

ବଲାଙ୍ଗିର, ୨୮ ମେ (ହି.ସ.) - ବଲାଙ୍ଗିର ଜିଲ୍ଲାରେ ଗ୍ରୀଷ୍ମର ପ୍ରବାହ ଚରମରେ ପହଂଚିଥିବା ବେଳେ କ୍ରମାଗତ ବିଜୁଳି ବିଭ୍ରାଟ ଓ ପିଇବା ପାଣି ସମସ୍ୟା ଲୋକଙ୍କୁ ଘୋର ହଇରାଣ କରୁଛି । ପିଇବା ପାଣି ଓ ବିଜୁଳି ସମସ୍ୟା ଧିରେ ଧିରେ ଗାଁ ଅଂଚଳରେ ଉତ୍କଟ ରୂପ ନେଲାଣି । ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମିର୍ଦ୍ଧାପାଲି ପଂଚାୟତର ତୁଳଣ୍ଡି ଗାଁ ରେ ପିଇବା ପାଣି ଘୋର ସମସ୍ୟା ଦେଖାଦେଇଛି । କେନ୍ଦ୍ର ସରକାରଙ୍କ ବସୁଧା ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ଘରକୁ ଘର ନଳ ଯୋଗେ ପିଇବା ପାଣି ପହଂଚାଇବା ଯୋଜନା ଗ୍ରାମାଂଚଳରେ ସମ୍ପୁର୍ଣ୍ଣ ଫେଲ ମାରିଛି । ତୁଲଣ୍ଡି ଗାଁ ପଟରେ ଯାଇଥିବା ସୁକତେଲ ନଦୀ ରେ ଜଳସ୍ତର ତଳକୁ ତଳ ଯାଉଛି । ନଦୀ ହୁଡାରେ ଖନନ କରାଯାଇଥିବା ଗଭିର ନଳକୂଳ ରେ ପାଣି ହେଉନାହିଁ ତେଣୁ ଏହାର ପ୍ରତିକାର ପାଇଁ ଗ୍ରାମବାସୀ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କୁ ଗୁହାରି କରିଥିଲେ । ଶ୍ରୀ ମିଶ୍ର ଫୋନ ଯୋଗେ ବିଭାଗୀୟ ଯନ୍ତ୍ରୀ ଙ୍କ ସହ କଥା ହୋଇ ନଦୀ ମଧ୍ୟ ଭାଗରେ ଆଉ ଏକ ଇନଟେକ ୱେଲର ବ୍ୟବସ୍ଥା କରିବାକୁ କହିବା ସହ ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ଗାଁବାସୀଙ୍କ ପାଇଁ ଆଉ ଏକ ନଳକୂପ ଖନନ ର ବ୍ୟବସ୍ଥା କରିବା ପାଇଁ କହିଥିଲେ । ଦେଓଗାଁ ବ୍ଲକ ଅନ୍ତର୍ଗତ ଗାଇବାହାଲ ପଂଚାୟତର ଲୋକେ ମଧ୍ୟ ବିଜୁଳି ସମସ୍ୟାକୁ ନେଇ ଶ୍ରୀ ମିଶ୍ରଙ୍କ ଆବାସିକ କାର୍ଯ୍ୟଳୟକୁ ଆସି ଅଭିଯୋଗ ରଖିଥିଲେ । ଗାଁ ରେ ପ୍ରାୟତଃ ଗ୍ରାମବାସୀ ବିଜୁଳି ବିଲ ଠିକ୍ ସମୟରେ ପଇଠ କରୁଥିବା ବେଳେ ବାରମ୍ବାର ବିଜୁଳି ବିଭ୍ରାଟ ହେବା ଯୋଗୁଁ ପିଲାମାନଙ୍କର ପାଠ ପଢାରେ ବ୍ୟାଘାତ ସହ ଗରବ ଗୁଳିଗୁଳିରେ ଲୋକେ ଅତିଷ୍ଟ ହେବାରେ ଲାଗିଛନ୍ତି। ସେଠାରେ ଲାଗିଥିବା ୧୦୦ କେଭି ର ଟ୍ରାନ୍ସଫରମର ରେ ବାରମ୍ବାର ସମସ୍ୟା ଦେଖାଯାଉଛି । ଜନସଂଖ୍ୟା ଓ ବିଦ୍ୟୁତ ବିଭାଗ ସଂଖ୍ୟା ଦୃଷ୍ଟିରୁ ଏଠାରେ ୧୦୦ କେଭି ରୁ ୨ ଗୁଣ ଉର୍ଦ୍ଧ୍ୱ କ୍ଷମତା ସମ୍ପନ୍ନ ଟ୍ରାନ୍ସଫରମର ଆବଶ୍ୟକତା ଅଛି । ତେଣୁ ଟ୍ରାନ୍ସଫରମର ଏହି ଅପଗ୍ରେଡେସନ ପାଇଁ ବ୍ୟବସ୍ଥା କରାଇବାକୁ ଲୋକେ ଦାବି କରିଥିଲେ । ଏହାକୁ ନେଇ ବିଦ୍ୟୁତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଶ୍ରୀ ମିଶ୍ର କଥା ହୋଇ ଟ୍ରାନ୍ସଫରମର କୁ ଯେତେ ଶିଘ୍ର ହେବ ଅପଗ୍ରେଡେସନ କରେଇବା ପାଇଁ କହିଥିଲେ । ଏହି ଆଲୋଚନା ବେଳେ ସୁମନ୍ତ ସାମଲ, ଶୁଶାନ୍ତ ବିଶ୍ୱାଲ, ସମ୍ବିତ ଭୋଇ, ନରାକାର ମେହେର, ଦିବାକର ମେହେର, କାହ୍ନୁ ମେହେର, ଅନି ମାଝି, ଗୋବିନ୍ଦ ମେହେର, କୁମର ମେହେର, ଭୁବନ ରଣା,ଲବର ଜୁଏଡ, ବିକ୍ରମ ମେହେର ପ୍ରମୁଖ ସାମିଲ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ