




ସମ୍ବଲପୁର, ୨୮ ମଇ(ହି.ସ.) – ଚାରମାଳ ଥାନା ଅନ୍ତର୍ଗତ ହେଲେଇ କ୍ରସର କୁଆରୀ ପରିସରରେ ବିଦ୍ୟୁତ୍ ସଂଯୋଗରେ ଗତ ବୁଧବାର ଜନୈକ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏସମ୍ପର୍କରେ ହେଲେଇ ଓ ଆଖପାଖ ଅଂଚଳର ଲୋକେ ତୁରନ୍ତ ଏହି କ୍ରସରକୁ ବନ୍ଦ୍ କରିବା ପାଇଁ ପ୍ରଶାସନ ନିକଟରେ ଦୃଢ଼ ଦାବି କରିଥିଲେ। ରେଢ଼ାଖୋଲ ବିଡ଼ିଓ, ତହସିଲଦାରଙ୍କ ଉପସ୍ଥିତିରେ ପୋଲିସ ସମ୍ପୃକ୍ତ କ୍ରସରର ମାଲିକକୁ ଘଟଣାସ୍ଥଳରେ ପହଂଚିବା ପାଇଁ ଖବର କରିଥିଲେ ମଧ୍ୟ ସେ ଆସିନଥିଲେ। ଆଂଚଳିକ ସୁରକ୍ଷା ଓ ଗ୍ରାମବାସୀଙ୍କ ଦାବିକୁ ସର୍ବାଧିକ ଗୁରୁତ୍ୱ ଦେଇ ଗୁରୁବାର ଦିନ ରେଢ଼ାଖୋଲ ଉପଜିଲ୍ଲାପାଳ ଏହି ପଥର କ୍ରସରକୁ ସିଲ୍ କରିଥିବା ଜଣାପଡିଛି। ସୂଚନାନୁସାରେ ଗତ କାଲିର ଦୁଃଖଦ ଅଘଟଣ ପୂର୍ବରୁ ମଧ୍ୟ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ଏପରିକି ପଥର ବ୍ଲାଷ୍ଟିଙ୍ଗ ବେଳେ ଶକ୍ତିଶାଳୀ ଡିନାମାଇଟ୍ ବ୍ଯବହାର ଯୋଗୁଁ ହେଲେଇ ଓ ଆଖପାଖ ଗ୍ରାମାଂଚଳର ବହୁ ଘରବାଡ଼ି ପ୍ରଭାବିତ ହେଉଛି। ଏପରିକି ଗତ କିଛି ମାସ ତଳେ ଦୁଇ ଜଣଙ୍କ ଘର ଭାଙ୍ଗିଥିବା ଯୋଗୁଁ ସେମାନେ କ୍ରସର ମାଲିକଙ୍କୁ କ୍ଷତି ପୂରଣ ସମ୍ପର୍କରେ ଗୁହାରି କରିଥିଲେ, ମାତ୍ର କ୍ରସର ମାଲିକ କ୍ଷତିପୂରଣ ପରିବର୍ତେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ମଧ୍ୟ ଶୁଣିବାକୁ ମିଳୁଛି। ଆଜି ରେଢ଼ାଖୋଲ ପ୍ରଶାସନ ପକ୍ଷରୁ ଏହି କ୍ରସରକୁ ସିଲ୍ କରାଯିବା ପରେ ସ୍ଥାନୀୟ ଲୋକେ ବେଶ୍ ଆଶ୍ୱସ୍ତ ପ୍ରକାଶ କରିଛନ୍ତି ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ