର୍ମାଣ, ମାନବ ସମ୍ପଦ ବିକାଶ ଓ ପ୍ରତିଷ୍ଠାନଗତ ସୁଦୃଢ଼ତା। ଶିକ୍ଷା, କୌଶଳ ବିକାଶ, ସ୍ୱାସ୍ଥ୍ୟସେବା ଓ କୃଷି ଏହି ସହଭାଗୀତାର ପ୍ରମୁଖ ଆଧାର ହୋଇ ରହିଛି। ଏହି ସହଯୋଗ ବ୍ୟାପାର, ନିବେଶ, ଶିଳ୍ପାୟନ ଓ ପ୍ରଯୁକ୍ତି ହସ୍ତାନ୍ତର ମାଧ୍ୟମରେ ସାମୂହିକ ସମୃଦ୍ଧିକୁ ମଧ୍ୟ ପ୍ରୋତ୍ସାହନ ଦେଉଛି, ଯାହା ଆଫ୍ରିକୀୟ ମହାଦେଶୀୟ ମୁକ୍ତ ବ୍ୟାପାର କ୍ଷେତ୍ର ର ଲକ୍ଷ୍ୟସହ ସମନ୍ୱୟ ରଖେ। ଭାରତ ଆଫ୍ରିକୀୟ ମହାଦେଶରେ ଶାନ୍ତି ଓ ସୁରକ୍ଷା ସହଯୋଗକୁ ମଧ୍ୟ ସମର୍ଥନ କରେ, ଯାହାରେ ଜାତିସଂଘ ଶାନ୍ତି ମିଶନ୍, ଆତଙ୍କବାଦ ବିରୋଧୀ ପଦକ୍ଷେପ ଓ ସାମୁଦ୍ରିକ ସୁରକ୍ଷାରେ ସହଯୋଗ ଅନ୍ତର୍ଭୁକ୍ତ।
ବିଶ୍ୱ ଶାସନ ବ୍ୟବସ୍ଥାର ସୁଧାର ମଧ୍ୟ ଏହି ସହଭାଗୀତାର ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଶ୍ୱ। ୨୦୨୩ ମସିହାରେ ଭାରତର ଅଧ୍ୟକ୍ଷତା ସମୟରେ ଆଫ୍ରିକାନ ୟୁନିୟନ କୁ ଜି 20 ର ସ୍ଥାୟୀ ସଦସ୍ୟତା ଦେବା ପାଇଁ ଭାରତ ଦୃଢ଼ ସମର୍ଥନ ଜଣାଇଥିଲା, ଯାହା ଗ୍ଲୋବାଲ୍ ସାଉଥ୍ର କଣ୍ଠସ୍ୱରକୁ ସଶକ୍ତ କରିବା ପ୍ରତି ତାହାର ପ୍ରତିବଦ୍ଧତାକୁ ଦର୍ଶାଏ ।
ପ୍ରଶ୍ନ: ଆପଣ ଭାରତ–ଆଫ୍ରିକା ସମ୍ପର୍କର ଭବିଷ୍ୟତକୁ କିପରି ଦେଖୁଛନ୍ତି?
ରାଜଦୂତ ରାୟ: ଆସନ୍ତା ଶିଖର ସମ୍ମିଳନୀ ଭାରତ–ଆଫ୍ରିକା ସମ୍ପର୍କରେ ଏକ “ନୂତନ ପୁନର୍ଜାଗରଣ ସମୟ” ର ଆରମ୍ଭର ପ୍ରତୀକ ଅଟେ। ଦ୍ରୁତଗତିରେ ଅନିଶ୍ଚିତ ହେଉଥିବା ବିଶ୍ୱର ପରିଦୃଶ୍ୟ ମଧ୍ୟରେ ଭାରତ–ଆଫ୍ରିକା ସମ୍ପର୍କର ନିରନ୍ତର ବିସ୍ତାର ସ୍ଥିରତା, ବିଶ୍ୱସନୀୟତା ଓ ପାରସ୍ପରିକ ଆସ୍ଥାର ପରିଚାୟକ। ଭାରତ ଆଫ୍ରିକାରେ ନିଜର କୂଟନୀତିକ ପ୍ରସାରକୁ ମଧ୍ୟ ସୁଦୃଢ଼ କରିଛି। ଗତ କିଛି ବର୍ଷ ମଧ୍ୟରେ ଆଫ୍ରିକୀୟ ମହାଦେଶର ବିଭିନ୍ନ ଦେଶରେ ୧୭ଟି ନୂତନ ଭାରତୀୟ କୂଟନୀତିକ ମିଶନ୍ ସ୍ଥାପନ କରାଯାଇଛି। ଏହି ଶିଖର ସମ୍ମିଳନୀ ସେହି କ୍ଷେତ୍ରଗୁଡ଼ିକ ଉପରେ କେନ୍ଦ୍ରିତ ହେବ, ଯେଉଁଠାରେ ଭାରତର ବିକାଶ ଅନୁଭବ ଆଫ୍ରିକାର ପ୍ରାଥମିକତା ସହ ଘନିଷ୍ଠ ଭାବେ ସମନ୍ୱୟ ରଖେ। ଏଥିରେ ଡିଜିଟାଲ ଇନଫ୍ରାଷ୍ଟ୍ରକଚର, ଫିନ୍ଟେକ୍, କୃତ୍ରିମ ବୁଦ୍ଧିମତା , ଶିଳ୍ପାୟନ, ନବୀକରଣଯୋଗ୍ୟ ଉର୍ଜା, ସ୍ୱାସ୍ଥ୍ୟସେବା, ଟେଲିମେଡିସିନ୍, ଶିକ୍ଷା, ଅନ୍ତରିକ୍ଷ ସହଯୋଗ ଓ ସୃଜନଶୀଳ ଶିଳ୍ପ ଅନ୍ତର୍ଭୁକ୍ତ। ଚତୁର୍ଥ ଭାରତ–ଆଫ୍ରିକା ଫୋରମ୍ ଶିଖର ସମ୍ମିଳନୀ ର ପ୍ରସ୍ତୁତି ତୀବ୍ର ହେଉଥିବା ବେଳେ, ଭାରତ ଓ ଆଫ୍ରିକା ଉଭୟ ନିଜମାନଙ୍କ ସମ୍ପର୍କକୁ କେବଳ ଦ୍ୱିପକ୍ଷୀୟ ସହଯୋଗ ଭାବେ ନୁହେଁ, ବରଂ ସାମୂହିକ ବିକାଶ, ନବୀନତା ଓ କୌଶଳଗତ ସହଯୋଗ ଉପରେ ଆଧାରିତ ଏକ ଅଧିକ ସମତୁଳିତ ଓ ସମାବେଶୀ ବିଶ୍ୱ ବ୍ୟବସ୍ଥା ଗଠନରେ ଅବଦାନ ରଖୁଥିବା ବ୍ୟାପକ ସହଭାଗୀତା ଭାବେ ଦେଖୁଛନ୍ତି।
---------------
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ