ରାଜପଥରେ ବନ୍ଧୁକ ଦେଖାଇ ଦାଦାବଟି ଆଦାୟ : ଜଣେ ଗିରଫ, ଦେଶୀ ପିସ୍ତଲ ଓ ଗୁଳି ଜବତ
One arrested for loot
ରାଜପଥରେ ବନ୍ଧୁକ ଦେଖାଇ ଦାଦାବଟି ଆଦାୟ : ଜଣେ ଗିରଫ, ଦେଶୀ ପିସ୍ତଲ ଓ ଗୁଳି ଜବତ


ଝାରସୁଗୁଡ଼ା, ୨୮ ମେ (ହି.ସ.) - ଜାତୀୟ ରାଜପଥରେ ଟ୍ରକ ଚାଳକମାନଙ୍କୁ ବନ୍ଧୁକ ଦେଖାଇ ଜବରଦସ୍ତି ଦାଦାବଟି ଆଦାୟ କରୁଥିବା ଜଣେ ଅପରାଧୀଙ୍କୁ ଝାରସୁଗୁଡ଼ା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପୁରୁଣାବସ୍ତି ଅଂଚଳର ଅର୍ଜୁନ ସାହୁ (୨୪)। ତାଙ୍କ ନିକଟରୁ ଏକ ଦେଶୀ ପିସ୍ତଲ, ମାଗାଜିନ, ୨ଟି ଜୀବନ୍ତ ଗୁଳି, ୨ଟି ମୋବାଇଲ ଫୋନ ଓ ନଗଦ ୩ ହଜାର ୨୦ ଟଙ୍କା ଜବତ କରାଯାଇଛି।

ପୋଲିସ ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଝାରସୁଗୁଡ଼ା ଥାନାର ଏସଆଇ ସ୍ୱାଧୀନ କୁମାର ସେଠୀ ଓ ଅନ୍ୟ ପୋଲିସ କର୍ମଚାରୀମାନେ ଅଂଚଳରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ପଂଚପଡ଼ା ଛକ ନିକଟସ୍ଥ ଚାନ୍ଦ ଢାବା ପାଖରେ କିଛି ସଶସ୍ତ୍ର ଦୁର୍ବୃତ ଟ୍ରକ ଅଟକାଇ ଚାଳକମାନଙ୍କୁ ଭୟଭୀତ କରି ଦାଦାବଟି ଆଦାୟ କରୁଥିବା ସମ୍ପର୍କରେ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା।

ଖବର ପାଇବା ପରେ ପୋଲିସ ସଦଳବଳେ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଅନ୍ୟ ଦୁର୍ବୃତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅର୍ଜୁନ ସାହୁକୁ କାବୁ କରାଯାଇଥିଲା। ତାଙ୍କ ନିକଟରୁ ମାରଣାସ୍ତ୍ର ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି।

ଏନେଇ ଝାରସୁଗୁଡ଼ା ଥାନାରେ କେସ୍ ନମ୍ବର ୩୩୦/୨୦୨୬ରେ ମାମଲା ରୁଜୁ କରାଯାଇଛି। ପୋଲିସ କହିଛି ଯେ, ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ଅନେକ ଅପରାଧିକ ମାମଲା ରହିଛି। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

...............

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande