ସିଭିଲ୍ ସର୍ଭିସ୍ରେ ଖୋର୍ଦ୍ଧାର ଝିଅ ପ୍ରଜ୍ଞାଙ୍କ ସଫଳତା
ଖୋର୍ଦ୍ଧା, ୨୮ ମଇ(ହି.ସ.) – ବାପାଙ୍କର ବଡ଼ ସ୍ୱପ୍ନ ଥିଲା, ଝିଅ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା କୃତିତ୍ୱ ଅର୍ଜିବ। ଆଜି ନ ହେଲେ କାଲି ଝିଅକୁ ଏ ସଫଳତା ମିଳିବ। କିନ୍ତୁ, ସଫଳତା ପାଖରେ ପହଂଚିଲା ବେଳକୁ ବାପା ନାହାନ୍ତି। ବାପାଙ୍କୁ ହରାଇବା ଭଳି ଗଭୀର ଯନ୍ତ୍ରଣା ଭିତରେ ବି ଓଡ଼ିଶା ପ୍ରଶାସନିକ ସେବା
Oas


ଖୋର୍ଦ୍ଧା, ୨୮ ମଇ(ହି.ସ.) – ବାପାଙ୍କର ବଡ଼ ସ୍ୱପ୍ନ ଥିଲା, ଝିଅ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା କୃତିତ୍ୱ ଅର୍ଜିବ। ଆଜି ନ ହେଲେ କାଲି ଝିଅକୁ ଏ ସଫଳତା ମିଳିବ। କିନ୍ତୁ, ସଫଳତା ପାଖରେ ପହଂଚିଲା ବେଳକୁ ବାପା ନାହାନ୍ତି। ବାପାଙ୍କୁ ହରାଇବା ଭଳି ଗଭୀର ଯନ୍ତ୍ରଣା ଭିତରେ ବି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଚମକିଛନ୍ତି ଖୋର୍ଦ୍ଧା ସହର ମଙ୍ଗଳାନଗର ବାସିନ୍ଦା ସ୍ୱର୍ଗତ ପ୍ରମୋଦ କୁମାର ସାହୁଙ୍କର ଝିଅ ପ୍ରଜ୍ଞାରାଣୀ ସାହୁ। ଏଥର ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ତାଲିକାରେ ୬୦ ନମ୍ବରରେ ରହି କେବଳ ତାଙ୍କର ପିତା ସ୍ୱର୍ଗତ ସାହୁଙ୍କୁ ସେ ଗୌରବାନ୍ୱିତ କରି ନାହାନ୍ତି, ବରଂ ଜିଲ୍ଲାକୁ ବି ଗର୍ବିତ କରିଛନ୍ତି। ପ୍ରଜ୍ଞାଙ୍କ କହିବା ମୁତାବକ, ତାଙ୍କର ସ୍କୁଲ୍ ପାଠପଢ଼ା ଖୋର୍ଦ୍ଧା ନୟାଗଡ଼ ରୋଡ୍ ସ୍ଥିତ ଏସଡିଏ ସ୍କୁଲ୍ରେ ହୋଇଥିଲା। ଯୁକ୍ତ ଦୁଇ ଓ ସ୍ନାତକ ପାଠପଢ଼ା ହୋଇଥିଲା ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ। ରସାୟନ ବିଜ୍ଞାନରେ ସେ ସ୍ନାତକ ପାଠ ପଢ଼ିଥିଲେ। ପିଲାଟି ଦିନରୁ ତାଙ୍କର ପ୍ରଶାସନିକ ସେବା ପରୀକ୍ଷା ଦେବାକୁ ଭାରି ଇଚ୍ଛା ଥିଲା। ତେଣୁ, ସେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। ପ୍ରଥମ ଓ ଦ୍ୱିତୀୟ ଥରରେ ସେ ସାକ୍ଷାତ୍କାର ଯାଏ ପହଂଚି ସେଇଠୁ କଟି ଯାଉଥିଲେ। ତଥାପି, ସେ ହାର୍ ମାନିନଥିଲେ। ଏଥର ଥିଲା, ତାଙ୍କର ତୃତୀୟ ଥର ଉଦ୍ୟମ। ତୃତୀୟ ପାଳିରେ ବି ସେ ସଫଳତାର ସହିତ ପରୀକ୍ଷାରେ କୃତିତ୍ୱ ହାସଲ କରି ସାକ୍ଷାତ୍କାର ଯାଏ ପହଂଚିଥିଲେ। ଠିକ୍ ସାକ୍ଷାତ୍କାର ତାରିଖ ଧାର୍ଯ୍ୟର ୧୪ ଦିନ ପୂର୍ବରୁ ବାପାଙ୍କର ହୃଦ୍ଘାତରେ ପରଲୋକ ହେଲା। ସାକ୍ଷାତକାର ଦେବା ପୂର୍ବରୁ ପୂରା ପରିବାର ଭାଙ୍ଗି ପଡ଼ିଥିଲେ। ତଥାପି, ଅସହ୍ୟ ବେଦନା ଭିତରେ ପ୍ରଜ୍ଞା ସାକ୍ଷାତ୍କାର ଦେବାକୁ ଯାଇଥିଲେ। ସେଠି ସେ କୃତିତ୍ୱ ହାସଲ କରିଛନ୍ତି। ଏହାର ଶ୍ରେୟ ସେ ସ୍ୱର୍ଗତ ପିତା ଶ୍ରୀ ସାହୁ ଓ ମା’ ପ୍ରଭାସିନୀ ସାହୁଙ୍କ ସମେତ ପରିବାର ବର୍ଗ ଓ ଈଶ୍ୱରଙ୍କ ଆଶୀର୍ବାଦକୁ ଦେଇଛନ୍ତି। ସେ ଦୈନିକ ସାତରୁ ଆଠ ଘଣ୍ଟା ପାଠ ପଢ଼ୁଥିଲେ। ବିନା କୋଚିଂରେ ତାଙ୍କୁ ଏହି ସଫଳତା ମିଳିଛି ବୋଲି ସେ ପ୍ରକାଶ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande