
ବଲାଙ୍ଗୀର, ୨୮ ମଇ(ହି.ସ.) – ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବଲାଙ୍ଗୀର ସଦର ବ୍ଲକର ସମ୍ମିଳନୀ କକ୍ଷ ଠାରେ ବ୍ଲକସ୍ତରୀୟ କେମ୍ପ କୋର୍ଟ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ୨୦୨୫ରେ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗୀର ଦ୍ୱାରା ଓରଫାନ୍ ସର୍ଭେ ଅନୁସାରେ ପିତୃ- ମାତୃ ହୀନ ଶିଶୁମାନଙ୍କୁ ଶିଶୁ ମଙ୍ଗଳ ସମିତିରେ ହାଜର କରି ଉପସ୍ଥାପନା କରାଗଲା। ଏହି ଅବସରରେ ବଲାଙ୍ଗୀର ସଦର ବ୍ଲକ୍ର ସିଡିପିଓ ଶୁଭଶ୍ରୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚିହ୍ନଟ ହୋଇଥିବା ଶିଶୁମାନଙ୍କର ଅଭିଭାବକ, ଅଭିଭାବିକାମାନଙ୍କୁ ଏହି ପିତୃ ମାତୃ ହୀନ ଶିଶୁଙ୍କ କର୍ମଶାଳାକୁ ଉପସ୍ଥାପନା କରାଯାଇଥିଲା। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ରାକେଶ ପଟେଲ, ବାଳମୁକୁନ୍ଦ ଭିତିରିଆ ଉପସ୍ଥିତ ରହି କିଶୋର ନ୍ୟାୟ ଆଇନ୍ ଅଧିନସ୍ତ ୧୭,୨୦ ଫର୍ମଗୁଡ଼ିକ ପୂରଣ କରିଥିଲେ ଓ ଅନ୍ଲାଇନ୍ ଜରିଆରେ ଶିଶୁ ମଙ୍ଗଳ ସମିତିରେ ହାଜର କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆଇସିଡିଏସ୍ର ସୁପଭାଇଜର, ଅଙ୍ଗନୱାଡ଼ି କର୍ମୀମାନେ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୬ ଜଣ ଅନାଥ ଶିଶୁ ଉପସ୍ଥିତ ରହି ନିଜର ସମସ୍ତ ପ୍ରମାଣ ପତ୍ର ଯାଂଚ କରାଇଥିଲେ। ଏହି କେମ୍ପକୋର୍ଟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ସାମାଜିକ କର୍ମୀ ଅରୁଣ ଖୁଆସ୍, ହରିବନ୍ଧୁ ରାଉତ୍, ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତୀ ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଶିଶୁ ମଙ୍ଗଳ ସମିତି ଆବଶ୍ୟକୀୟ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଥିବା ବିଭିନ୍ନ ଯୋଜନାଗୁଡ଼ିକ ସଂଯୋଗ କରିବାକୁ ପରାମର୍ଶ ପ୍ରଦାନ କରିବେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ