
କୋଲକାତା, ୧୫ ମଇ (ହି.ସ.)- ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ବାଂଲାଦେଶ ସୀମାରେ ବିଚାରାଧୀନ ବାଡ଼ କାମକୁ ତ୍ୱରାନ୍ୱିତ କରିବା ପାଇଁ ସୀମା ସୁରକ୍ଷା ବାହିନୀ (ବିଏସଏଫ୍) କୁ ଜମି ହସ୍ତାନ୍ତର କରିବା ପାଇଁ ତ୍ରିସ୍ତରୀୟ ରଣନୀତି ପ୍ରସ୍ତୁତ କରିଛନ୍ତି । ରାଜ୍ୟ ସଚିବାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସରକାର ୪୫ ଦିନ ମଧ୍ୟରେ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ସୂତ୍ର ଅନୁଯାୟୀ, ରଣନୀତିର ପ୍ରଥମ ପର୍ଯ୍ୟାୟରେ ଅନ୍ତର୍ଜାତୀୟ ସୀମାର ସେହି ଅଂଶ ନିକଟରେ ଉପଲବ୍ଧ ସରକାରୀ ଜମିକୁ ତୁରନ୍ତ ବି.ଏସ୍.ଏଫ୍.କୁ ହସ୍ତାନ୍ତର କରାଯିବ । ଏହା କଂଟା ତାର ସ୍ଥାପନାର ପ୍ରଥମ ପର୍ଯ୍ୟାୟକୁ ତୁରନ୍ତ ଆରମ୍ଭ କରିବାକୁ ଅନୁମତି ଦେବ ।
ଦ୍ୱିତୀୟ ପର୍ଯ୍ୟାୟରେ ସୀମା ସଂଲଗ୍ନ ଘରୋଇ ପ୍ଲଟ୍ ଅଧିଗ୍ରହଣ କରାଯିବ । ଏଥିପାଇଁ ଜମି ମାଲିକମାନଙ୍କୁ ବର୍ତମାନର ବଜାର ମୂଲ୍ୟଠାରୁ ଅଧିକ କ୍ଷତିପୂରଣ ଦେବାକୁ ଯୋଜନା କରାଯାଇଛି । ଜମି ଅଧିଗ୍ରହଣ ହେବା ପରେ ଏହାକୁ ବି.ଏସ୍.ଏଫ୍. କୁ ହସ୍ତାନ୍ତର କରାଯିବ, ଯାହାଦ୍ୱାରା ବାଡ଼ ଲଗାଇବାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇପାରିବ ।
ତୃତୀୟ ପର୍ଯ୍ୟାୟରେ ସୀମାବର୍ତୀ ଅଂଚଳରେ ଥିବା ଜବରଦଖଲ ହୋଇଥିବା ଜମିକୁ ସଫା କରାଯିବ । ସରକାର ଏହି ଜମିକୁ ନିଜ ହାତକୁ ନେବେ ଏବଂ ବି. ଏସ୍. ଏଫ୍. କୁ ହସ୍ତାନ୍ତର କରିବେ, ଯାହାଦ୍ୱାରା ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିବ ।
ସୂତ୍ରରୁ ପ୍ରକାଶ ଯେ, ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ଭିନ୍ନ ସମୟ ସୀମା ସ୍ଥିର କରାଯାଇଛି । କ୍ୟାବିନେଟ ନିଷ୍ପତି ନେବାର ୪୫ ଦିନ ମଧ୍ୟରେ ସମଗ୍ର ଅଭିଯାନ ଶେଷ ହେବ ବୋଲି ସରକାର ଦାବି କରିଛନ୍ତି । ରାଜ୍ୟର ମୁଖ୍ୟ ଶାସନ ସଚିବ ନନ୍ଦିନୀ ଚକ୍ରବର୍ତୀଙ୍କୁ ସମଗ୍ର ପ୍ରକ୍ରିୟା ଉପରେ ନଜର ରଖିବା ଦାୟିତ୍ୱ ଦିଆଯାଇଛି । ତାଙ୍କୁ ବିକାଶ କାର୍ଯ୍ୟର ପ୍ରମୁଖ ସଂଯୋଜକ ଭାବରେ ନିଯୁକ୍ତ କରାଯାଇଛି ଏବଂ ବି.ଏସ୍.ଏଫ୍.କୁ ଜମି ହସ୍ତାନ୍ତର ପ୍ରକ୍ରିୟା ସୁରୁଖୁରୁରେ ସମାପ୍ତ ହେବାର ତଦାରଖ କରିବେ । ବାଂଲାଦେଶ ସୀମାରେ ବାଡ଼ ଲଗାଇବା ପାଇଁ ଜମି ପ୍ରଦାନ କରିବାର ପ୍ରସଙ୍ଗ ଦୀର୍ଘ ଦିନ ଧରି ବିଚାରାଧୀନ ଥିଲା । ବିଧାନସଭା ନିର୍ବାଚନ ପୂର୍ବରୁ ଜାରି ହୋଇଥିବା ସଂକଳ୍ପ ପତ୍ରରେ ବିଜେପି ଏହାକୁ ନିଜର ପ୍ରମୁଖ ପ୍ରତିଶ୍ରୁତି ମଧ୍ୟରେ ସାମିଲ୍ କରିଥିଲା । ନିର୍ବାଚନ ପ୍ରଚାର ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ କହିଥିଲେ ଯେ, ଯଦି ରାଜ୍ୟରେ ବିଜେପି ସରକାର ଗଠନ କରେ ତେବେ ବି.ଏସ୍.ଏଫ୍.କୁ ଜମି ହସ୍ତାନ୍ତର କରିବାର ନିଷ୍ପତି ପ୍ରାଥମିକ ନିଷ୍ପତି ମଧ୍ୟରେ ରହିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ