ବଲାଙ୍ଗୀର ଟାଉନ୍ ହଲ୍ର ଫେରିବ ଚମକ : ଜୁନ୍ରୁ ଆରମ୍ଭ ହେବ ପୁନରୁଦ୍ଧାର, ଅଗଷ୍ଟ ଶେଷ ସୁଦ୍ଧା କାମ ସରିବ
ବଲାଙ୍ଗୀର, ୨୮ ମଇ(ହି.ସ.) – ବଲାଙ୍ଗୀର ସହରର ସାଂସ୍କୃତିକ ପ୍ରାଣକେନ୍ଦ୍ର କୁହାଯାଉଥିବା ଏକମାତ୍ର ଟାଉନ୍ ହଲ୍ର ସଂସ୍କାର ଓ ପୁନରୁଦ୍ଧାର ପାଇଁ ଶେଷରେ କାଉଂଟଡାଉନ୍ ଆରମ୍ଭ ହୋଇଛି। ଦୀର୍ଘ ତିନି ବର୍ଷରୁ ଅଧିକ ସମୟ ହେବ ଜରାଜୀର୍ଣ୍ଣ ଓ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ଏହି ଐତିହ୍ୟ ସମ୍ପନ୍ନ ଗୃହର
ବଲାଙ୍ଗିର ଟାଉନ୍ ହଲ୍ର ଫେରିବ ଚମକ୍: ଜୁନ୍ରୁ ଆରମ୍ଭ ହେବ ପୁନରୁଦ୍ଧାର, ଅଗଷ୍ଟ ଶେଷ ସୁଦ୍ଧା କାମ ସରିବ


ବଲାଙ୍ଗୀର, ୨୮ ମଇ(ହି.ସ.) – ବଲାଙ୍ଗୀର ସହରର ସାଂସ୍କୃତିକ ପ୍ରାଣକେନ୍ଦ୍ର କୁହାଯାଉଥିବା ଏକମାତ୍ର ଟାଉନ୍ ହଲ୍ର ସଂସ୍କାର ଓ ପୁନରୁଦ୍ଧାର ପାଇଁ ଶେଷରେ କାଉଂଟଡାଉନ୍ ଆରମ୍ଭ ହୋଇଛି। ଦୀର୍ଘ ତିନି ବର୍ଷରୁ ଅଧିକ ସମୟ ହେବ ଜରାଜୀର୍ଣ୍ଣ ଓ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ଏହି ଐତିହ୍ୟ ସମ୍ପନ୍ନ ଗୃହର ଭାଗ୍ୟ ବଦଳିବାକୁ ଯାଉଛି। ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କରାଯାଇଥିବା ଦୃଢ଼ ଦାବି ଏବଂ ଆନ୍ଦୋଳନର ଚେତାବନୀ ପରେ ପୌର ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଆସନ୍ତା ଜୁନ୍ ମାସରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ଅଗଷ୍ଟ ଶେଷ ସୁଦ୍ଧା ଏହା ଜନସାଧାରଣଙ୍କ ପାଇଁ ଉଦ୍ଘାଟନ କରାଯିବ ବୋଲି ପୌର ପ୍ରଶାସନ ପକ୍ଷରୁ ସ୍ପଷ୍ଟ ପ୍ରତିଶ୍ରୁତି ମିଳିଛି।

ସହର ମଧ୍ୟଭାଗରେ ଥିବା ଏହି ଏକମାତ୍ର ସାଂସ୍କୃତିକ ଗୃହଟିର ଦୂରାବସ୍ଥା ଯୋଗୁଁ ଦୀର୍ଘ ଦିନ ହେବ ସହରରେ କୌଣସି ବଡ଼ ଧରଣର ସଭାସମିତି ବା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରୁ ନଥିଲା। ସରକାରଙ୍କ ପକ୍ଷରୁ ଅନୁଦାନ ମିଳିଥିବା ଏବଂ ଊଚଜ(ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ପ୍ରସ୍ତୁତ ସରିଥିଲେ ମଧ୍ୟ ପ୍ରଶାସନିକ ଅବହେଳା ଯୋଗୁଁ କାର୍ଯ୍ୟ ଆରମ୍ଭ ହେବାରେ ବିଳମ୍ବ ହେଉଥିଲା। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଗୋବିନ୍ଦ ଚନ୍ଦ୍ର ଶତପଥି, ଉତମ ନନ୍ଦ, ରବୀନ୍ଦ୍ର ପ୍ରଧାନ, ଦେବରାଜ ନାଗ, ସରୋଜ ଜାଲ, ପ୍ରଦୀପ ଯୁଏଡ ଓ ଶିବ ବେହେରା ପ୍ରମୁଖ ବଲାଙ୍ଗୀର ପୌର ପରିଷଦର ପୌରାଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସଂଗଠନ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଥିଲା ଯେ, ଯଦି ତୁରନ୍ତ କାର୍ଯ୍ୟ ଆରମ୍ଭ ନହୁଏ, ତେବେ ସହରବାସୀ ଗଣତାନ୍ତ୍ରିକ ପନ୍ଥାରେ ବଡ଼ ଧରଣର ଆନ୍ଦୋଳନ କରିବାକୁ ବାଧ୍ୟ ହେବେ।

ଦାବିପତ୍ର ଗ୍ରହଣ କରିବା ପରେ ପୌରାଧ୍ୟକ୍ଷା ସଂଗଠନର ସଦସ୍ୟମାନଙ୍କ ସହ ସବିଶେଷ ଆଲୋଚନା କରିଥିଲେ। ସହରବାସୀଙ୍କ ଭାବନାକୁ ସମ୍ମାନ ଜଣାଇ ସେ କହିଛନ୍ତି ଯେ, ଆସନ୍ତା ଜୁନ୍ ମାସ ମଧ୍ୟରେ ଟାଉନ୍ ହଲ୍ର ପୁନରୁଦ୍ଧାର କାର୍ଯ୍ୟ ନିଶ୍ଚିତ ଭାବେ ଆରମ୍ଭ କରାଯିବ ଏବଂ ଠିକ୍ ତିନି ମାସ ମଧ୍ୟରେ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବ। ଅପରପକ୍ଷରେ, ପୌର ପରିଷଦର ନିର୍ବାହୀ ଅଧିକାରୀ ମଧ୍ୟ ଏହି ପ୍ରକଳ୍ପକୁ ଗୁରୁତ୍ୱର ସହ ନେଇ ଆସନ୍ତା ଅଗଷ୍ଟ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପୌର ପ୍ରଶାସନର ଏହି ସକାରାତ୍ମକ ପ୍ରତିଶ୍ରୁତି ପରେ ସହରର ବୁଦ୍ଧିଜୀବୀ ଓ କଳାକାର ମହଲରେ ଖୁସିର ଲହରୀ ଖେଳିଯାଇଛି। ଏବେ ସମସ୍ତଙ୍କ ନଜର ପ୍ରଶାସନର କାର୍ଯ୍ୟକାରିତା ଉପରେ ରହିଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande