




ସମ୍ବଲପୁର, ୨୮ ମଇ(ହି.ସ.) – ଖରାର ତାତି ପ୍ରଖର, ବର୍ଷା ନାହିଁ କି ପବନ ନାହିଁ। ଏଭଳି ପରିସ୍ଥିତିରେ ପଦାକୁ ଗୋଡ଼ କାଢ଼ିବାକୁ ଲୋକେ ଦୁଇ ଥର ଭାବୁଛନ୍ତି। ରାସ୍ତାଘାଟ ମଧ୍ୟ ଏକ ରକମର ଶୂନଶାନ୍ କହିଲେ ଚଳେ। ମାତ୍ର ଆଖିକୁ ବିଶ୍ୱାସ ନହେଲେ ବି, ସମ୍ବଲପୁର ମହାନଗର ନିଗମ ତତ୍ୱାବଧାନରେ ନିର୍ମାଣ କରାଯାଇଥିବା ସମ୍ବଲପୁରୀ ହସ୍ତତନ୍ତ ପ୍ରଦର୍ଶନୀ ମଣ୍ଡପ ହଠାତ୍ ଉଜୁଡି ଯାଇଛି। ଆକାଶବାଣୀ କେନ୍ଦ୍ର ନିକଟରେ ୨୦ରୁ ୨୫ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ କରାଯାଇଥିବା ଏହି ମଣ୍ଡପ ଉପରେ ପରିସରରେ ଥିବା ଏକ ବିଶାଳକାୟ ଗଛର ଡାଳ ଭାଙ୍ଗି ପଡ଼ିବା ଫଳରେ ସବୁକିଛି ଉଜୁଡି ପଡିଛି। ଏଭଳି ଦୃଶ୍ୟ ଦେଖି ଲୋକଙ୍କ ହୋହଲ୍ଲାରେ ତୁରନ୍ତ ପ୍ରଶାସନ ପକ୍ଷରୁ ଏହି ପରିସରରୁ ଭାଙ୍ଗି ଯାଇଥିବା ଡାଳ ପତ୍ର ସଫେଇ କରାଯାଇଥିଲା। ସହରର ସୌନ୍ଦର୍ଯ୍ୟକରଣ ସହିତ ସମ୍ବଲପୁରୀ ହସ୍ତତନ୍ତକୁ ସୁଦୁରପ୍ରସାରୀ କରିବା ଯୋଜନା ହୋଇଥିବା ଏହି ମଣ୍ଡପ ଏତିକିରେ କ୍ଷତିଗ୍ରସ୍ତ ହେବା ସମ୍ଭବତଃ ନିର୍ମାଣ କାର୍ଯ୍ୟରେ କିଛି ଦୋଷ ତ୍ରୁଟି ରହି ଯାଇଥିଲା କି, ଭଳି ବହୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଜିର ଏହି ଘଟଣା ପରେ ସମ୍ବଲପୁର ସହରର ବିକାଶ ପାଇଁ ମହାନଗର ନିଗମ ପକ୍ଷରୁ ହେଉଥିବା ସମସ୍ତ କାର୍ଯ୍ୟର ମାନ ସଠିକ୍ ଭାବେ ତଦାରଖ କରିବା ଉଚିତ୍ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ